COAST-GUARD Photograph: (OTV)
ସମୁଦ୍ର ସୀମାର ପ୍ରଥମ ପ୍ରହରୀ, ନୀଳ ଜଳରାଶୀର ଅଦୃଶ୍ୟ ସୀମାକୁ ତୀକ୍ଷ୍ମଣ ନଜରରେ ଜଗି ରୁହନ୍ତି। ଯାହାର ସାଇରନ୍ ଶୁଣିଲା ମାତ୍ରେ ସ୍ମଗଲରଠୁ ଶତ୍ରୁ ସମସ୍ତଙ୍କ ଛାତି ଧଡ଼ଧଡ଼ କମ୍ପିଯାଏ। ଦିନ ରାତି ଲୁଣି ପାଣିରେ ନିଜ ଜୀବନକୁ ପାଣି କରି ଦେଶ ମାତୃକାର ସେବା କରୁଥିବା ସେମାନେ ଭାରତୀୟ କୋଷ୍ଟଗାର୍ଡ। ହେଲେ କେମିତି ହୁଏ ଅପରେସନ୍, ପ୍ରତିଦିନ କେଉଁ ସବୁ ଚ୍ୟାଲେଞ୍ଜର ସାମ୍ନା କରନ୍ତି ସେ ସବୁକୁ ଅତି ପାଖରୁ ଦେଖିଛି ଓ କ୍ୟାମେରାରେ କଏଦ କରିଛି ଓଟିଭି। ସମୁଦ୍ର କୂଳରୁ ୮୦ କିଲୋମିଟର୍ ଭିତରେ ବୀର ଯବାନଙ୍କ ସେଇ ଦୁଃସାହସ, ଯାହା ଆଖିରେ ନଦେଖିଲେ ବିଶ୍ବାସ କରିହେବନି ତାକୁ କଏଦ କରିଥିଲା କ୍ୟାମେରାରେ।
ମଝି ଦରିଆରୁ ଫେରି ଆସିଲା ଜୀବନ, ଅକାତ ଅକାତ ପାଣି ଭିତରୁ ଦୁଃସାହସିକ ରେସ୍କ୍ୟୁ ଅପରେସନ୍। ସମୁଦ୍ରର ସୁରକ୍ଷା, ସାମୁଦ୍ରିକ ସୀମାର ସଜାଗ ପ୍ରହରୀ...ଦିନ ହେଉ କି ରାତି, ଝଡ଼ କି ତାତି...ଗଭୀର ସମୁଦ୍ରର ପ୍ରତିଟି ହଲଚଲ, ଲହଡ଼ିର ମାଡ଼କୁ ସହି ଗଭୀର ସମୁଦ୍ରକୁ ପ୍ରତିଦିନ ମାପୁଥିବା ଏମାନେ ହେଉଛନ୍ତି ସାମୁଦ୍ରିକ ବୀର ଭାରତୀୟ କୋଷ୍ଟଗାର୍ଡ।...ସମୁଦ୍ର ସୀମାର ପ୍ରଥମ ସ୍ତର ଏମାନଙ୍କ ମଜବୁତ ହାତରେ ନ୍ୟସ୍ତ। ଆଉ ଆଖି ଝଲସି ଯାଉଥିବା ଏ ସବୁ ହେଉଛି ଏମାନଙ୍କ ଅପରେସନର ଗୋଟି ଗୋଟି ଦୃଶ୍ୟ ।...
ଦୂର ଦୂର ଯାଏଁ ଖାଲି ନୀଳ ଜଳରାଶି, ଭୂଇଁ କେଉଁଠି ଆକାଶ କେଉଁ ଯାଏଁ ମାପିବା ବି ସମ୍ଭବ ନୁହେଁ, ଏହାରି ଭିତରେ ଖସି ପଡ଼ିଥିବା ବିମାନର ଟୁକୁଡ଼ା ଭିତରୁ ଜୀବନ ସନ୍ଧାନ କରୁଛନ୍ତି କୋଷ୍ଟ ଗାର୍ଡର ‘ଜା ବାଜ୍ ଯବାନ’। ଲୁଣି ପାଣିରେ ନିଜ ଜୀବନକୁ ପଛରେ ପକାଇ ଆଗ ହେଉଛି ରେସ୍କ୍ୟୁ ଅପରେସନ୍।
ଏଠି ପରିଚୟ ଖୋଜା ହୁଏନି ଏଠି ବହୁମୂଲ୍ୟ ହେଉଛି ଜୀବନ। କେହି ଯେତେବେଳେ ନଥାଏ, କେହି ଯେତେବେଳେ ଆସିନପାରେ, କେହି ପହଞ୍ଚିବା ଅସମ୍ଭବ ସେଇ ସମୟରେ ଅତ୍ର ତତ୍ର ସର୍ବତ୍ରରୁ ଶୁଭେ ଗୋଟିଏ ଶବ୍ଦ ଭାରତୀୟ କୋଷ୍ଟଗାର୍ଡ। ଓଟିଭି ସାମିଲ ହୋଇଥିଲା ବୀର କୋଷ୍ଟଗାର୍ଡଙ୍କ ଏଇ ଦୁଃସାହାସିକ ଅପରେସନରେ। ପାରାଦୀପ ବନ୍ଦରରୁ ୭୦ କିଲୋମିଟର୍ ସମୁଦ୍ର ଭିତରେ ବିଶାଳ ବିଜୟ ସମେତ ୭ଟି ଜାହାଜରେ ବୀରତ୍ବର ଏଇ ଗାଥାର ସାକ୍ଷୀ ହୋଇ କଏଦ କରିଥିଲା ସେ ସବୁ ଦୃଶ୍ୟ। ପ୍ଲେନ୍ କ୍ରାସ୍ ହେଉ କିମ୍ବା ଜାହାଜରେ ଅଗ୍ନିକାଣ୍ଡ ଅବା ଅନ୍ୟ କିଛି ଅଘଟଣ, ପାଣିରେ ବୁଡ଼ି ରହିଥିବା ପ୍ରତିଟି ଜୀବନ ବଞ୍ଚାଇବାକୁ ସବୁବେଳେ ତୟାର କୋଷ୍ଟଗାର୍ଡ ଯବାନ।...
ଏତେ ସହଜ ନଥାଏ ସମୁଦ୍ର ଭିତରେ କୋଷ୍ଟଗାର୍ଡଙ୍କ ଗୋଟିଏ ଦିନ। ପ୍ରତିଟି ମୁହୂର୍ତ୍ତ ବିପଦ ଓ ଚ୍ୟାଲେଞ୍ଜପୂର୍ଣ୍ଣ। କେତେବେଳେ ବାହାରୀ ଶତ୍ରୁ ତ ପୁଣି କେତେବେଳେ ପ୍ରତିକୂଳ ପାଣିପାଗ। ସମୁଦ୍ର ଭିତରେ କଣ ଯେ ଘଟିବ ନା ପୂର୍ବରୁ କହି ହୁଏ ନା ଆଭାସ ମିଳେ। ଏସବୁ ପରେ ବି ଦେଶର ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ଯାଏଁ ନଜର ରଖିଥାଏ କୋଷ୍ଟଗାର୍ଡ। ଉପକୂଳ ସୁରକ୍ଷାର ଏଇ କବଚ ପାଇଁ ହିଁ ଅନୁପ୍ରବେଶକାରୀ, ବିଦେଶୀ ଶତ୍ରୁଙ୍କ ଛାତି ସବୁବେଳେ ଧଡ଼ଧଡ଼।...ଏହାକୁ ଅଧିକ ସୁଦୃଢ଼ କରିବାକୁ ଏବେ ବୃହତ ଯୋଜନା ହୋଇଛି।
ସବୁ ବନ୍ଦରରେ ରହିବେ କୋଷ୍ଟ ଗାର୍ଡ
ପାରାଦୀପରେ କେବଳ କୋଷ୍ଟଗାର୍ଡ ୟୁନିଟ୍ ଥିବା ବେଳେ ଏଣିକି ରାଜ୍ୟର ସବୁ ବନ୍ଦରରେ ରହିବେ କୋଷ୍ଟ ଗାର୍ଡ। ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍ ସହ ଶାଖା ବି ଖୋଲାଯିବ। ଗୁରୁତ୍ବପୂର୍ଣ୍ଣ ଧାମରା ବନ୍ଦରରେ ଡ୍ରୋନ୍ ଓ UAV ୟୁନିଟ୍ ରହିବ। ଯେପରି ଅପରେସନ୍ ସିନ୍ଦୂର ବେଳେ ଭାରତୀୟ ଡ୍ରୋନ୍ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ସେମିତି ସୁରକ୍ଷାର ଏକ ବଡ଼ କବଚ ଭାବେ ଡ୍ରୋନ୍ ଓ UAVକୁ କୋଷ୍ଟଗାର୍ଡ ବି ବ୍ୟବହାର କରିବ ବୋଲି ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକବାଲ୍ ସିଂ ଚୌହାନ୍।
ରାଷ୍ଟ୍ରର ଗୌରବ ଓ ସମୁଦ୍ରର ସୁରକ୍ଷା କବଚ ଭାରତୀୟ କୋଷ୍ଟଗାର୍ଡ ଉପରେ ଏବେ ଦାୟିତ୍ବ ବଢ଼ିଛି। ଗଲା କିଛି ବର୍ଷ ଭିତରେ ସମୁଦ୍ରରେ ମାତିଛନ୍ତି ସ୍ମଗଲର୍। ବିଶେଷ ଭାବେ ବ୍ରାଉନସୁଗାର ଓ କୋଟି କୋଟି ଟଙ୍କା ମୂଲ୍ୟର ଗୁଆକୁ ଅନ୍ୟତ୍ର ଚାଲାଣ ହେଉଛି କିନ୍ତୁ କୋଷ୍ଟଗାର୍ଡ ପାଇଁ ଏସବୁ ପ୍ଲାନ୍ ପାଣିରେ ହିଁ ମାରୁଛି ଫେଲ୍। ତାଛଡ଼ା ସମୁଦ୍ରକୁ ପ୍ରଦୂଷଣରୁ ମୁକ୍ତ କରିବା, ବାତ୍ୟା ପୂର୍ବରୁ ସମୁଦ୍ର ମଝିରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା, ବିରଳ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ପାଇଁ ବି ସଜାଗ କୋଷ୍ଟଗାର୍ଡ। ଏସବୁ ଅପରେସନକୁ ଅଧିକ କ୍ରିୟାଶୀଳ କରିବାକୁ କୋଷ୍ଟାଲ୍ ସର୍ଭେଲାନ୍ସ ନେଟୱାର୍କକୁ ଅଧିକ ସକ୍ରିୟ କରାଯାଉଛି। ଏଥିରେ ରାଡାର୍ ଓ ଅଟାମେଟିକ୍ ଆଇଡେଣ୍ଟିଫାଏ ସିଷ୍ଟମ୍ ଜରିଆରେ ଶତ୍ରୁକୁ ଚିହ୍ନଟ କରିବା ସହଜ ହେବ।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/coast-guard-2025-11-15-20-46-44.jpg)