train
ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍ୱେ କୋଚ୍କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଟ୍ରେନ୍ ଗୁଡ଼ିକ ଯେପରି ଅବାଧ ଚଳାଚଳ କରିପାରିବ ଏବଂ ଯଥାଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ ସେଥିପାଇଁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇଛି । ଏହି ଟ୍ରେନ୍ରେ ଲିକ୍ୟୁଡ୍ ମେଡିକାଲ୍ ଅକ୍ସିଜେନ୍(LMO) ଓ ଅକ୍ସିଜେନ୍ ସିଲିଣ୍ଡର ପରିବହନ ହେବ। କରୋନା ଲଢ଼େଇରେ ଯୋଗଦାନ ପାଇଁ ରେଲ୍ୱେ କୌଣସି ବିକଳ୍ପ ହାତଛଡ଼ା କରୁନାହିଁ ବୋଲି ପୀୟୁଷ ଗୋୟଲ କହିଛନ୍ତି।
ଭାରତୀୟ ରେଲ୍ୱେ ପକ୍ଷରୁ ବିଭିନ୍ନ ଷ୍ଟେସନରେ ରେଳ ବଗିକୁ ଆଇସୋଲେସନ୍ କୋଚ୍ ଭାବେ ବ୍ୟବହାର କରାଯାଉ ଥିବାବେଳେ, ମାଲ୍ବାହୀ ଟ୍ରେନ୍ରେ ଲିକ୍ୟୁଡ୍ ମେଡିକାଲ୍ ଅକ୍ସିଜେନ୍ ବୋହି ହେବ କି ନାହିଁ ବୋଲି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ରେଳ ମନ୍ତ୍ରାଳୟକୁ ପଚାରିଥିଲେ। ଏହାପରେ ଅକ୍ସିଜେନ୍ ଏକ୍ସପ୍ରେସ୍ ଗଡ଼ିବା ନେଇ ରେଳ ବିଭାଗ ନିଷ୍ପତ୍ତି ନେବା ସହ ପ୍ରକ୍ରିୟା ଆରମ୍ଭ କରିଛି।
ସୂଚନାଥାଉ କି, ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୬୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ରେ ପହଞ୍ଚିଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ରହିଛି ୧୯ ଲକ୍ଷ ୨୯ ହଜାର ୩୨୯।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/train-3_1626179758.jpg)