muharam
ନୂଆଦିଲ୍ଲୀ: ମୁସଲିମମାନଙ୍କ ପର୍ବ ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି। ସୁପ୍ରିମ୍ କୋର୍ଟ ଆଜି ଦେଶରେ ମହରମ୍ ଶୋଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ଶିହା ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବା ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ମହରମ୍ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। କରୋନା ମହାମାରୀକୁ ଆଖି ଆଗରେ ରଖି ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି, ଯଦି ଆମେ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଦେବୁ, ତାହେଲେ ଏହାଦ୍ୱାରା ଦେଶରେ ଅଜାରକତା ସୃଷ୍ଟି ହେବ ଓ ପୁଣିଥରେ କୌଣସି ବିଶେଷ ସମ୍ପ୍ରଦାୟକୁ କରୋନା ବ୍ୟାପିବା ନାଁରେ ଟାର୍ଗେଟ୍ କରାଯିବ, ଯାହା ସୁପ୍ରିମ୍ କୋର୍ଟ କେବେ ଚାହିଁବେ ନାହିଁ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ନିର୍ଦ୍ଦେଶ ଦେଇପାରିବୁ ନାହିଁ। ମହରମ୍ ଶୋଭାଯାତ୍ରା ପାଇଁ କୌଣସି ଗୋଟିଏ ସ୍ଥାନ ଚିହ୍ନଟ ହୋଇନଥାଏ। ଏହା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ।
ଏହାସହ କୋର୍ଟ ପୁରୀ ରଥଯାତ୍ରା ପାଇଁ କାହିଁକି ଅନୁମତି ଦେଲେ ତାହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଶିହା ଧର୍ମଗୁରୁ ମୌଲାନା କଲବେ ଜୱାଦଙ୍କ ଓକିଲ ପୁରୀ ରଥାଯାତ୍ରାକୁ କିପରି ଅନୁମତି ମିଳିଲା, ତାହା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ସୁପ୍ରିମ୍ କୋର୍ଟ କହିଛନ୍ତି, ଆପଣ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବାକୁ ଅନୁମତି ମାଗୁଛନ୍ତି। କିନ୍ତୁ ଜଗନ୍ନାଥଙ୍କ ପୁରୀ ରଥଯାତ୍ରା ଏକ ସ୍ୱତନ୍ତ୍ର ବା ସୀମିତ ସ୍ଥାନ ଭିତରେ ଆୟୋଜିତ ହୋଇଥାଏ, ଯେଉଁଠାରେ ରଥ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ। ଯଦି କୌଣସି ଗୋଟିଏ ସ୍ଥାନ କଥା ହୋଇଥାନ୍ତା, ତାହେଲେ ଆମେ ବିପଦର ଆକଳନ କରି ନିର୍ଦ୍ଦେଶ ଦେଇପାରିଥାନ୍ତୁ।
ଆବେଦନକାରୀ ଓକିଲ ଅଜିମ କହିଥିଲେ ଅଧିକାଂଶ ଶିହା ସଂପ୍ରଦାୟର ଲୋକ ପ୍ରଫେଟଙ୍କ ନାତି ହୁସେନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ହତ୍ୟାକାଣ୍ଡ ଘଟଣାକୁ ମନେପକାଇ ମହରମ ଶୋଭାଯାତ୍ରା କରନ୍ତି। କରବଳା ଯୁଦ୍ଧରେ ଏଭଳି ଘଟଣା ଘଟିଥିଲା। ଲକ୍ଷ୍ନୌରେ ହିଁ ଅଧିକ ସଂଖ୍ୟାକ ଶିହା ବସବାସ କରନ୍ତି। ତେଣୁ ଏଠାରେ ଶନିବାର ମହରମ ଶୋଭାଯାତ୍ରା ଆୟୋଜନ କରାଯିବ। ଏହାପରେ କୋର୍ଟ ଏ ସଂକ୍ରାନ୍ତରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି, “ଆମେ ଜାଣିନୁ ଏବେ ଲକ୍ଷ୍ନୌରେ ସ୍ଥିତି କ’ଣ ରହିଛି। ଆପଣ ହାଇକୋର୍ଟରେ ଆବେଦନ କରି ଅନୁମତି ମାଗି ପାରିବେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/muharam_1625387493.jpg)