Capture
କ୍ୱାଲାଲାମପୁର: ମାଲେସିଆର ବୈଜ୍ଞାନିକମାନେ ଏକ ନୂତନ କରୋନା ଭାଇରସ୍ ଚିହ୍ନଟ କରିଛନ୍ତି । କୁହାଯାଉଛି ଯେ, ଏହି ନୂଆ ଭାଇରସ୍ କୁକୁର ମାନଙ୍କଠାରୁ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ବହୁ ବର୍ଷ ପୂର୍ବେ ଏହି ରୋଗରେ କିଛି ଲୋକ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ବୈଜ୍ଞାନିକଙ୍କ କହିବାନୁଯାୟୀ ଯଦି ଏହା ସ୍ପଷ୍ଟ ହୁଏ, ତେବେ ଏହା ଅଷ୍ଟମ ଭୂତାଣୁ ହେବ ଯାହା ପଶୁମାନଙ୍କଠାରୁ ମଣିଷମାନଙ୍କ ପାଖକୁ ଆସିଛି । ଆହୁରି ମଧ୍ୟ, ମଣିଷର ସବୁଠୁ ଭଲ ବନ୍ଧୁ କୁହାଯାଉଥିବା କୁକୁରଠାରୁ ଆସିଥିବା ଏହା ପ୍ରଥମ ଭାଇରସ୍ ।
କୁକୁରଠାରୁ ମଣିଷ ପାଖକୁ କରୋନା ଭାଇରସ୍ ଆସିବା କଥା ଏମିତି ଏକ ସମୟରେ ଆସିଲା, ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀରେ ଛନ୍ଦି ହୋଇ ରହିଛି । ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଆହୁରି ଅନେକ ଭାଇରସ୍ ରହିଛି ଯାହା ଏପର୍ଯ୍ୟନ୍ତ ତାଙ୍କୁ ଜଣାନାହିଁ । ଗତ ୨୦ ବର୍ଷ ଧରି ଭାଇରସ୍ ଉପରେ ରିସର୍ଚ୍ଚ କରୁଥିବା ଡାକ୍ତର ଗ୍ରେଗୋରୀ ଗ୍ରେ ତାଙ୍କର ଛାତ୍ରମାନଙ୍କୁ କରୋନା ଭୂତାଣୁକୁ ନେଇ ରିସର୍ଚ୍ଚ କରି ଏକ ଶକ୍ତିଶାଳୀ ପରୀକ୍ଷଣ ଉପକରଣ ତିଆରି କରିବାକୁ ଦାୟିତ୍ୱ ଦେଇଥିଲେ ।
ଏହାପରେ ସେମାନେ ଏମିତି ଏକ ଉପକରଣ ତିଆରି କଲେ ଯାହା, ଅନ୍ୟ କରୋନା ଜୀବାଣୁର ପ୍ରମାଣ ମଧ୍ୟ ଖୋଜିବାରେ ସହାୟକ ହେବ । ଏହି ଉପକରଣ ସାହାଯ୍ୟରେ, ଯେତେବେଳେ ଗତ ବର୍ଷ ଅନେକ ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ କୁକୁରମାନଙ୍କ ସହିତ ଏହି ଭାଇରସ୍ର ଲିଙ୍କ୍ ଥିବା ଜଣାପଡ଼ିଥିଲା । ଏହି ନମୁନା ମାଲେସିଆର ସାରୱେକସ୍ଥିତ ଏକ ଡାକ୍ତରଖାନାର କିଛି ରୋଗୀଙ୍କଠାରୁ ଅଣାଯାଇଥିଲା ।
ଏହି ଲୋକଙ୍କଠାରେ ୨୦୧୭ ଏବଂ ୨୦୧୮ରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥିଲା । ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ଛୋଟ ଛୁଆ ରହିଛନ୍ତି । ନୂତନ ଉପକରଣ ବ୍ୟବହାର କରି, ଗ୍ରେଗୋରୀଙ୍କ ଟିମ୍ ୩୦୧ ଟି ନମୁନା ମଧ୍ୟରୁ ୮ଟି ଏମିତି ଫଳାଫଳ ପାଇଥିଲେ, ଯାହା ଏକ କୁକୁରଠାରୁ ଆସିଥିବା କରୋନା ଭାଇରସ୍ ବୋଲି ଜଣାପଡ଼ିଥିଲା । ଗ୍ରେଗୋରୀ କହିଛନ୍ତି ଯେ, ଏହି ରୋଗୀଙ୍କ ଭିତରେ କରୋନା ଭାଇରସ୍ ବହୁତ ଅଧିକ ମାତ୍ରାରେ ରହିଛି । ସେ ଆହୁରି କହିଛନ୍ତି ଏଭଳି ଫଳାଫଳ ଅତ୍ୟନ୍ତ ଉଲ୍ଲେଖନୀୟ । ଏହି ଟିମ୍ ସେମାନଙ୍କର ଫଳାଫଳକୁ ସ୍ପଷ୍ଟ କରିବା ପାଇଁ ଆମେରିକାର ଓହିଓ ଷ୍ଟେଟ୍ ୟୁନିଭରସିଟିର ବିଶିଷ୍ଟ ଭାଇରୋଲୋଜିଷ୍ଟ୍ ଅନସ୍ତାସିଆ ବୋଲାସୋୱାଙ୍କ ପାଖକୁ ପଠାଇଛନ୍ତି ।
ଅନସ୍ତାସିଆ କହିଛନ୍ତି ଯେ, କୁକୁରଠାରୁ ମଣିଷମାନଙ୍କୁ କରୋନା ଭାଇରସ ବ୍ୟାପିବା କଥା ପୂର୍ବରୁ କେବେ ଚିନ୍ତା କରାଯାଇ ନଥିଲା । ଏହା ପୂର୍ବରୁ କେବେ ମଧ୍ୟ ଏପରି ମାମଲା ସାମ୍ନାକୁ ଆସି ନଥିଲା । ତେବେ ଅନସ୍ତାସିଆ ଯେତେବେଳେ ଏହାର ଯାଞ୍ଚ କଲେ ସେତେବେଳେ ସେ ଗ୍ରୋଗରୀଙ୍କ ଟିମ୍ ଦେଇଥିବା ରିପୋର୍ଟ ସହ ସହମତ ହେଲେ । ସେ କହିଲେ ପରୀକ୍ଷାରୁ ଜଣାପଡ଼ିଛି ଯେ, ଅଧିକାଂଶ ଜିନୋମ କୁକୁର ମାନଙ୍କଠାରୁ ଆସିଥିବା ସ୍ପଷ୍ଟ ।
ତେବେ ସବୁଠାରୁ ବଡ଼ କଥା ହେଉଛି ଗ୍ରେଗୋରୀ କହିଛନ୍ତି, ମାଲେସିଆରେ କୁକୁରଠାରୁ ବ୍ୟାପିଥିବା କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ ସୁସ୍ଥ ହୋଇସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-22_1622125086.jpg)