ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା। ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍ରୁ ପ୍ରଥମେ ଟ୍ରମ୍ପଙ୍କ ସହ ପତ୍ନୀ ବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓହ୍ଲାଇଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟକଲ ଭାଙ୍ଗି ଏହାରପୋର୍ଟରେ ପହଞ୍ଚି ଥିଲେ। ପରେ ‘ଶଙ୍ଖନାଦ’ କରି ଟ୍ରମ୍ପ ଓ ତାଙ୍କ ଟିମ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଟ୍ରମ୍ପ ବିମାନବନ୍ଦରରୁ ଓହ୍ଲାଇବା ମାତ୍ରେ ପୂର୍ବରୁ ଧାଡ଼ି କରି ସୁସଜ୍ଜିତ ଗୁଜରାଟୀ କଳାକାରଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ନୃତ୍ୟ ମଧ୍ୟ ସାମିଲ ହୋଇଥିଲା। ଏହାର ରଙ୍ଗକୁ ଦ୍ୱିଗୁଣିତ କରୁଥିଲା ଢୋଲର ଶବ୍ଦ। ଏହି ନୃତ୍ୟ ଓ ବାଦ୍ୟକୁ ମୋଦିଙ୍କ ସହ ଟ୍ରମ୍ପ ଏବଂ ମେଲାନିଆ ରେଡ୍ କାର୍ପେଟ୍ରେ ଚାଲିଚାଲି ଉପଭୋଗ କରିଥିଲେ। ଏହାପରେ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍ ମଧ୍ୟ ବିମାନରୁ ଓହ୍ଲାଇଥିଲେ।/odishatv-khabar/media/post_attachments/wp-content/uploads/2020/02/trump-10.jpg)
ଏବେ ସେମାନେ ୨୨ କିଲୋମିଟରରେ ରୋଡ୍ ଶୋ’ରେ ବାହାରି ଯାଇଛନ୍ତି। ସେମାନେ ଏହାପରେ ମହାତ୍ମା ଗାନ୍ଧିଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମକୁ ଯିବେ। ବାଟରେ ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିଥିଲା। ଏଥିସହ ରାସ୍ତାର ଦୁଇପଟେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା।
ସେପଟେ ମୋଟେରା ମଧ୍ୟ ପ୍ରସ୍ତୁତ ରହିଛି। ସେଠାରେ ନମସ୍ତେ ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଷ୍ଟାଡିୟମ ଯେମିତି ଅପେକ୍ଷା କରିଛି। ଲକ୍ଷାଧିକ ଲୋକ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଉପସ୍ଥିତ ଅଛନ୍ତି।