ନୂଆଦିଲ୍ଲୀ: ସ୍ୱାର୍ଥପର ଏଇ ଦୁନିଆରେ ମୃତ୍ୟୁ କେତେବେଳେ ଯେ ଆସିଯିବ, ତାହା କାହାକୁ ବି ଜଣାନାହିଁ। ଅଜବ ଏ ଦୁନିଆ। ଏଠି ହୁଏତ କିଏ ଜୀବିତ ଥିବାବେଳେ ଚର୍ଚ୍ଚାର ପରିସରକୁ ଆସିଯାଏ ତ ଆଉ କିଏ ମୃତ୍ୟୁ ପରେ ଚର୍ଚ୍ଚିତ ହୋଇଯାଏ। ଏହିପରି ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ପରିସରକୁ ଆସିଛି।
ଏହି ଭିଡିଓଟି ଆସାମର ଜଣେ ବାଳକର ହୋଇଥିବା ଜଣାପଡ଼ିଛି। ବାଳକ ଜଣକ ହେଉଛନ୍ତି ୧୭ବର୍ଷୀୟ ଋଷବ ଦତ୍ତ। ଦୁଇବର୍ଷ ତଳେ ସେ ଏକ ଆପ୍ଲାଷ୍ଟିକ ଆନେମିଆ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ। ଜୀବନ ଯୁଦ୍ଧରେ ହାରିଯାଇ ଜୁଲାଇ ୯ତାରିଖରେ ସେ ମୃତ୍ୟୁବରଣ କରିଛନ୍ତି।
ଭିଡିଓଟିରେ ତାଙ୍କୁ ଗିଟାର୍ ସାହାର୍ଯ୍ୟରେ 'ଚନ୍ନା ମେରେୟା' ଗୀତ ଗାଉଥିବାର ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଭିଡିଓରେ ତାଙ୍କୁ ୨୦୧୩ର ସୁପରହିଟ୍ ଫିଲ୍ମ 'ୟେ ଜୱାନୀ ହେ ଦିୱାନୀ'ର ଗୀତ 'କବୀରା' ଗାଉଥିବାର ଦେଖିବାକୁ ମିଳିଛି। ଋଷଭ ଯେଉଁଭଳି ଢଙ୍ଗରେ ଏହି ଦୁଇଟି ଗୀତକୁ ଗାନ କରିଛନ୍ତି, ସେଥିରେ ମନ୍ତ୍ରମୁଗ୍ଧ ହୋଇଛନ୍ତି ଲୋକେ। ଭିଡିଓଟିରେ ସେ ଡାକ୍ତରଖାନାର ବେଡ୍ ଉପରେ ବସି ଗୀତଟିକୁ ଗାଇଥିବାବେଳେ ଏହାକୁ କର୍ମଚାରୀମାନେ ଶୁଟିଂ କରୁଥିବାର ଦେଖିବାକୁ ମିଳିଛି।
ଭିଡିଓଟିକୁ ଜଣେ ମନଜିତ୍ ଗୋଗୋଇ ନାମକ ଫେସବୁକ ୟୁଜର ଅପଲୋଡ କରିଛନ୍ତି। ତେବେ ଅପଲୋଡ୍ ହେବାର କିଛି ସମୟ ପରେ ହଜାର ହଜାର ଦର୍ଶକ ଏହାକୁ ଲାଇକ୍ କରିବା ସହ ତାଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଋଷଭ ତାଙ୍କର ମେଲୋଡ଼ିଅସ ସ୍ୱର ପାଇଁ ୨୦୧୯ରେ ଥରେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ।