guest
ମୁମ୍ବାଇ : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ଅନେକ ଅଭୂତ ପୂର୍ବ ଘଟଣା ଘଟିଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ବାଲା ସାହେବ ଠାକରେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ସେ ପୂରଣ କରିଛନ୍ତି।
ଏହାବାଦ ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଆଜି ଶପଥ ପାଠ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜେପିର ଘନିଷ୍ଠ ସମର୍ଥକ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କୁ ଆଜି ଶିବାଜୀ ପାର୍କରେ ଅନୁଷ୍ଠିତ ଉଦ୍ଧବଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।
ଶିବସେନା ସହଯୋଗର ବିଜେପିକୁ ବାଏବାଏ କହି ବିରୋଧୀ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲେ ହେଁ ଅମ୍ବାନୀ ପରିବାର ଉଦ୍ଧବଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ଆସି ସମସ୍ତଙ୍କୁ ଚକିତ କରିଥିଲେ।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଉଦ୍ଧବଙ୍କ ସମ୍ପର୍କୀୟ ଭାଇ ତଥା ତାଙ୍କ ସହ ବିଦ୍ରୋହ ଘୋଷଣା କରିଥିବା ରାଜ ଠାକରେ ମଧ୍ୟ ଯୋଗଦେଇଥିଲେ। ବାଲା ସାହେବ ଠାକରେ ଶିବସେନାର ସୁପ୍ରିମୋ ପଦ ଉଦ୍ଧବଙ୍କୁ ଦେବା ପରେ ରାଜ ଠାକରେ ବିଦ୍ରୋହ ଘୋଷଣା କରି ଦଳରୁ ଅଲଗା ହୋଇ ଯାଇଥିଲେ। ହେଲେ ଆଜି ତାଙ୍କୁ ଶିବାଜୀ ପାର୍କରେ ଦେଖି ଶିବ ସୈନିକ କରତାଳି ସହ ନାରାବାଜି ସହ ସ୍ୱାଗତ କରିଥିଲେ।
ବିଜେପି ନେତା ତଥା ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଇଥିବା ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଉଦ୍ଧବଙ୍କ ଶପଥ ପାଠ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।
ବିରୋଧୀ ନେତା ଓ ସେମାନଙ୍କ ସହଯୋଗୀ ଆସିଥିଲେ ହେଁ ଉଦ୍ଧବଙ୍କ ସହ ମିଶି ସରକାର ଗଠନ କରିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶପଥ ପାଠ ଉତ୍ସବରେ ଅନୁପସ୍ଥିତ ରହିଛନ୍ତି।
ଉଦ୍ଧବ ଠାକରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶପଥ ପାଠ କାର୍ଯ୍ୟକ୍ରମକୁ ଡାକିଥିଲେ। ହେଲେ ସେ ଏହି ନିମନ୍ତ୍ରଣରେ ସହମତି ପ୍ରକାଶ କରିନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡିସେମ୍ବର ୧ରେ ଶପଥ ପାଠ ଉତ୍ସବରେ ଯୋଗଦେବେ ବୋଲି କହିଥିଲେ। ହେଲେ ତୁରନ୍ତ ଶପଥ ପାଠର କାର୍ଯ୍ୟସୂଚୀ ବଦଳିବାରୁ ସେ ଆସି ପାରିନାହାନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିମନ୍ତ୍ରଣ ପାଇ ଏଠାକୁ ଆସି ନାହାନ୍ତି। ତେବେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ଓ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ଶପଥ ପାଠ ଉତ୍ସବରେ ସାମିଲ ରହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/guest_1626686293.jpg)