ବିଜୟ Photograph: (OTV)
ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା। ଏଥିରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଥିବା ସୂଚନା ମିଳିଛି। ତାମିଲନାଡୁ କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା।
ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ। କରୁର୍ ରେ TVK ଦଳର ପ୍ରଥମ ମାସିକ ରାଲି ଆୟୋଜିତ ହୋଇଥିଲା। ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା। ବିଜୟ ଉଦବୋଧନ ଦେବା ବେଳେ ଦଳାଚକଟା ହୋଇଥିଲା। ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି। ଗତକାଲିର ରାଲିରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବା ଅଭିଯୋଗ ହେଉଛି। ତେବେ କେଉଁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ. କେ ଷ୍ଟାଲିନ୍। ଆହତଙ୍କ ପାଇଁ ଚିକିତ୍ସା ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସଚିବାଳୟ ଆସି ଜରୁରୀ ବୈଠକ କରିଥିଲେ।
ସେହିପରି ତାମିଲନାଡୁ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କରୁରରେ ବିଜୟ ଥାଲାପତିଙ୍କ ରାଲିରେ ଅଘଟଣ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଦଳାଚକଟା ଘଟଣା ତାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି ବୋଲି କହିଛନ୍ତି। ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଘଟଣାର ଦୁଃଖକୁ ସେ ବୟାନ କରି ପାରୁନାହାନ୍ତି ବୋଲି କହିଛନ୍ତି। ଆହତ ହୋଇଥିବା ଲୋକଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
କୁହାଯାଉଛି ଗତକାଲି ସଂଧ୍ୟା ସାଢେ ୭ଟା ସମୟରେ ଦଳାଚକଟା ଆରମ୍ଭ ହୋଇଥିଲା। ବିଜୟ ଭାଷଣ ଦେବା ସମୟରେ ହିଁ ଅଚାନକ ବିଦ୍ୟୁତ ସଂଯୋଗ କଟିଯାଇଥିଲା। ପୂରା ଅଞ୍ଚଳ ଅନ୍ଧାର ହୋଇଯାଇଥିଲା। ହଠାତ ଆରମ୍ଭ ହୋଇଯାଇଥିଲା ଦଳାଚକଟା । ରାଲିରେ ଯୋଗଦେବା ପାଇଁ ପୋଲିସ ୩୦ ହଜାର ଲୋକଙ୍କୁ ଅନୁମତି ଦେଇଥିବା ବେଳେ ୬୦ ହଜାର ଲୋକ ପହଞ୍ଚିଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ନିର୍ଦ୍ଦେଶ କ୍ରମେ ଆହତଙ୍କୁ ମେଡିକାଲରେ ଯାଇ ଭେଟିଥିଲେ ମନ୍ତ୍ରୀ ଅନବିଲ୍ ମେହଶ। ଆହତଙ୍କ ଚିକିତ୍ସାର ତଦାରଖ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/vijay-2025-09-28-08-18-46.jpg)