Deep Sidhu
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ ନେତା ଏହି ହିଂସାକାଣ୍ଡ ପଛରେ ଅଭିନେତା ଦୀପ୍ ସିଦ୍ଧୁଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଚାଷୀ ନେତାମାନେ ଦୀପ୍ ସିଦ୍ଧୁଙ୍କ ବିରୋଧରେ ଚାଷୀମାନଙ୍କୁ ଉସ୍କାଇବା ଓ ହିଂସା ସୃଷ୍ଟି କରିବା ଭଳି ଅଭିଯୋଗ ଆଣିଛନ୍ତି।
ଜାଣନ୍ତୁ କିଏ ଏହି ଦୀପ୍ ସିଦ୍ଧୁ ? କେମିତି ସେ ଚାଷୀ ଆନ୍ଦୋଳନ ସହ ଜଡ଼ିତ ହେଲେ ?
୧୯୮୪ରେ ପଞ୍ଜାବର ମୁକ୍ତସର୍ରେ ଦୀପ୍ ସିଦ୍ଧୁ ଜନ୍ମଗ୍ରହଣ କରିଥିଲେ। ସେ ମଡେଲ୍, ଅଭିନେତା ଓ ଜଣେ ଲିଗାଲ୍ ଆଡ୍ଭାଇଜର୍ ମଧ୍ୟ। କିଙ୍ଗ୍ଫିଶର୍ ମଡେଲ୍ ହଣ୍ଟ୍ ସମେତ ଅନେକ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ସେ ବିଜୟ ହାସଲ କରିଛନ୍ତି। ୨୦୧୫ରେ ରିଲିଜ୍ ହୋଇଥିବା ପଞ୍ଜାବୀ ଫିଲ୍ମ ‘ରମ୍ତା ଯୋଗୀ’ରୁ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୨୦୧୯ରେ ସେ ରାଜନୀତିରେ ପାଦ ଥାପିଥିଲେ ଓ ଗୁରଦାସପୁରରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ତଥା ଅଭିନେତା ସନୀ ଦେଓଲଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।
ତେବେ ଲାଲ୍କିଲ୍ଲାରେ ହୋଇଥିବା ହିଂସାକାଣ୍ଡ ପରେ ଅଭିନେତା ସନୀ ଦେଓଲ ଟ୍ୱିଟ୍ କରି କହିଛନ୍ତି, ‘ମୋ ସହ କିମ୍ବା ମୋ ପରିବାର ସହ ଦୀପ୍ ସିଦ୍ଧୁଙ୍କ କୌଣସି ସମ୍ବନ୍ଧ ନାହିଁ।
ଚାଷୀ ଆନ୍ଦୋଳନରେ କେମିତି ପହଞ୍ଚିଲେ ଦୀପ୍ ସିଦ୍ଧୁ ?
ଶମ୍ଭୁ ବର୍ଡର(ଦିଲ୍ଲୀ-ହରିୟାଣା)ରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେପ୍ଟେମ୍ବର ୨୫ରେ କିଛି କାର୍ଯ୍ୟକର୍ତ୍ତା ଓ କଳାକାର ନିଷ୍ପତ୍ତି ନେଇଥିଲେ। ସେଇ କଳାକାରମାନଙ୍କ ମଧ୍ୟରେ ଦୀପ୍ ସିଦ୍ଧୁ ଜଣେ ଥିଲେ। ଯିଏକି ଚାଷୀମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ସେମାନଙ୍କ ସହ ଧାରଣାରେ ବସିବା ଲାଗି ନିଷ୍ପତ୍ତି ନେଇଥିଲେ। ଏପରିକି ଚାଷୀମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବା ଲାଗି ଦୀପ୍ ସୋସିଆଲ୍ ମିଡିଆରେ ନିଜ ପ୍ରଶଂସକମାନଙ୍କୁ ଅପିଲ୍ ମଧ୍ୟ କରିଥିଲେ। ହେଲେ ଅନେକ ଚାଷୀ ଏହି ଆନ୍ଦୋଳନରେ ଦୀପ୍ଙ୍କ ସାମିଲକୁ ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତା ସନୀ ଦେଓଲଙ୍କ ସହ ଦୀପ୍ ସିଦ୍ଧୁଙ୍କ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ କିଛି ଚାଷୀ ନେତା ଦୀପ୍ ସିଦ୍ଧୁଙ୍କୁ ବିଜେପିର ଏଜେଣ୍ଟ୍ ବୋଲି ମଧ୍ୟ କହିଥିଲେ। ହେଲେ ଏହାକୁ ସେ ଖଣ୍ଡନ କରିଥିଲେ।
ଦୀପ୍ ସିଦ୍ଧୁ ଚାଷୀମାନଙ୍କୁ ଏମିତି ଉସ୍କାଇଥିବା ଅଭିଯୋଗ ଆସିଛି...
ରାଲି ନେଇ ପୋଲିସ୍ ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା ଓ ସ୍ଥିର ହୋଇଥିବା ରୁଟ୍ରେ ଟ୍ରାକ୍ଟର ରାଲି ହେବାର ଥିଲା। ହେଲେ ଅଭିଯୋଗ ଆସିଛି ଯେ, ଦିନକ ପୂର୍ବରୁ ଦୀପ୍ ଓ ଗ୍ୟାଙ୍ଗଷ୍ଟର୍ରୁ ନେତା ହୋଇଥିବା ଲଖା ସିଦ୍ଧାନା କିଛି ଚାଷୀଙ୍କୁ ଭେଟିଥିଲେ। ଏମାନେ ଚାଷୀଙ୍କୁ ଉସ୍କାଇଥିଲେ ଯେ, କୃଷକ ସଂଗଠନ ସରକାରଙ୍କ ସହ ଆଲୋଚନା କରୁଛନ୍ତି, ହେଲେ ଦୁଇ ମାସ ହୋଇଗଲାଣି କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ଆଲୋଚନା ମାଧ୍ୟମରେ କୌଣସି ନିଷ୍କର୍ସ ବାହାରି ପାରିବ ନାହିଁ। ଆମେ ଦିଲ୍ଲୀରେ ପ୍ରବେଶ କରି ଲାଲ୍କିଲ୍ଲା ଯିବା।
/odishatv-khabar/media/post_attachments/wp-content/uploads/2021/01/deep-sidhu.jpg)
ଯେତେବେଳେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ, ସେହି ସମୟରେ ଦୀପ୍ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଏପରିକି ସେ ଫେସ୍ବୁକ୍ରେ ଲାଇଭ୍ ମଧ୍ୟ ଥିବା ଦେଖିବାକୁ ମିଳିଥିଲା।
ହିଂସା ଓ ସଂଘର୍ଷ ପାଇଁ କୃଷକ ସଂଗଠନ ଗୁଡ଼ିକ ଦୀପ୍ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସଂଗଠନର କହିବା କଥା, ଦୀପ୍ କିଛି ସଂଗଠନକୁ ଉସ୍କାଇବା ସହ କୃଷକ ଆନ୍ଦୋଳନକୁ ଧାର୍ମିକ ଆନ୍ଦୋଳନରେ ପରିଣତ କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/01/deep-sidhu-2.jpeg)
ସୂଚନାଥାଉ କି, ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/actor_1626172764.jpg)
/odishatv-khabar/media/post_attachments/wp-content/uploads/2021/01/deep-sidhu-1.jpg)