ହିସାର: କରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ଥମୁନି. ପୁଣି ଆସିବ ତୃତୀୟ ଲହରୀ..ଏମିତି ଖବର ସବୁ ପଢିପଢି ହତାଶାଭାବ ବଢୁଛି । ଏବେ କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାହାସର ସହ ମୁକାବିଲା କଲେ କରୋନାକୁ ବି ମାତ୍ ଦେଇ ପାରିବ.. ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ।
ମାଉଣ୍ଟ ଲହୋତ୍ସେ ଚଢିବାକୁ ବାହାରିଥିଲେ ପର୍ବତାରୋହୀ ଶିବାଙ୍ଗୀ ପାଠକ । ନିଜ ମିଶନ ମଧ୍ୟ ଆରମ୍ଭ କରି ଦେଇଥିଲେ । ମିଶନ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ଆଶ୍ଚର୍ଯ୍ୟର କଥା, ତାଙ୍କର ଅକ୍ସିଜେନ ଲେବଲ୍ ୧୮କୁ ଖସି ଆସିଲା । ଫୁସ୍ଫୁସ୍ରେ ପାଣି ଜମିଗଲା । କରୋନା ପଜିଟିଭ ବି ଥିଲେ । ହେଲେ ପୁଷ୍ଟିକର ଖାଦ୍ୟ, ଯୋଗ ଏବଂ ସକାରାତ୍ମକ ଭାବନା ଯୋଗୁ ୧୦ ଦିନ ମଧ୍ୟରେ କରୋନାକୁ ହରାଇ ଶିବାଙ୍ଗୀ ସୁସ୍ଥ ହୋଇ ପାରିଛନ୍ତି । ସେତିକି ନୁହେଁ, ନିଜର ମିଶନ ପୁଣି ଥରେ ସେ ଆରମ୍ଭ କରି ଦେଇଛନ୍ତି ।
ଶିବାଙ୍ଗୀଙ୍କ ମା’ ଭାରତୀ ପାଠକ ଏବଂ ବାପା ରାକେଶ ପାଠକ ସୂଚନା ଦେଇ କହିଛନ୍ତି, ଏପ୍ରିଲ ୯ ତାରିଖ ଶିବାଙ୍ଗୀ ସମସ୍ତଙ୍କଠାରୁ ବିଦାୟ ନେଇ ନେପାଳ ଛାଡିଥିଲେ । କାରଣ ସେହିଦିନ ହିଁ ତାଙ୍କର ମାଉଣ୍ଟ ଲହୋତ୍ସେ ପର୍ବତାରୋହଣ କାର୍ଯ୍ୟକ୍ରମ ଆରମ୍ଭ କରିବାର ଥିଲା । ଏପ୍ରିଲ ୧୫ ତାରିଖ ସେ ଲୋବୁଚେରେ ପହଞ୍ଚି ଯାଇଥିଲେ ।
ମା’ ଆରତିଙ୍କ କହିବା ଅନୁଯାୟୀ, ଗୋଟିଏ ଦିନ ସେଠାରେ ରହିବା ପରେ ପରଦିନ ବେସ କ୍ୟାମ୍ପ ତଳେ ଗୋରଖ ଶେପରେ ପହଞ୍ଚି ଝିଅ ଫୋନ କରିଥିଲା । ସେତେବେଳେ ଶିବାଙ୍ଗୀ ମା’ଙ୍କୁ କହିଥିଲେ କି ତାଙ୍କ ଦେହ ଭଲ ଲାଗୁନି । ଜର କମୁନି । ମା’ ଆରତି ତାଙ୍କୁ ଔଷଧ ଖାଇବାକୁ କହିଥିଲେ । ଔଷଧ ଖାଇ କୌଣସି ପ୍ରକାରେ ସେ ୫୩୬୪ ମିଟର ଉଚ୍ଚତାରେ ଥିବା ବେସ କ୍ୟାମ୍ପରେ ପହଞ୍ଚିଗଲା ।
ଏପ୍ରିଲ ୧୯ ତାରିଖ ଶିବାଙ୍ଗୀଙ୍କୁ ଉଦ୍ଧାର କରାଯାଇ କାଠମାଣ୍ଡୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେତେବେଳକୁ ତାଙ୍କର ଅକ୍ସଜେନ ଲେବଲ୍ ୧୮କୁ ଖସିଗଲାଣି । ପରୀକ୍ଷା ପରେ ଜଣାପଡ଼ିଲା, ତାଙ୍କ ଫୁସଫୁସ୍ରେ ପାଣି ଜମିଛି । କୋଭିଡ ପରୀକ୍ଷାରୁ ମଧ୍ୟ ପଜିଟିଭ ଆସିଲା । ଏପ୍ରିଲ ୨୦ ତାରିଖ ଶିବାଙ୍ଗୀଙ୍କ ବାପା-ମା’ ତାଙ୍କ ପାଖରେ ପହଞ୍ଚି ଥିଲେ । ସେତେବେଳକୁ ଶିବାଙ୍ଗୀଙ୍କ ଦେହ ବହୁତ ଖରାପ ହୋଇଯାଇଥାଏ । ଶାରୀରିକ ରୂପେ ସେ ବହୁତ ଦୁର୍ବଳ ଦିଶୁଥାନ୍ତି ହେଲେ ମାନସିକ ଭାବେ ସେ ପାହାଡ ପରି ଶକ୍ତିଶାଳୀ ଦିଶୁଥାନ୍ତି ।
ବାପା-ମା’ଙ୍କ କହିବା ଅନୁଯାୟୀ, ଶିିବାଙ୍ଗୀଙ୍କ ମାନସିକ ବଳ ଦେଖି ତାଙ୍କର ଚିକିତ୍ସା ଆରମ୍ଭ କରିବା ସହ ଏକ ହୋଟେଲରେ ତାଙ୍କୁ ଆଇସୋଲେଟ ଭାବେ ରଖିଦେଲୁ । ପରବର୍ତ୍ତୀ ୩ ଦିନ ମଧ୍ୟ ତାଙ୍କ ଦେହ ବହୁତ ଖରାପ ଥିଲା । ୪ର୍ଥ ଦିନ ସମସ୍ତଙ୍କ ଆଶୀର୍ବାଦ ଯୋଗୁ ଶିବାଙ୍ଗୀର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଲା ।
ମା’ ଆରତି କହିଛନ୍ତି, ‘ସୁସ୍ଥ ହେବା ପରେ ଆମେ ତାଙ୍କୁ ମିଶନ ମାଉଣ୍ଟ ଲହୋତ୍ସେକୁ ଅଧାରେ ଛାଡ଼ି ଭାରତ ଫେରିଯିବାକୁ କହିଥିଲୁ । ତାକୁ ବୁଝାଇଥିଲୁ, ପାହାଡ ଏଇଠି ରହିବ । ଯଦି ତୋ ଦେହ ଭଲ ହୋଇଯିବ ପୁଣି କେବେ ଆସିବୁ । ହେଲେ ଶିବାଙ୍ଗୀର ସାହାସ ଏବଂ ଦୃଢ ମନୋବଳ ପାଖେ ଆମେ ହାର ମାନିଗଲୁ । ଏବେ ଶିବାଙ୍ଗୀ ଦ୍ୱିତୀୟ ଥର ପାଇଁ ଯାତ୍ରା ଆରମ୍ଭ କରି ମେ’ ୮ ତାରିଖ ବେସ କ୍ୟାମ୍ପରେ ପହଞ୍ଚି ସାରିଛି । ଏବେ ସେ କ୍ୟାମ୍ପ ଟୁ ପାଇଁ ବାହାରି ସାରିଲାଣି ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଶିବାଙ୍ଗୀ ମେ’ ୨୫ ତାରିଖ ମାଉଣ୍ଟ ଲହୋତ୍ସେ ଉପରେ ତିରଙ୍ଗା ଉଡ଼ାଇବେ । ଏଠି କହି ରଖିବୁ, ମାଉଣ୍ଟ ଲହୋତ୍ସେ ହେଉଛି ବିଶ୍ଵର ୪ର୍ଥ ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ୮୫୧୬ ମିଟର ।