କାଲିର ଦୁର୍ଘଟଣା ପରଠୁ ଆଜିର ପୁନରୁଦ୍ଧାର ପର୍ଯ୍ୟନ୍ତ, ଆହତ ଓ ଦୁସ୍ଥ ଲୋକଙ୍କୁ ପ୍ରଶାସନ ବ୍ୟତୀତ ସିଧା ସହାୟତାର ହାତ ବଢାଇ ଦେଇ ଆସୁଛନ୍ତି ଶହ ଶହ ସଂଖ୍ୟାରେ ସ୍ବେଚ୍ଛାସେବୀ। ଦୁର୍ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର, ସେଠାରୁ ମେଡିକାଲ ବୋହିନେବା, ସ୍ବେଚ୍ଛାକୃତ ରକ୍ତଦାନ କରିବାଠୁ ସବୁ କାମରେ ନିଜକୁ ନିୟୋଜିତ କରିଛନ୍ତି ବହୁ ସ୍ବେଚ୍ଛାସେବକ। ସେହି ଦେବଦୂତଙ୍କ ତ୍ବରିତ, ସମର୍ପିତ ଓ ଅବିରତ ସେବା ବହୁ ଆହତଙ୍କ ଜୀବନ ବଂଚାଇଥିବା ବେଳେ ଅନେକଙ୍କ ଯନ୍ତ୍ରଣାକୁ କିଛି ପରିମାଣରେ ଲାଘବ ବି କରିଛି ।
ସମୟ ସନ୍ଧ୍ୟା ପ୍ରାୟ ୬ଟା ୫୫ । ସ୍ଥାନ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ । ଏଇ ଷ୍ଟେସନରୁ ମାତ୍ର କିଛି ଦୂରରେ ଘଟିଥିଲା ଭାରତୀୟ ରେଳ ଇତିହାସରେ ଅନ୍ୟତମ ଭୟାନକ ଦୁର୍ଘଟଣା। ତେବେ ଏ ଦୁର୍ଘଟଣା କାହିଁକି ଓ କେମିତି ଘଟିଲା ତା ବୁଝିବା ଆଗରୁ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ କିଛି ସ୍ଥାନୀୟ ଲୋକ । ସେଇମାନଙ୍କ ଭିତରୁ ଅନେକ ଦେବଦୂତ ସାଜି ଛିନଛତ୍ର ଓ ଭୀଷଣ କ୍ଷତିଗ୍ରସ୍ତ ବଗି ଉପରକୁ ଚଢି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ।
Also Read
କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେଇମାନଙ୍କ ଭିତରୁ କିଛି, ଗୁରୁତରଙ୍କୁ ଅବିଳମ୍ବେ ନିଜସ୍ବ ଉଦ୍ୟମରେ ମେଡିକାଲ ବୋହି ନେଇଥିଲେ ତ ଆଉ କିଛି ମୃତ୍ୟୁର ଯନ୍ତା ଭିତରୁ ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଥିବା ଦୁର୍ଗତଙ୍କୁ ଉଦ୍ଧାର ପରେ ଆଶ୍ୱାସନା ଦେଉଥିଲେ ।
ଏପଟେ ରାତି ତମାମ ଦୁର୍ଘଟଣାସ୍ଥଳରେ ଯେତିକି ହୃଦୟ ବିଦାରକ ଦୃଶ୍ୟସବୁ ଦେଖିବାକୁ ମିଳୁଥିଲା, ତାଠୁ ଆହୁରି କରୁଣ ସ୍ଥିତିର ବୟାନ କରୁଥିଲା ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ଦୃଶ୍ୟ । ସବୁଠି ମେଡିକାଲ ବେଡରୁ ବାରଣ୍ଡା ଯାଏଁ ଆହତଙ୍କ ଆର୍ତ୍ତନାଦରେ ଫାଟି ପଡୁଥିଲା ପରିବେଶ । ଆଉ କେଉଁଠି ଖୋଲା ଆକାଶ ତଳେ ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ ଶହ ଶହ ଜୀବନ । ଆଉ ଏଠି ବି ସ୍ବେଚ୍ଛାସେବୀଙ୍କ ସେବା ଓ ସମର୍ପଣ ଭାବର ପଟାନ୍ତର ନଥିଲା।
କିଏ ଆହତଙ୍କ ପାଖରେ ଆତ୍ମୀୟଙ୍କ ଭଳି ଲାଖି ରହୁଥିଲେ ତ ଆଉ କିଏ ସ୍ବେଚ୍ଛାକୃତ ରକ୍ତ ଦାନ ପାଇଁ ରକ୍ତଭଣ୍ଡାର ଆଗରେ ଘଣ୍ଟ ଘଣ୍ଟା ଧରି ଅପେକ୍ଷା କରୁଥିଲେ। ଉଭୟ ମେଡିକାଲ ଓ ମେଡିକାଲ ବାହାରେ କିଏ, କାହାକୁ, କେତେବେଳେ କେଉଁ ସେବା ଯୋଗାଇ ଦେଉଥିଲା, ତାର କିଛି ହିସାବ ନଥିଲା। ଏହି ଦୃଶ୍ୟ ଦେଖି ଲାଗୁଥିଲା ସବୁ ଆହତଙ୍କ ପାଇଁ ଯେମିତି ଦେବଦୂତ ଭଳି ଆଗେଇ ଆସୁଥିଲେ ଜଣେ ଜଣେ ଅଚିହ୍ନା ଓ ଅପରିଚିତ ମଣିଷ ।
ଏଣେ ଦୁର୍ଘଟଣାରେ ଆଖି ବୁଜିଥିବା କିମ୍ବା ଗୁରୁତର ଆହତ ହୋଇଥିବା ଅନେକ ଯାତ୍ରୀଙ୍କ ଠିକଣା କି ପରିଚୟ ଖୋଜିବା ଯେତେବେଳେ ଦୂରୁହ ବ୍ୟାପାର ଥିଲା, ସେତିକିବେଳେ ଆଉ କିଛି ଭଲ୍ୟୁଣ୍ଟିୟର ସେମାନଙ୍କ ସମ୍ପର୍କୀୟ ଓ ପରିବାର ଲୋକଙ୍କୁ ଖବର ପହଞ୍ଚାଇବାରେ ଗ୍ରହଣ କରୁଥିଲେ ମୁଖ୍ୟ ଭୂମିକା । ଏମିତିକି ମୃତାହତଙ୍କ ମୋବାଇଲ ଫୋନରୁ ଘର ଲୋକଙ୍କୁ ଫୋନ୍
କରି ସେମାନଙ୍କ ସ୍ଥିତି ସମ୍ପର୍କରେ ତାଜା ସୂଚନା ବି ଯୋଗାଇ ଦେଇ ମଣିଷ ପଣିଆର ପରିଚୟ ଦେଉଥିଲେ।
ବାହାନଗାର ଦୁର୍ଘଟଣାସ୍ଥଳରେ ପୋଲିସ, ପ୍ରଶାସନ କିମ୍ବା ଅନ୍ୟ ବୃତ୍ତିଗତ ଉଦ୍ଧାରକାରୀ ଦଳ ପହଞ୍ଚିବା ସମୟ ସାପେକ୍ଷ ଥିଲା ନିଶ୍ଚୟ । ତେବେ ସେମାନଙ୍କ ପୂର୍ବରୁ ଉପସ୍ଥିତି ଜାହିର କରି ଆହତଙ୍କୁ ସେବା, ସୁବିଧା ଓ ସ୍ବାନ୍ତନା ଦେବାକୁ ଚେଷ୍ଟା କରିଥିବା ପ୍ରତ୍ୟକ ସ୍ବେଚ୍ଛାସେବୀ ଯେ ଜଣେ ଜଣେ ଇଶ୍ୱର ଥିଲେ, ତାହା ନିସନ୍ଦେହରେ କୁହାଯାଇପାରେ।