Crematorium Photograph: (OTV)
ରୋଷେଇ ଘର ପରେ ଏବେ ଶ୍ମଶାନରେ ହାହାକାର। ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ ଏବେ ଶ୍ମଶାନ ଯାଏଁ ବ୍ୟାପିଗଲାଣି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବର୍ତ୍ତମାନ ସ୍ଥିର ରହିଥିବା ବେଳେ, ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଗ୍ୟାସ୍ ମୂଲ୍ୟ ଘର, ଶିଳ୍ପ ଏବଂ ଶବଦାହ ଉପରେ ପ୍ରଭାବ ପକାଇଛି। ଇରାନ୍-ଇସ୍ରାଏଲରେ ଯୁଦ୍ଧ ହେଉଛି। ହେଲେ ଏହାର ପ୍ରଭାବରେ ଥରୁଛି ଭାରତୀୟ ଅର୍ଥନୀତି।
ପ୍ରଥମେ ସେୟାର ବଜାର ଭୁଶୁଡ଼ିଲା, ତା’ପରେ ରୋଷେଇ ଗ୍ୟାସ୍ ଦର ବଢ଼ିଲା, ଆଉ ଏବେ ଶ୍ମଶାନ ଘାଟରେ ବି ପଡ଼ିଛି ଯୁଦ୍ଧର କଳାଛାଇ। ପୁଣେରୁ ଆସିଥିବା ଏହି ଖବର ସାରା ଦେଶକୁ ଚକିତ କରିଛି। ଗ୍ୟାସ୍ ନଥିବାରୁ ଏବେ ଶବଦାହ ଗୃହରେ ଝୁଲୁଛି ତାଲା। ଅନ୍ତିମ ସଂସ୍କାର ପାଇଁ ବି ଏବେ କରିବାକୁ ପଡ଼ୁଛି ସଂଘର୍ଷ। ଦାହା ଅପେକ୍ଷାରେ ରହିଛନ୍ତି ଶହ ଶହ ଶବ।
ମାର୍ଚ୍ଚ ୫ ତାରିଖରେ ଜାରି ହୋଇଥିବା ଆଦେଶରେ ଘରୋଇ ଏଲ୍ପିଜି ସିଲିଣ୍ଡର ପାଇଁ ପ୍ରୋପେନ୍ ଏବଂ ବ୍ୟୁଟେନ୍ ଷ୍ଟକକୁ ପ୍ରାଥମିକତା ଦିଆଯାଇଥିଲା। ଫଳସ୍ୱରୂପ, ଅଣ-ଘରୋଇ ବ୍ୟବହାର ପାଇଁ ଗ୍ୟାସ୍ ଉପଲବ୍ଧତା ହ୍ରାସ ପାଇଛି।
ପୁଣେ ମ୍ୟୁନିସିପାଲ କର୍ପୋରେସନ ଏକ ବଡ଼ ନିଷ୍ପତ୍ତି ନେଇ ସହରର ଗ୍ୟାସ୍ ଭିତ୍ତିକ ଶବଦାହ ଗୃହଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି। ପୁଣେର ସବୁଠୁ ପୁରୁଣା ଏବଂ ବଡ଼ 'ବୈକୁଣ୍ଠ ଶ୍ମଶାନ'ରେ ଥିବା ୩ଟି ଯାକ ଗ୍ୟାସ୍ ଚୁଲା ଏବେ ଅଚଳ ହୋଇପଡ଼ିଛି। ଫଳରେ ମୃତଦେହ ସତ୍କାର ପାଇଁ ଆସୁଥିବା ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
'ବୈକୁଣ୍ଠ ଶ୍ମଶାନ'ରେ ପ୍ରତିଦିନ ପ୍ରାୟ ୨୦ ଶବଦାହ କରାଯାଇଥାଏ। ମାତ୍ର ବର୍ତ୍ତମାନ କେବଳ ଦୁଇ ଶବଦାହ ପାଇଁ ଏଲ୍ପିଜି ବାକି ଅଛି। ପ୍ରତି ଶବଦାହ ପାଇଁ ପ୍ରାୟ ୧୮ କିଲୋଗ୍ରାମ ଗ୍ୟାସ୍ ଆବଶ୍ୟକ ହୋଇଥାଏ। ସମସ୍ତ ଶବଦାହ ବର୍ତ୍ତମାନ ବୈଦ୍ୟୁତିକ ଚୁଲାରେ କରାଯାଉଛି। ଶ୍ମଶାନର ପାଞ୍ଚଟି ବୈଦ୍ୟୁତିକ ଚୁଲି ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସହିତ କାଠ ଆଧାରିତ ସିଷ୍ଟମ କାର୍ଯ୍ୟକ୍ଷମ ରହିଛି। ପୌରସଂସ୍ଥାର ତଥ୍ୟ ଅନୁଯାୟୀ, ପୁଣେର ପୌରାଞ୍ଚଳରେ ପ୍ରତିଦିନ ପ୍ରାୟ ୧୦୦ ରୁ ୧୫୦ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଉଛି। ସହରରେ ୨୪ଟି ଶ୍ମଶାନ ଅଛି।
ଯୁଦ୍ଧ ଯୋଗୁଁ ସପ୍ଲାଏ ଚେନ୍ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଟେନସନ ଯେତିକି ବଢୁଛି, ସାରା ବିଶ୍ୱରେ ଇନ୍ଧନ ସଙ୍କଟ ସେତିକି ଉତ୍କଟ ହେଉଛି। ପ୍ରଥମେ ସେୟାର ମାର୍କେଟ କ୍ରାସ୍, ତା'ପରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଏବେ ଶ୍ମଶାନରେ ସତ୍କାର ପାଇଁ ସମସ୍ୟା। ଯୁଦ୍ଧର ଏହି ମୂଲ୍ୟ ଏବେ ସାଧାରଣ ଭାରତୀୟଙ୍କୁ ଦେବାକୁ ପଡ଼ୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/crematorium-2026-03-09-16-38-35.jpg)