maharas
ମୁମ୍ବାଇ: ସୁପ୍ରିମ୍କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍ ଠାକ୍ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପାଖକୁ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ଫେରିଛି।
ଆସନ୍ତା ରବିବାର ଅର୍ଥାତ ଡିସେମ୍ବର ୧ ଅପରାହ୍ଣ ୫ଟାରେ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବା ଉଦ୍ଧବ ଏହି ପଦବୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇବା କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ନୂତନ ସମୀକରଣ ସୃଷ୍ଟି କରିଛି। ଏହା ପୂର୍ବରୁ ୩ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାର ଅଛି।
ଆଜି ସନ୍ଧ୍ୟାରେ ଏନ୍ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଉଦ୍ଧବଙ୍କୁ ସର୍ବସମ୍ମତି କ୍ରମେ ‘ମହା ବିକାଶ ଅଘାଦି’ ମେଣ୍ଟର ନେତା ଘୋଷଣା କରିଥିଲେ। ସେ କହିଥିଲେ, “ଏନ୍ସିପି, କଂଗ୍ରେସ ଏବଂ ଶିବସେନା ୩ଟି ଦଳ ଏହି ପ୍ରସ୍ତାବକୁ ସମସ୍ତଙ୍କ ସହମତିରେ ଗ୍ରହଣ କରିଛନ୍ତି। ଉଦ୍ଧବଙ୍କୁ ଅଭିନନ୍ଦନ।” ଏହାପରେ ଶରଦ ପାୱାର ଫୁଲତୋଡ଼ା ଦେଇ ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଯିବା ଖୁସିରେ ଶିବସେନା କର୍ମୀମାନେ ବିଜେପି କାର୍ଯ୍ୟାଳୟ ଆଗରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। ଉଦ୍ଧବ ନିଜ ମୁଖ୍ୟମନ୍ତ୍ରୀତ୍ୱ ନେଇ କହିଛନ୍ତି, “ମୁଁ ମହାରାଷ୍ଟ୍ରକୁ ଛତ୍ରପତି ଶିବାଜୀ ମହାରାଜଙ୍କ ମହାରାଷ୍ଟ୍ରରେ ପରିଣତ କରିବାକୁ ଚାହେଁ। ଆପଣମାନେ ଦେଇଥିବା ଦାୟିତ୍ୱକୁ ମୁଁ ଗ୍ରହଣ କରୁଛି। କେବଳ ମୁଁ ନୁହେଁ ଆପଣ ସମସ୍ତେ ମୋ ସହ ମୁଖ୍ୟମନ୍ତ୍ରୀ। ଆଜି ଯାହା ହେଲା ତାହା ହିଁ ଗଣତନ୍ତ୍ର। ଆମେ ସମସ୍ତେ ଏକାଠି ହୋଇ ଚାଷୀଙ୍କ ଲୁହ ପୋଛିବା। ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ। ମୁଁ କାହାରିକୁ ଡରିନି। ମିଛ ହିନ୍ଦୁତ୍ୱର ଅଙ୍ଗ ନୁହେଁ। ଦରକାର ବେଳେ ଆମକୁ କୁଣ୍ଢାଉ ଥିଲ, ଦରକାର ନଥିଲେ ଛାଡ଼ି ପଳାଉଥିଲି। ତୁମେ ଆମକୁ ଦୂରେଇବାକୁ ଚାହୁଁଥିଲ। ” ଉଦ୍ଧବ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ହେବେ ବୋଲି କେବେ ଭାବିନଥିବା କହିଛନ୍ତି।
ସୁପ୍ରିମ୍କୋର୍ଟଙ୍କ ଫ୍ଲୋରଟେଷ୍ଟ ରାୟ ପରେ ୧୦୫ ଆସନ ସହ ବିଜେପି ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିଲା। କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରି ସାରିଥିବା ବିଜେପି ଅଜିତ ପାୱାରଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ କରି ୫୪ ବିଧାୟକଙ୍କ ସମର୍ଥନ ମିଳିବ ଭାବି ନେଇଥିଲା। କିନ୍ତୁ ପରେ ଏହି ଆଶା କ୍ଷୀଣ ହୋଇ ଆସୁଥିବାରୁ ଉଭୟ ଦେବେନ୍ଦ୍ର ଏବଂ ଅଜିତଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।
ଆଜି ସୁପ୍ରିମ୍କୋର୍ଟଙ୍କ ରାୟ ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆଦି ବରିଷ୍ଠ ନେତାମାନେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକ ପରେ ଇସ୍ତଫା ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ୍ କହିଥିଲେ, “ଅଜିତ ପାୱାର ମୋତେ ଇସ୍ତଫା ପତ୍ର ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜେପି ପ୍ରଥମ ଦିନରୁ ହିଁ ନିଷ୍ପତ୍ତି ନେଇଛି ଆମେ ଘୋଡ଼ା ବ୍ୟାପାର କରିବୁ ନାହିଁ। ଆମେ କେବଳ ସରକାର କରିବାକୁ ଏଥିପାଇଁ ଭାବିଥିଲୁ ଯେ, ଏନ୍ସିପି ଆମ ସହ ଥିଲା। ସେ ଇସ୍ତଫା ଦେଇଥିବାରୁ ଆମ ପାଖରେ ସଂଖ୍ୟା ନାହିଁ। ତେଣୁ ମୁଁ ଇସ୍ତଫା ଦେଉଛି।”
ଶନିବାର ତରବରିଆ ଭାବେ ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଏନଭି ରମନ୍ନା, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତରାଖଣ୍ଡ ବିଧାନସଭା ମାମଲା ଆଧାରରେ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଥିଲେ, ନିର୍ବାଚନକୁ ମାସେ ପୁରିଥିଲେ ମଧ୍ୟ ବିଧାୟକଙ୍କ ଶପଥ ଗ୍ରହଣ ହୋଇନଥିବାରୁ ଘୋଡ଼ା ବ୍ୟାପାରର ସମ୍ଭାବନା ରହିଛି। ତେଣୁ ତୁରନ୍ତ ଫ୍ଲୋରଟେଷ୍ଟ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
କୋର୍ଟ ଆଜି ଆହୁରି ମଧ୍ୟ କହିଥିଲେ, ବୁଧବାର ସୁଦ୍ଧା ଗୃହର ସମସ୍ତ ସଦସ୍ୟ ଶପଥ ନେଇସାରିଥିବା ଆବଶ୍ୟକ। ଏପରିକି ତୁରନ୍ତ ଫ୍ଲୋରଟେଷ୍ଟ ପାଇଁ ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତି ପାଇଁ ମଧ୍ୟ ସେ କହିଥିଲେ। ନବନିଯୁକ୍ତ ଅସ୍ଥାୟୀ ବାଚସ୍ପତି ଫ୍ଲୋରଟେଷ୍ଟ ପ୍ରକ୍ରିୟା କରାଇବା ସମୟରେ ଏହାର ସିଧାପ୍ରସାରଣ ହେବ ବୋଲି କୋର୍ଟ କହିଥିଲେ। ଏହା ଆଇନ ଅନୁଯାୟୀ ହେବ ଏବଂ ଏଥିପାଇଁ ସିକ୍ରେଟ୍ ବାଲାଟ୍ ବ୍ୟବହାର ହେବନାହିଁ ବୋଲି କହିଥିଲେ।
ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିର କାଳିଦାସ କୋଲମ୍ବକରଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ସେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବୁଧବାର ସକାଳ ୮ଟାରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନରେ ବିଧାୟକମାନଙ୍କୁ ଶପଥ ପାଠ କରାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maharas_1626685987.jpg)