ବଡ଼ ଦୁର୍ଘଟଣା : ଗଭୀର ଖାତକୁ ଖସିପଡ଼ିଲା ‍ବସ୍‌, ୧୬ ଯବାନ ସହିଦ

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି

ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍‌ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

ଉତ୍ତର ସିକିମର ଲାଚେନ୍ ଠାରୁ୧୫ କିଲୋମିଟର ଦୂରରେ ଥିବା ଜେମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ ଯବାନଙ୍କୁ ନେଇ ଚଟନରୁ ଥଙ୍ଗୁ ଅଭିମୁଖେ ବାହାରିଥିଲା ୩ ଗାଡ଼ି । ହେଲେ ଜେମା ରାସ୍ତା ନିକଟରେ ଜଣେ ଗାଡ଼ି ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ୧୦୦ ଫୁଟ୍ ତଳ ଏକ ଗଭୀର ଖାତକୁ ଖସି ପଡ଼ିଥିଲା ଗାଡ଼ି ।

ଏଥିରେ ୧୬ ଜଣ ଯବାନ ସହିଦ ହୋଇ ଯାଇଛନ୍ତି । ସହିଦଙ୍କ ମଧ୍ୟରେ ୩ ଜୁନିଅର କମିସନ୍‌ଡ ଅଫିସର ଓ ୧୩ ଜଣ ସୈନିକ ଅଛନ୍ତି । ଗୁରୁତରଙ୍କୁ ଏୟାରଲିଫ୍ଟ ଯୋଗେ ବେଙ୍ଗଲ ଆର୍ମି ହସ୍ପିଟାଲ ନିଆଯାଇଛି । ଏବେ ଖବର ପାଇବା ପରେ ସ୍ଥାନୀୟ ପୋଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । 

ଏନେଇ ଭାରତୀୟ ସେନା ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି ହୋଇଛି । ଏପରି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ସହ ଛିଡା ହୋଇଥିବା କୁହାଯାଇଛି । ସହିଦ୍‌ ଯବାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଉତ୍ତର ସିକ୍କିମରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ସହିଦ ହୋଇଛନ୍ତି ।  ସେମାନଙ୍କ ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ତାଙ୍କ ନିକଟରେ ଗଭୀର କୃତଜ୍ଞ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ସେହିପରି ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରାଜନାଥ ସିଂ ।