Maoist Photograph: (OTV)
ବେଆଇନ ଘୋଷିତ ସଂଗଠନର ଜଣେ ଅଣ୍ଡରଗ୍ରାଉଣ୍ଡ ୱାର୍କର ଭାବେ କାମ କରିଥିବା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସିପିଆଇ (ମାଓବାଦୀ) ଏକ ବିଫଳ ପରୀକ୍ଷଣ ବୋଲି ପ୍ରମାଣିତ ହୋଇଛି। ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ପରିହାର କରିବା ଏକମାତ୍ର ବାଟ । ସିପିଆଇ (ମାଓବାଦୀ)ର ଜଣେ ପୂର୍ବତନ କେନ୍ଦ୍ରୀୟ କମିଟି ସଦସ୍ୟ ୭୦ ବର୍ଷୀୟ ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁ ଗତ ଅକ୍ଟୋବରରେ ମହାରାଷ୍ଟ୍ରର ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ ।
ଆତ୍ମସମର୍ପଣ ସମୟରେ ତାଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ଗଣମାଧ୍ୟମକୁ ସେ ଖୋଲାଖୋଲି କହିଛନ୍ତି ଯେ ସିପିଆଇ (ମାଓବାଦୀ) ସାଧାରଣ ସମ୍ପାଦକ ନାମବାଲା କେଶବ ରାଓ ଓରଫ ବାସବରାଜୁ ଗତ ମେ ମାସରେ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ । ତେବେ ତା ପୂର୍ବରୁ ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସଶସ୍ତ୍ର ସଂଘର୍ଷକୁ ମାଓବାଦୀମାନେ ସାମୟିକ ଭାବେ ବନ୍ଦ କରିବା ଉଚିତ । ଏହା ଏକମାତ୍ର ଉପାୟ ବୋଲି ସେ ମତ ଦେଇଥିଲେ।
ସେ କହିଛନ୍ତି, ମୁଁ ୧୯୮୦ ରେ ସିପିଆଇ (ମାଓବାଦୀ)ରେ ସଦସ୍ୟ ହେବା ପରଠାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଛି । ତେବେ ଗତ ଅକ୍ଟୋବର ୧୩ ତାରିଖରେ ମୁଁ ଆତ୍ମସମର୍ପଣ କଲି । ମୁଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ମାଓ ଆନ୍ଦୋଳନ ସହ ସାମିଲ ଥିଲି । ସେବେଠାରୁ ଗତ୧୪ ଅକ୍ଟୋବରରେ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ, ମୁଁ ସିପିଆଇ (ମାଓବାଦୀ)ର ସଦସ୍ୟ ଭାବରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲି। ମୋର ଜୀବନ ସେହି ଲୋକମାନଙ୍କ ଜୀବନ ସହିତ ଜଡିତ ଥିଲା ଯେଉଁମାନେ 'ଅସଭ୍ୟ' ବୋଲି ବିବେଚିତ ହୋଇଥିଲେ, ଯେଉଁମାନେ ସମାଜରୁ ଦୂରେଇ ଯାଇଥିବା ପରି ମନେ ହେଉଥିଲେ ।
ଜନଜାତିଙ୍କ ପ୍ରତି ବନ ବିଭାଗର ଅତ୍ୟାଚାର କଠୋର ଥିଲା। ସେମାନଙ୍କର ଯଥେଷ୍ଟ ଖାଦ୍ୟ... ପୋଷାକ... ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିନଥିଲା। ଆମେ ଏକ ବିଚାରଧାରାକୁ ନେଇ ଲଢ଼େଇ କରୁଥିଲୁ । ମୁଁ ସଂଘର୍ଷରେ ବିଶ୍ୱାସ କରୁଥିଲି । କେବେ ଆତ୍ମସମର୍ପଣ କରିବାକୁ ଭାବି ନଥିଲି। କିନ୍ତୁ ଆମ ଦଳ ସିପିଆଇ ମାଓବାଦୀ ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ଆମର ବିଚାରଧାରା ଏବଂ ଅଭ୍ୟାସକୁ ସମୃଦ୍ଧ କରିବାରେ ବିଫଳ ହୋଇଥିଲା।
ଆଉ ସେ ସମୟ ନାହିଁ
ଏବେ କିନ୍ତୁ ୮୦ ଦଶକର ସେ ସମୟ ଆଉ ନାହିଁ । ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସେ କହିଛନ୍ତି, ଆନ୍ଦୋଳନ ଦୁର୍ବଳ ହେବା ଏବଂ ଲୋକ ବିଶେଷ କରି ଜନଜାତିଙ୍କ ଆଶା ଏବଂ ବିଶ୍ୱାସ କମିବା ପରେ ମାଓବାଦୀ ସଂଗଠନ କ୍ଷତି ଉପରେ କ୍ଷତିର ସମ୍ମୁଖୀନ ହେଲା । ତେଣୁ ଆମେ ଅନୁଭବ କଲୁ ଯେ ସଶସ୍ତ୍ର ସଂଘର୍ଷରେ ଜିଦ୍ ଧରି ରହିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। କମ୍ରେଡ୍ ବାସବରାଜଙ୍କ ମତ ମଧ୍ୟ ସେୟା ଥିଲା । କିନ୍ତୁ ପୋଲିସ ଏନକାଉଣ୍ଟରରେ ଗତ ମେ ମାସରେ ସେ ପ୍ରାଣ ହରାଇଥିଲେ ।
ସୋନୁ କହିଛନ୍ତି ତାଙ୍କ ନିଜ ବଡ଼ ଭାଇ ତଥା ଟପ୍ ମାଓନେତା ମଲ୍ଲୋଜୁଲା କୋଟେଶ୍ୱର ରାଓ ଓରଫ କିଶେନଜୀଙ୍କୁ ପୋଲିସ ହତ୍ୟା କରିଥିଲା । ସେତେବେଳେ ବି ମୁଁ ଆତ୍ମସମର୍ପଣ କଥା ଭାବି ନଥିଲି। ତଥାପି, ସେତେବେଳକୁ, ମୁଁ ଦଳର କିଛି ମୌଳିକ ଭୁଲ ବୁଝିପାରିଥିଲି। ମୁଁ ସେଗୁଡ଼ିକୁ ସଂଶୋଧନ କରିବା ପାଇଁ ସିସି (Central Committee) ଏବଂ ପଲିଟବ୍ୟୁରୋର ସଦସ୍ୟ ଭାବରେ କାମ କରିବାକୁ ଚାହୁଁଥିଲି। ମୁଁ 2020 ମସିହାରେ ସିସି ସମ୍ମୁଖରେ ମୋର ମତାମତ ଉପସ୍ଥାପନ କରିଥିଲି। ସିସି ସର୍ବସମ୍ମତିକ୍ରମେ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲା। ପରେ ସିସି ଏହା ବୁଝି ସଂଶୋଧନ କଲାବେଳକୁ ନେଡି ଗୁଡ଼ କହୁଣୀକୁ ବୋହିଯାଇଥିଲା ।
ବହୁ ବର୍ଷ ଧରି ଦେଶର କୌଣସି ରାଜ୍ୟରେ ମାଓ ଆନ୍ଦୋଳନ ଆଗକୁ ବଢ଼ି ନଥିଲା। ଅପେକ୍ଷାକୃତ ଭାବରେ ଦୃଢ଼ ଦଣ୍ଡକାରଣ୍ୟରେ ମଧ୍ୟ ଆନ୍ଦୋଳନ ୨୦୨୦ ସୁଦ୍ଧା ଦୁର୍ବଳ ହୋଇଯାଇଥିଲା। ଏପରି ପରିସ୍ଥିତିରେ ଆମ ପାଖରେ ଥିବା ଫୋର୍ସଙ୍କୁ ସୁରକ୍ଷିତ ରଖି ଅନ୍ୟ ଏକ ରୂପରେ ଆନ୍ଦୋଳନ ଜାରି ରଖିବା ଚାଲେଞ୍ଜ୍ ହୋଇଗଲା।
ସଂଶୋଧନର ରାସ୍ତା ବନ୍ଦ
ମୁଁ କେବେ ମୋର ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଭୟ କରିନଥିଲି ବରଂ ଦଳର ସୁରକ୍ଷାକୁ ନେଇ ଚିନ୍ତିତ ଥିଲି ବୋଲି କହିଛନ୍ତି ସୋନୁ । ଭାରତରେ ମାଓବାଦୀଙ୍କ ସଶସ୍ତ୍ର ଆନ୍ଦୋଳନ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ପହଞ୍ଚିଛି । ଏହାକୁ ସଂଶୋଧନ କରିବାର ସମସ୍ତ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି ଏବଂ ଏହାର ସଦସ୍ୟମାନଙ୍କୁ ସୁରକ୍ଷା ଦେବାର କୌଣସି ସୁଯୋଗ ନାହିଁ । ଏହା ସହ କହିଛନ୍ତି ଯେ ଯଦି ମୁଁ ନିଜ ଜୀବନ ପାଇଁ ଭୟରେ ଏହି ନିଷ୍ପତ୍ତି ନେଇଥାନ୍ତି, ତେବେ ମୁଁ ଏହାର ବହୁତ ପୂର୍ବରୁ ସରେଣ୍ଡର କରିଥାନ୍ତି।
ସେ ପୁଣି କହିଛନ୍ତି, ଯେଉଁମାନେ ମୋତେ ଦେଶଦ୍ରୋହୀ କହୁଛନ୍ତି ସେମାନେ ସୂର୍ଯ୍ୟଙ୍କୁ ଦେଖୁନାହାନ୍ତି। ସେମାନେ କେବଳ ସୂର୍ଯ୍ୟ ଆଡ଼କୁ ଇଙ୍ଗିତ କରୁଥିବା ଆଙ୍ଗୁଠିଗୁଡ଼ିକୁ ଦେଖୁଛନ୍ତି। ସେମାନେ ବିପ୍ଳବୀ ଆନ୍ଦୋଳନକୁ ଆଦୌ ବୁଝି ନାହାନ୍ତି।
ପ୍ରାୟ ୫୦ ବର୍ଷ ଧରି ବଣଜଙ୍ଗଲରେ ଜୀବନ ବିତାଇଥିବା ସୋନୁ ତାଙ୍କ ଜୀବନସାଥିଙ୍କୁ ମଧ୍ୟ ଏହି ଆନ୍ଦୋଳନରୁ ବାଛିଥିଲେ । ହେଲେ ଆତ୍ମସମର୍ପଣ ପରେ ଦୁଇଜଣଯାକ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଛନ୍ତି । ଲୋକଙ୍କ ଭିତରେ ରହିବାକୁ ଚାହୁଁଛନ୍ତି । ଏବେ ଆଦର୍ଶବାଦର କଥା କହି ଜଙ୍ଗଲରେ ବୁଲୁଥିବା ସାଥୀମାନଙ୍କୁ ସେ ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଆହ୍ୱାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/maoist-2025-12-04-15-26-21.jpg)