Raita-scare-in-UP Photograph: (OTV)
ରାଇତା ଖାଇବା ପରେ ଏବେ ରାବିଜ୍ ଇଞ୍ଜେକ୍ସନ ନେବା ପାଇଁ ଡାକ୍ତରଖାନାରେ ଲମ୍ବା ଲାଇନ୍ । ଦୌଡି ଦୌଡି ଡାକ୍ତରଖାନା ଗଲେ ଗାଁ ଲୋକେ । ଗାଁର ଏକ ଶୁଦ୍ଧଘର ଭୋଜିରେ ସମସ୍ତେ ରାଇତା ଖାଇଥିଲେ । ଆଉ ଏବେ କାଳେ ତାଙ୍କୁ ଜଳାତଙ୍କ ବା ରାବିଜ୍ ହୋଇଯିବ ସେଇ ଡରରେ ରାବିଜ୍ ଟିକା ନେବାକୁ ଧାଉଁଛନ୍ତି । ଆପଣ ଭାବୁଥିବେ ପାଗଳ ଜୀବଜନ୍ତୁ କାମୁଡିଲେ ତ ରାବିଜ୍ ହୁଏ, ହେଲେ ରାଇତାରୁ କେମିତି ରାବିଜ୍ ହେଉଛି ?
ଉତ୍ତରପ୍ରଦେଶ ବଦାଉଁ ଜିଲ୍ଲାରୁ ଆସିଛି ଏହି ଅଜବ ଘଟଣା, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ଘଟଣାଟି ବଦାଉଁ ପିପରୌଲ ଗାଁର । ଗତ ୨୩ ତାରିଖ ଦିନ ଗାଁରେ ଗୋଟିଏ ଶୁଦ୍ଧଘର ଭୋଜିଥିଲା । ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭିତରେ ରାଇତା ବି ତିଆରି ହୋଇଥିଲା । ଗାଁର ପ୍ରମୋଦ ସାହୁଙ୍କ ମଇଁଷି କ୍ଷୀରରୁ ପ୍ରସ୍ତୁତ ହୋଇଥିଲା ଏହି ରାଇତା । ପରେ ଜଣାପଡିଲା, ଯେଉଁ ମଇଁଷି କ୍ଷୀରରୁ ରାଇତା ପ୍ରସ୍ତୁତ ହୋଇଥିଲା, ସେଇ ମଇଁଷିକୁ ପାଗଳ କୁକୁର କାମୁଡିଥିଲା । ମଇଁଷିଠାରେ ରାବିଜ୍ ଲକ୍ଷଣ ଦେଖାଯାଇଥିଲା ଓ ୨୬ ତାରିଖରେ ମଇଁଷିର ମୃତ୍ୟୁ ବି ହୋଇଥିଲା ।
ଏହି ଖବର ପରେ ପୂରା ଗାଁରେ ଖେଳିଯାଇଥିଲା ଆତଙ୍କ । ଗୁଜବ ବ୍ୟାପିଗଲା ଯେ, ସେଇ ମଇଁଷି କ୍ଷୀରରୁ ତିଆରି ରାଇତା ଖାଇଥିବା ଲୋକମାନଙ୍କୁ ରାବିଜ୍ ହୋଇପାରେ । ସେଥିପାଇଁ ଗାଁର ୨୦୦ରୁ ଅଧିକ ଲୋକେ ରାବିଜ୍ ଭ୍ୟାକ୍ସିନ ନେବାକୁ ଡାକ୍ତରଖାନା ଧାଇଁଥିଲେ ।
ଏହି ଘଟଣା ନେଇ ବଦାୟୁଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା କଥା, ''ସାଧାରଣତଃ କ୍ଷୀର ଫୁଟାଇବା ପରେ ରାବିଜ୍ ହେବାର ଆଶଙ୍କା ନଥାଏ । କିନ୍ତୁ ସମ୍ଭାବ୍ୟ ବିପଦକୁ ଏଡାଇବା ପାଇଁ ଟିକାକରଣ କରାଯାଇଛି । ଏଥିରେ କୌଣସି ସମସ୍ୟା ନାହିଁ ।'' ତେବେ ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/raita-scare-in-up-2025-12-31-17-15-09.jpg)