Advertisment

ଶିବସେନା ମୁଖ୍ୟ ଉଦ୍ଧବ ଥାକରେ ହେବେ ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍‌ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ […]

ଶିବସେନା ମୁଖ୍ୟ ଉଦ୍ଧବ ଥାକରେ ହେବେ ମୁଖ୍ୟମନ୍ତ୍ରୀ !

Uddhav-thackeray1

Advertisment

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍‌ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ ଏକାଠି ହୋଇଥିଲେ। ତେବେ ଏଥିରେ ଯଦିଓ ପ୍ରାୟ ସବୁ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି, ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ।

Advertisment

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବାଲ୍ ଠାକ୍‌ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ରହିଥିବା ଚର୍ଚ୍ଚା ସତ ପ୍ରମାଣିତ ହୋଇଛି। ଖୋଦ୍‌ ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଉଭୟ କଂଗ୍ରେସ ଏବଂ ଏନ୍‌ସିପି ଚାହୁଁଛନ୍ତି ଉଦ୍ଧବ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଏହାପରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି, ଉଦ୍ଧବ ମଧ୍ୟ କଂଗ୍ରେସ-ଏନ୍‌ସିପିର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି।

ଆଜି ଗଣମାଧ୍ୟମକୁ ଶରଦ କହିଥିଲେ, “ଆଲୋଚନା କାଲି ମଧ୍ୟ ଜାରି ରହିବ। ଅନ୍ୟପକ୍ଷରେ ୩ ଦଳ ସହମତି ପ୍ରକାଶ କରିଛନ୍ତି ଉଦ୍ଧବ ହିଁ ନୂଆ ସରକାରର ନେତୃତ୍ୱ ନେବେ। ଆମେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବାର ଅଛି। ଏହାପରେ ଆମେ ରାଜ୍ୟପାଳଙ୍କ ନିକଟରେ କେବେ ସରକାର ଗଠନ ଦାବି କରିବୁ ସେନେଇ ନିଷ୍ପତ୍ତି ନେବୁ।”

Advertisment

ଏହା ପୂର୍ବରୁ କଂଗ୍ରେସର ମାଣିକରାଓ ଠାକ୍‌ରେ କହିଥିଲେ, ମେଣ୍ଟ ସରକାରର ଆଭିମୁଖ୍ୟ ଏବଂ ଏଜେଣ୍ଡା ବାବଦରେ ୩ ସହଯୋଗୀ ଦଳଙ୍କ ସହମତି ସ୍ଥିର କରିବା ପାଇଁ ଏହି ବୈଠକ କରାଯାଇଥିଲା। ସେ ଏହି ଅବସରରେ କହିଥିଲେ, “କଂଗ୍ରେସ ଏବଂ ଏନ୍‌ସିପି ପ୍ରସ୍ତୁତ କରିଥିବା ସିଏମ୍‌ପି ଏବଂ କ୍ଷମତା ଭାଗବଣ୍ଟା ପାଇଁ ପ୍ରସ୍ତୁତ ଡ୍ରାଫ୍ଟ ବାବଦରେ ବର୍ତ୍ତମାନ ଶିବସେନା ସହ ଆଲୋଚନା କରାଯାଉଛି। ଯାହା ପୂର୍ବରୁ ସ୍ଥିର କରାଯାଇଛି ଏବଂ ପରାମର୍ଶ ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ।”

ଏହି ବୈଠକରେ ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ ଏବଂ ସଞ୍ଜୟ ରାଉତ ଯୋଗଦେଇଥିଲେ। ସେହିଭଳି କଂଗ୍ରେସରୁ ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖାଡ଼ଗେ, କେସି ଭେନୁଗୋପାଲ, ଅବିନାଶ ପାଣ୍ଡେ, ବାଲାସାହେବ ଥୋରାଟ୍‌ ଏବଂ ପୃଥ୍ୱୀରାଜ ଚୌହାନ ଯୋଗଦେଇଥିଲେ। ପ୍ରଫୁଲ ପଟେଲ, ଜୟନ୍ତ ପାଟିଲ ଏବଂ ଅଜିତ ପାୱାର ଏନ୍‌ସିପି ପକ୍ଷରୁ ଯୋଗ ଦେଇଥିଲେ। ଏହି ବୈଠକରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମଧ୍ୟ ଯୋଗ ଦେଇଥିଲେ।

Advertisment

ସୂଚନାଯୋଗ୍ୟ ଯେ, ଗତ ୩ ଦଶନ୍ଧି ଧରି ବିଜେପି ସହ ରହିଥିବା ସମ୍ପର୍କ କାଟି ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏପରିକି ବିଚାରଗତ ମତଭେଦ ରହିଥିଲେ ମଧ୍ୟ ଶିବସେନା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆଣିବାରେ ଏହା ବାଧା ସାଜିପାରିନାହିଁ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏବଂ ସେନା ପ୍ରାକ୍‌ ନିର୍ବାଚନୀ ମେଣ୍ଟ ପରେ ଯଥାକ୍ରମେ ୧୦୫ ଏବଂ ୫୬ଟି ଆସନରେ ଜିତିଥିଲେ। ସେହିଭଳି କଂଗ୍ରେସ ଏବଂ ଏନ୍‌ସିପି ମେଣ୍ଟରେ ଯଥାକ୍ରମେ ୪୪ ଏବଂ ୫୪ଟି ଆସନରେ ଜିତିଥିଲେ। ବିଜେପି-ଶିବସେନା ମେଣ୍ଟ ମ୍ୟଜିକ୍‌ ନମ୍ବରରୁ ଊର୍ଦ୍ଧ୍ୱ ଆସନର ଜନାଦେଶ ପାଇଥିଲେ ମଧ୍ୟ ଶିବସେନାର ଅଢ଼େଇ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଭାଗବଣ୍ଟା ଏହି ମେଣ୍ଟର ଅନ୍ତ ଘଟାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ