ଏଥର ପ୍ରତିରକ୍ଷା ସହ MSME ସେକ୍ଟରକୁ ପ୍ରୋତ୍ସାହନ Photograph: (OTV)
ନିର୍ମଳାଙ୍କ ନବମ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ, ଏମଏସଏମଇ ସେକ୍ଟରକୁ ପ୍ରୋତ୍ସାହନ। ସେହିଭଳି ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ କ୍ରୀଡ଼ା ଆଦି କ୍ଷେତ୍ରକୁ ଦିଆଯାଇଛି ଗୁରୁତ୍ୱ। ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଏହାକୁ ବିକଶିତ ଭାରତକୁ ଆଗକୁ ନେବା ପାଇଁ ଆର୍ଥିକ ବ୍ଲୁ ପ୍ରିଣ୍ଟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ନଜର ପକାଇବା, ବଜେଟରେ କେଉଁ ସେକ୍ଟରକୁ ମିଳିଛି କିଭଳି ଗୁରୁତ୍ୱ।
MSME କ୍ଷେତ୍ରକୁ ପ୍ରୋତ୍ସାହନ। ପ୍ରତିରକ୍ଷା ସେକ୍ଟରକୁ ଫୋକସ୍। ଅରେଞ୍ଜ୍ ଇକୋନୋମିକୁ ଆଗକୁ ନେବାର ଚେଷ୍ଟା ଆଉ ବିକଶିତ ଭାରତ ଭିତ୍ତିଭୂମିକୁ ମଜବୁତ କରିବାର ଯୋଜନା। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ରଖିଛନ୍ତି ଦେଶର ବାର୍ଷିକ ଆୟବ୍ୟୟର ହିସାବ। ଏଥର ବଜେଟରେ ଫୋକସରେ ରହିଛି ଶିଳ୍ପ କ୍ଷେତ୍ର।
ଦେଶରେ ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ବଳ ଦେବାକୁ ଏ କ୍ଷେତ୍ର ଲାଗି ୧୦ ହଜାର କୋଟିର ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ। ସେହିଭଳି ଦେଶର ପ୍ରତିରକ୍ଷା ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିବାକୁ ଏ କ୍ଷେତ୍ରକୁ ମିଳିଛି ୭ ଲକ୍ଷ ୮୪ ହଜାର ୬୭୮ କୋଟି। ଯାହାକି ପୂର୍ବବର୍ଷ ତୁଳନାରେ ୧୫ ଦଶମିକ ୧ ପ୍ରତିଶତ ଅଧିକ। ଯେଉଁଥିରେ ରହିଛି ରାଫେଲ୍ ଫାଇଟର୍ ଜେଟ୍, ସବ୍ ମେରାଇନ ଏବଂ UAV ପାଇଁ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ପାଇଁ ବ୍ୟୟ ଅଟକଳ।
ନିର୍ମଳାଙ୍କ ନବମ ବଜେଟରେ ଅରେଞ୍ଜ୍ ଇକୋନୋମିକୁ ମିଳିଛି ଅଧିକ ଗୁରୁତ୍ବ। ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ, ଗେମିଙ୍ଗମ, ଓ କମିକ୍ସ ବା AVGC କ୍ଷେତ୍ରର ଅଭିବୃଦ୍ଧିର ଯୋଜନା ହୋଇଛି। ୨୦୩୦ ସୁଦ୍ଧା ଏ କ୍ଷେତ୍ରରେ ୨୦ ଲକ୍ଷ ପ୍ରଫେସନାଲଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖାଯାଇ ମିଳିଛି ବଡ଼ ପ୍ରୋତ୍ସାହନ। ସରକାର IICT ମୁମ୍ବାଇକୁ ପ୍ରୋତ୍ସାହନ ଦେବା ସହ ସ୍କୁଲ୍/କଲେଜରେ କଣ୍ଟେଣ୍ଟ୍ କ୍ରିଏଟର୍ ଲ୍ୟାବ୍ ପରିକଳ୍ପନା କରିଛନ୍ତି। ୧୫ ଶହ ସେକେଣ୍ଡାରୀ ସ୍କୁଲ୍, ୫ ଶହ କଲେଜରେ AVGC ୟୁନିଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି।
ଦେଶର ଯୋଗାଯୋଗ ବ୍ୟବସ୍ଥାକୁ ଆଉ ପାଦେ ଆଗକୁ ନେବାକୁ ବଜେଟରେ ଘୋଷଣା ହୋଇଛି ୭ ହାଇସ୍ପିଡ୍ ରେଲୱେ କରିଡର। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ଓ ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।
ଛୋଟ ସହରରେ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାକୁ ବଜେଟରେ ହୋଇଛି ବଡ଼ ଯୋଜନା। ଛୋଟ ଛୋଟ ସହର ବିଶେଷକରି ୫ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନାରେ ଖର୍ଚ୍ଚ ହେବ ୧୨ ଲକ୍ଷ କୋଟି ଟଙ୍କା। ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ବିଶେଷ ଗୁରୁତ୍ବ ସହ ଭାରତକୁ ବାୟୋଫାର୍ମା ହବ୍ କରିବାକୁ ଯୋଜନା ହୋଇଛି।
ବାୟୋଫାର୍ମା ଉଦ୍ୟୋଗ ଲାଗି ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ନିବେଶ ପ୍ରସ୍ତାବ ରହିଛି। ଔଷଧ କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଦେଶରେ ଖୋଲିବ ଆଉ ୩ ନୂଆ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥା। ସେହିଭଳି ଆୟୁଷ ଫାର୍ମାସିସର ଅପଗ୍ରେଡ୍ ସହ ଜାମନଗରରେ WHO ଔଷଧ କେନ୍ଦ୍ରର ଅପଗ୍ରେଡ୍ କରିବାକୁ ଯୋଜନା କରାଯାଇଛି।
ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ପରିବ୍ୟାପ୍ତ ଉଦ୍ଦେଶ୍ୟରେ ବଜେଟରେ ଘୋଷଣା ହୋଇଛି ଖେଲୋ ଇଣ୍ଡିଆ ମିଶନ୍। ଆଗାମୀ ୧୦ ବର୍ଷ ଭିତରେ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର, ଜାତୀୟ ସ୍ତରର ପ୍ରତିଯୋଗିତା ଓ ପ୍ରତିଭାଙ୍କୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧୀ ପାଇଁ କ୍ରୀଡ଼ାବିତ ପ୍ରସ୍ତୁତ କରିବାକୁ ବଜେଟରେ ପ୍ରସ୍ତାବ ରହିଛି।
ବଜେଟରେ ପର୍ଯ୍ୟଟନ କ୍ଷେତ୍ର ଲାଗି ହୋଇଛି ବଡ଼ ଘୋଷଣା। ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଟାଣିବାକୁ ଦେଶର ଛୋଟ ଛୋଟ ସହରର ୧୫ ତୀର୍ଥସ୍ଥଳକୁ ବିକଶିତ କରିବାକୁ ନୀଳନକ୍ସା ପ୍ରସ୍ତୁତ ହୋଇଛି। ୨୦ଟି ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ହାଇବ୍ରିଡ୍ ମୋଡରେ IIM ସହଭାଗିତାରେ ୧୨ ସପ୍ତାହର ଟ୍ରେନିଂ ଦିଆଯାଇ, ସେମାନଙ୍କ ଦକ୍ଷତା ବିକାଶ କରାଯିବ।
ନିର୍ମଳାଙ୍କ ବଜେଟରେ ମହିଳାଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ। କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ରହିବା ଲାଗି ଦେଶରେ ପ୍ରତି ଜିଲ୍ଲାରେ ନିର୍ମାଣ ହେବ ଛାତ୍ରାବାସ। ଦେଶରେ ପ୍ରାୟ ୮୦୦ ଛାତ୍ରାବାସ ଖୋଲିବାକୁ ଘୋଷଣା ହୋଇଛି। ସେହିଭଳି ଗ୍ରାମୀଣ ମହିଳାଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହୋଇଛି 'She MARTS' ଯୋଜନା। ଯେଉଁଥିରେ କମ୍ୟୁନିଟି ଖୁଚୁରା ଦୋକାନ ଖୋଲି ନିଜର ଉତ୍ପାଦ ବିକିପାରିବେ ଗାଁର ମହିଳା ଉଦ୍ୟୋଗୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/budget-2026-27-focuses-on-msmes-2026-02-01-19-22-52.jpg)