Rp Sing
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂହଙ୍କ ପିତା ଶିବ ପ୍ରସାଦ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ଏନେଇ ନିଜ ଟ୍ୱିଟ୍ ଜରିଆରେ ଆରପି ସିଂହ ସୂଚନା ଦେଇଛନ୍ତି । ଆରପି ସିଂହଙ୍କ ପିତା ଅନେକ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତାଙ୍କ ପିତା ନିକଟ ଅତୀତରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଶ୍ୱାସକ୍ରିୟାର ଅସୁବିଧା ହୋଇଥିଲା । ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଆରପି ସିଂହ ଟ୍ୱିଟ୍ କରି କହିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ, ମୋର ପିତା ଶିବ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି ।କରେନାରେ ସଂକ୍ରମିତ ମୋ ବାପା ଆମ ସମସ୍ତଙ୍କୁ ୧୨ ମେ’ରେଛାଡ଼ି ଆରପାରିକୁ ଚାଲିଗଲେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବେ । ଓମ୍ ଶାନ୍ତି ଓମ୍।’ ନିକଟରେ ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ଏବଂ ଚେତନ ସାକାରିଆଙ୍କ ପିତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପରଲୋକ ହୋଇଛି।
ଆରପି ସିଂହଙ୍କ କ୍ୟାରିଅର୍
ଆରପି ସିଂହ ୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ରେ ସକ୍ରିୟ ଥିଲେ । ଏହି ସମୟ ମଧ୍ୟରେ ସେ ତିନୋଟି ଫର୍ମାଟରେ ୮୨ଟି ମ୍ୟାଚ୍ ଖେଳି ୧୦୦ରୁ ଅଧିକ ୱିକେଟ୍ ନିଜ ନାଁରେ କରିଛନ୍ତି । ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ୍ ଟାଇଟଲ ହାସଲ କରିଥିଲା । ଯାହାର ହିରୋ ଥିଲେ ଆରପି ସିଂହ । ଏହା ସହ ସେହି ବର୍ଷ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଥିଲା । ସେଥିରେ ମଧ୍ୟ ଆରପି ସିଂହଙ୍କ ମୁଖ୍ୟ ଭୂମିକା ରହିଥିଲା ।
ଆରପି ସିଂହ ନିଜ କ୍ୟାରିୟରରେ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳି ୪୦ଟି ୱିକେଟ୍ ନେଇଛନ୍ତି । ତାଙ୍କର ସବୁଠୁ ଭଲ ପ୍ରଦର୍ଶନ ଥିଲା ୫୯ ରନ୍ ଦେଇ ୫ ଓ୍ୱିକେଟ ହାସଲ କରିବା । ସେହିଭଳି ୫୮ଟି ଦିନିକିଆ ମ୍ୟାଚ୍ ଖେଳି ସେ ୬୯ଟି ୱିକେଟ୍ ନେଇଥିଲେ । ସେଥିରେ ସବୁଠୁ ଭଲ ପ୍ରଦର୍ଶନ ଥିଲା ୩୫ ରନ୍ ଦେଇ ୪ ଓ୍ୱିକେଟ ହାସଲ କରିବା । ଅନ୍ୟପଟେ ସେ ମୋଟ ୧୦ଟି ଟି-୨୦ ମ୍ୟାଚ ଖାଳି ସେ ୧୫ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୩ ରନ୍ରେ ୪ ଓ୍ୱିକେଟ୍ ।
ପିତାଙ୍କ ଦେହନ୍ତ ପରେ ପୀୟୁଷ ଲେଖିଲେ
ପିତାଙ୍କ ଦେହାନ୍ତ ପରେ ପୀୟୁଷ ଚାୱଲା ସୋସିଆଲ ମିଡିଆରେ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଥିଲେ । ସେଥିରେ ସେ ଲେଖିଥିଲେ ଯେ, ତାଙ୍କର ସବୁଠାରୁ ଶକ୍ତିଶାଳି ସ୍ତମ୍ଭ ଭାଙ୍ଗିଯାଇଛି । ପୀୟୁଷ ଚାୱଲାଙ୍କୁ ଆଇପିଏଲ୍ ୨୦୨୧ ନିଲାମ ବେଳେ ୨.୪ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shiv-pratap-singh-1-1620813382_1620821294.jpg)