faruki
ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ମୁନ।ୱର ଫାରୁକିଙ୍କୁ ମିଳିଲା ବେଲ୍। ଗିରଫ ପୂର୍ବରୁ ନୋଟିସରେ ଥିବା ନିୟମ ପାଳନ କରାଯାଇ ନାହିଁ ବୋଲି କହି ଫାରୁକିଙ୍କୁ ବେଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ତା ସହିତ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ରେ ସ୍ପଷ୍ଟଟତା ନଥିବା ମଧ୍ୟ କୋର୍ଟ କହିଛନ୍ତି। ନିୟମ ଅନୁସାରେ ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫାରୁକି। ଯାହାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କୋର୍ଟ।
ଇନ୍ଦୋରର ଏକ କାଫେରେ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମରେ ଫାରୁକି ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଜାନୁଆରୀ ୨ ତାରିଖ ଠାରୁ ସେ ଜେଲ୍ରେ ଥିଲେ।
ଆଜି ଏ ସମ୍ପର୍କରେ ଶୁଣାଣି କରି ବିଚାରପତି ଆର୍ଏଫ୍ ନରିମାନ କହିଛନ୍ତି “ ଗିରଫ କରିବା ପୂର୍ବରୁ ଅର୍ନେଶ କୁମାରଙ୍କ ନିୟମ ପାଳନ କରାନଯିବା କଣ ଠିକ ? ଏହା ଯଥେଷ୍ଟ, ତା ବାଦ୍ ଏଫ୍ଆଇଆର୍ରେ ଥିବା ଅଭିଯୋଗଗୁଡ଼ିକ ଅସ୍ପଷ୍ଟ ରହିଛି।” କୋର୍ଟ ଦେଇଥିବା ନିର୍ଦ୍ଦେଶ ଠିକ୍ ଭାବରେ ପାଳନ କରାଯାଇ ନାହିଁ ବୋଲି ନରିମାନ କହିଛନ୍ତି।
ମାମଲାରେ ପ୍ରଡକ୍ସନ ୱାରେଣ୍ଟ ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ତା ସହିତ ଫାରୁକିଙ୍କ ବେଲ୍ ଆବେଦନକୁ ନେଇ ମଧ୍ୟ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି କୋର୍ଟ। ଗତସପ୍ତାହରେ ମଧ୍ୟପ୍ରଦେଶର ହାଇକୋର୍ଟରେ ବେଲ୍ ଆବେଦନ କରିଥିଲେ ଫାରୁକି। କିନ୍ତୁ ଭାଇଚାରାକୁ ପ୍ରୋତ୍ସାହିତ କରିବା ସାମ୍ବିଧାନିକ କର୍ତ୍ତବ୍ୟ କହି ବେଲ୍ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ। ପରେ ଫାରୁକି ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନା ଅନୁସାରେ, ନୂଆବର୍ଷ ପାଳନ ଅବସରରେ ଇନ୍ଦୋରର ଏକ କାଫେରେ କମେଡି ଶୋ'ର ଆୟୋଜନ ହୋଇଥିଲା। ଏଥିରେ ଫାରୁକି ହିନ୍ଦୁ ଦେବାଦେବୀ ଓ ଗୃହମନ୍ତ୍ରୀ ଅମିତ ଶହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ବିଜେପି ବିଧାୟକଙ୍କ ପୁଅ। ଏହାପରେ ଜାନୁଆରୀ ୨ ତାରିଖରେ ମୁନୱର ଫାରୁକିଙ୍କ ସହିତ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ପରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଘଟଣାରେ ଫାରୁକି ଏବଂ ନଳିନୀ ଯାଦବଙ୍କୁ ଇନ୍ଦୋର ସେଣ୍ଟ୍ରାଲ ଜେଲ୍ର ବିଚାର ବିଭାଗୀୟ ହାଜତରେ ରଖାଯାଇଛି।
ଫାରୁକି ପୂର୍ବରୁ ମାଜିଷ୍ଟ୍ରେଟ୍ କୋର୍ଟ ଓ ପରେ ସେସନ୍ କୋର୍ଟଙ୍କ ପାଖରେ ମଧ୍ୟ ବେଲ୍ ଆବେଦନ କରିଥିଲେ। ଉଭୟ କୋର୍ଟ ବେଲ୍ ଖାରଜ କରିଦେବା ପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ କେସ୍ର ମେରିଟ୍ ଉପରେ କୌଣସି ମନ୍ତବ୍ୟ ଦିଆଯାଉ ନାହିଁ। ବରଂ ପ୍ରତ୍ୟେକ୍ଷଦର୍ଶୀ ଓ ଘଟଣା ସ୍ଥଳରୁ ଜବତ ସାମଗ୍ରୀକୁ ଆଧାର କରି ତଦନ୍ତ ଚାଲିଛି। ଏହାପରେ ବେଲ୍ ଖାରଜ କରିଦେଇଥିଲେ ହାଇକୋର୍ଟ। ପରେ ମୁନୱର ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟ ତାଙ୍କୁ ବେଲ୍ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/faruki_1627366906.jpg)