new rules
ନୂଆଦିଲ୍ଲୀ: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଜୁଲାଇ ୧ରୁ ଅର୍ଥାତ୍ ଆଜିଠୁ ଆହୁରି ଅନେକ ଜିନିଷର ଦାମରେ ବୃଦ୍ଧି ଘଟିଛି। ଯାହା ଲୋକଙ୍କ ଖର୍ଚ୍ଚ ବଢ଼ାଇ ଦେଇଛି। କ୍ଷୀର ହେଉ ଅବା ବ୍ୟାଙ୍କ୍ ସେବା ଏପରିକି ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ଏବେ ମହଙ୍ଗା ହୋଇଛି।
ଆଜିଠୁ ଅମୁଲ କ୍ଷୀର ଲିଟର ପିଛା ମୂଲ୍ୟ ୨ଟଙ୍କା ବୃଦ୍ଧି ପାଇଛି। ନୂଆଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଅମୁଲ କ୍ଷୀରର ନୂତନ ମୂଲ୍ୟ ଲାଗୁ ହୋଇଛି। ଦେଢ଼ ବର୍ଷ ପରେ କମ୍ପାନୀ ପକ୍ଷରୁ କ୍ଷୀର ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଲାଗୁ ହେବାପରେ ଅମୁଲ ଗୋଲ୍ଡ ପ୍ରତି ଲିଟରକୁ ୫୮ ଟଙ୍କା, ଅମୁଲ ତାଜା ୪୬ ଟଙ୍କା, ଅମୁଲ ଶକ୍ତି ୫୨ ଟଙ୍କା ହୋଇଛି।
ବ୍ୟାଙ୍କିଙ୍ଗ୍ ସର୍ଭିସ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି। ଏବେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଏହାର ଟଙ୍କା ଉଠାଣ ଚାର୍ଜ ବୃଦ୍ଧି କରିଛି। ଏବେ SBI ଗ୍ରାହକ ପ୍ରତି ମାସରେ ୪ ଥର ହିଁ ଟଙ୍କା ଉଠାଇ ପାରିବେ। ଯଦି ୪ ଥରରୁ ଅଧିକ ଥର ଟଙ୍କା ଉଠାନ୍ତି ତା’ହେଲେ ଆପଣଙ୍କୁ ଅତିରିକ୍ତ ୧୫ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ବ୍ୟାଙ୍କ୍ ଶାଖା ଓ ଏଟିଏମ୍ରେ ଯେଉଁଠି ଆପଣ ୪ ଥରରୁ ଅଧିକ ଟଙ୍କା ଉଠାଇବେ ଏହି ନିୟମ ଲାଗୁ ହେବ। ଏତଦ୍ବ୍ୟତୀତ SBI ଏହାର ଚେକ୍କୁ ନେଇ ଚାର୍ଜ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ଏବେ ଯେକୌଣସି ଆକାଉଣ୍ଟ୍ ହୋଲ୍ଡର୍ଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍ ମାଗଣାରେ ଦିଆଯିବ। ଏହାଠୁ ଅଧିକ ହେଲେ ଏଥିପାଇଁ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। SBI ବ୍ୟତୀତ AXIS ବ୍ୟାଙ୍କ୍, IDBI ବ୍ୟାଙ୍କ୍ ମଧ୍ୟ ଏହାର SMS ଚାର୍ଜ ଓ ଲକର୍ ଚାର୍ଜକୁ ନେଇ ପରିବର୍ତ୍ତନ କରିଛନ୍ତି। ଯାହା ଆଜିଠୁ ଲାଗୁ ହୋଇଛି।
ସେହିପରି ଯେଉଁମାନେ ୨ ବର୍ଷ ହେବ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରି ନାହାନ୍ତି, ଏବେ ସେମାନଙ୍କୁ ଅଧିକ Tax Deduction at Source(TDS) ଦେବାକୁ ପଡ଼ିବ। ଆଜିଠୁ ଏହି ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ସେମାନଙ୍କ ପାଇଁ ଲାଗୁ, ଯେଉଁମାନଙ୍କର TDS ପ୍ରତିବର୍ଷ ୫୦ ହଜାର ଟଙ୍କାରୁ ଅଧିକ କଟୁଛି।
ଆଜିଠୁ LPG ଗ୍ୟାସ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଜୁଲାଇ ୧ ଅର୍ଥାତ୍ ଆଜିଠୁ ବିନା ସବ୍ସିଡି ସିଲିଣ୍ଡର ପାଇଁ ୨୫ ଟଙ୍କା ଅଧିକ ଦେବାକୁ ପଡ଼ିବ। ନୂଆ ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ LPG ସିଲିଣ୍ଡର ଦାମ୍ ୮୩୪ ଟଙ୍କା ହୋଇଥିବା ବେଳେ କୋଲକାତାରେ ୮୬୧ ଟଙ୍କା, ମୁମ୍ବାଇରେ ୮୩୪ ଟଙ୍କା ୫ ପଇସା ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮୪ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ LPG ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୦୯ ଟଙ୍କା ଥିଲା। ଏପ୍ରିଲରେ LPG ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ଶସ୍ତା ହୋଇଥିଲା। ଏହାପରେ ମେ’-ଜୁନ୍ରେ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mahanga_1625121111.jpg)