Army Chief Photograph: (OTV)
ମାନଚିତ୍ରରେ ରହିବାର ଅଛି ନା ନାହିଁ! ରହିବାର ଅଛି ତ ଆତଙ୍କବାଦ ବନ୍ଦ କର। ଭାରତ ପୂରା ପ୍ରସ୍ତୁତ ଅଛି। ଆଉ ସହି ହେବ ନାହିଁ। ଏମିତି କହି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ‘ଅପରେସନ ସିନ୍ଦୁର ୧.୦’ ପରି ଆଉ ଭାରତ ସଂଯମତା ଦେଖାଇବ ନାହିଁ। ପାକିସ୍ତାନ ନିଷ୍ପତ୍ତି ନେଉ ସେ ମାନଚିତ୍ରରେ ରହିବ କି ନାହିଁ।
ସେ ପୁଣି କହିଛନ୍ତି ଯେ, ଏଥର ସମସ୍ତ ପ୍ରମାଣ ବିଶ୍ୱକୁ ଦେଖାଯାଇଛି ଏବଂ କ୍ଷତି ମଧ୍ୟ ଦେଖାଇ ଦିଆଯାଇଛି। ସେନା ମୁଖ୍ୟ କହିଛନ୍ତି ଯେ 'ଅପରେସନ୍ ସିନ୍ଦୂର' କେବଳ ଏକ ସେନା ଅପରେସନ୍ ନୁହେଁ, ଏହା ସମଗ୍ର ରାଷ୍ଟ୍ର ପାଇଁ ଏକ ଲଢ଼େଇ ଥିଲା।
ଏହା ପୂର୍ବରୁ, ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିବା କ୍ଷତିର ଏକ ଲିଷ୍ଟ ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ବାୟୁସେନା ୪-୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇ ଦେଇଛି। ଏଥିରେ JF-16 ମଧ୍ୟ ରହିଛି। ଏହା ବ୍ୟତୀତ, ପାକିସ୍ତାନର ଚୀନ୍ ନିର୍ମିତ JF-17 ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ନଷ୍ଟ କରି ଦିଆଯାଇଛି। ସେମାନଙ୍କର ରାଡାର, ନିୟନ୍ତ୍ରଣ କେନ୍ଦ୍ର, ରନୱେ ଏବଂ ହ୍ୟାଙ୍ଗରଗୁଡ଼ିକ ମଧ୍ୟ ନଷ୍ଟ ହୋଇଛି।
ଏହା ପୂର୍ବରୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଯଦି ପାକିସ୍ତାନ ସର୍ କ୍ରିକ୍ ଅଞ୍ଚଳରେ କିଛି କରିବାକୁ ସାହସ କରେ, ତେବେ ପାକ୍ କୁ ଏପରି ଜବାବ ଦିଆଯିବ ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ। ରାଜନାଥ କହିଥିଲେ, ଅପରେସନ ସିନ୍ଦୂର ପାକିସ୍ତାନକୁ ପର୍ଦ୍ଦାଫାସ କରିଛି। ଭାରତ ସଂଯମତା ଦେଖାଇଛି କାରଣ ଏହାର କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦ ବିରୁଦ୍ଧରେ ଥିଲା, କିନ୍ତୁ ଆବଶ୍ୟକ ହେଲେ କଠୋର ଜବାବ ମଧ୍ୟ ଦିଆଯିବ।
ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନର ଗୁହାରି ପରେ, ମେ ୧୦ ତାରିଖରେ ଭାରତ ଯୁଦ୍ଧବିରତି ଘୋଷଣା କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/04/army-chief-2025-10-04-14-07-01.jpg)