Dharmendra Deol Photograph: (OTV)
ବଲିଉଡର ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କର ପରଲୋକ ଘଟିଛି। ବର୍ଷିୟାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି। ଅସୁସ୍ଥତା ନେଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ।
ଧର୍ମେନ୍ଦ୍ରଙ୍କୁ ପ୍ରଥମେ ନଭେମ୍ବର ୧ ତାରିଖରେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଏହା ଏକ ନିୟମିତ ଯାଞ୍ଚ ବୋଲି କୁହାଯାଇଥିଲା। ଏହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା। ରିପୋର୍ଟ ଅନୁସାରେ, ନିଶ୍ୱାସ ନେବାରେ କଷ୍ଟ ହେଉଥିବା କାରଣରୁ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ସେଠାରେ କଡ଼ା ନଜର ରଖିବା ପାଇଁ ରଖିଥିଲେ।
ଗତ ୧୧ ତାରିଖରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ପରିବାର ତରଫରୁ ଖଣ୍ଡନ କରାଯାଇଥିଲା। ଧୀରେ ଧୀରେ ସୁସ୍ଥ ହେଉଥିବା ଏବଂ ଚିକିତ୍ସିତ ହୋଇ ଘରକୁ ଫେରିଥିବା କୁହା ଯାଇଥିଲା।
୧୯୩୫ ଡିସେମ୍ବର ୮ରେ ପଞ୍ଜାବ ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର। ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ହିଟ୍ ଚଳଚ୍ଚିତ୍ର। ୬ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ସେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଫୁଲ୍ ଔର ପଥର, ସୋଲେ, ଚୁପେକେ ଚୁପକେ, ଅନୁପମା ଭଳି ସିନେମାରେ ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୬୦ରେ ‘ଦିଲ୍ ଭି ତେରା ହମ୍ ଭି ତେରା’ ଫିଲ୍ମରେ ଡେବ୍ୟୁ କରିଥିଲେ। ବଲିଉଡ୍ ଜଗତରେ ‘ହି-ମ୍ୟାନ୍’ ଭାବେ ଜଣାଶୁଣା ଥିଲେ।
୧୯୯୭ରେ ଫିଲ୍ମଫେୟାର ଲାଇଫ୍ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇଥିଲେ ଧର୍ମେନ୍ଦ୍ର। ୨୦୧୧ରେ ପାଇଥିଲେ ଦାଦା ସାହେବ ଫାଲକେ ସମ୍ମାନ। ୨୦୧୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଧର୍ମେନ୍ଦ୍ରଙ୍କ ବିୟୋଗ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼ ଲାଗିଛି। ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ଼। ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/dharmendra-deol-2025-11-24-14-02-53.jpg)