nirmala -1
ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥା ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ, ଆଉ ୩ ଦିନ ପରେ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ନିଜ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ରେ ଅର୍ଥମନ୍ତ୍ରୀଙ୍କ ଫୋକସ୍ରେ ରହିବ କେଉଁ ସବୁ ସେକ୍ଟର ? ଦେଶର ଧିମା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିବାକୁ କେଉଁ ରଣନୀତି ଆପଣାଇବେ ନିର୍ମଳା ? ଅନୁମାନ କରାଯାଉଛି, ଆସନ୍ନ ବଜେଟ୍ରେ ରିୟଲ୍ ଇଷ୍ଟେଟ୍ ଓ ଅଟୋ ମୋବାଇଲ୍ସ ସେକ୍ଟରକୁ ପ୍ରୋତ୍ସାହିତ କରିବାକୁ କିଛି ବଡ଼ ଘୋଷଣା ହୋଇପାରେ।
ଏହି ଦୁଇଟି କ୍ଷେତ୍ରର ରୁଗ୍ଣାବସ୍ଥା, ଦେଶର ଆର୍ଥିକ ମାନ୍ଦାବସ୍ଥାର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେଣୁ ଏଥିରେ ସୁଧାର ଆଣିବାକୁ ବଜେଟ୍ରେ ଗୃହ ଋଣ ଓ ଗାଡ଼ି ଋଣ ପାଇଁ ରିହାତି ବୃଦ୍ଧି କରାଯାଇପାରେ ବୋଲି ଲୋକେ ଆଶା ରଖିଛନ୍ତି।
ଗତ କାମଚଳା ବଜେଟ୍ରେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ଅତିରିକ୍ତ ଦେଢ଼ ଲକ୍ଷ ଟଙ୍କାର ରିହାତି ଓ ବିଦ୍ୟୁତ୍ ଚାଳିତ ଯାନ କ୍ରୟ ପାଇଁ ସୁଧ ଉପରେ ଅତିରିକ୍ତ ଦେଢ଼ ଲକ୍ଷ ଆୟକର ରିହାତି ଘୋଷଣା କରିଥିଲେ ନିର୍ମଳା । ତେବେ ଏହି ଦୁଇଟି କ୍ଷେତ୍ର ବ୍ୟତୀତ ନିଯୁକ୍ତି ସୃଷ୍ଟି ପାଇଁ MSME ସେକ୍ଟରକୁ ସେ ଗୁରୁତ୍ୱ ଦେଇପାରନ୍ତି ବୋଲି ଅର୍ଥନୀତି ବିଶେଷଜ୍ଞ ଅନୁମାନ କରୁଛନ୍ତି।
ତେବେ ମଧ୍ୟବିତ୍ତଙ୍କ ନଜର ଆୟକର ଛାଡ଼ ସୀମା ଉପରେ । ଗତ ବଜେଟ୍ରେ କରଯୋଗ୍ୟ ଆୟ ପାଇଁ କର ଛାଡ଼ ସୀମା ବାର୍ଷିକ ୫ ଲକ୍ଷରେ ଅପରିବର୍ତ୍ତିତ ରହିଥିବା ବେଳେ, ଏହି ସୀମାକୁ ଆହୁରି ବୃଦ୍ଧି ପାଇଁ ଆଶା ରହୁଛି ।
ସେପଟେ ଆୟକର ବୋଝ କମାଇବାକୁ ସ୍ଲାବ୍ରେ କେଉଁ ଧରଣର ପରିବର୍ତ୍ତନ ହେଉଛି, ତା ଉପରେ ମଧ୍ୟ ନଜର ରଖିଛନ୍ତି ଆୟକରଦାତା । ଗତ ଡିସେମ୍ବରରେ କେନ୍ଦ୍ର ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର କର୍ପୋରେଟ୍ ଟିକସ ରିହାତି ଘୋଷଣା କରିଥିବାରୁ, ଏଥର ଆୟକର ଉପରେ ବଜେଟ୍ରେ ନିଶ୍ଚୟ ରିହାତି ରହିବ ବୋଲି ଅର୍ଥନୀତି ବିଶେଷଜ୍ଞ ଅନୁମାନ କରୁଛନ୍ତି ।
୨୦୧୯-୨୦ ବର୍ଷରେ ରାଜସ୍ୱ ଆଦାୟ, ଆଶା ଠାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା କମିବାର ଆଶଙ୍କା କରାଯାଉଛି। କର୍ପୋରେଟ୍ ଟିକସ୍ରେ ରିହାତି ଯୋଗୁଁ କେନ୍ଦ୍ର ଉପରେ ଅତିରିକ୍ତ ବୋଝ ମଧ୍ୟ ପଡ଼ିଛି । ତେଣୁ ଗୋଟିଏ ପଟେ ଦେଶର ଆର୍ଥିକ ମାନ୍ଦାବସ୍ଥା ସୁଧାରିବାକୁ ଲୋକଙ୍କ ହାତକୁ ଅର୍ଥ ଆସିବାର ଆବଶ୍ୟକତା ଥିବା ବେଳେ, ଅନ୍ୟପଟେ ଆୟକର ହ୍ରାସ ନେଇ ନିଷ୍ପତ୍ତି ନେବା ସୀତାରମଣଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ତେବେ ଏହାକୁ ସେ କିଭଳି ସାମ୍ନା କରୁଛନ୍ତି ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nirmala-1-1_1626690991.jpg)