saha
ନୂଆଦିଲ୍ଲୀ : ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡିର ଦୋସ୍ତି ଆଜି ସଂସଦରେ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିଛି। ଅନେକ ଦଳ ଏହି ବିଲକୁ ଅସମ୍ବିଧାନିକ କହି ବିରୋଧ କରୁଥିଲେ ହେଁ ବିଜେଡିର ସମର୍ଥନ ପଛରେ କିଛି ଡିଲ୍ ନା ଚାପ ରହିଛି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଥିଲେ। ତେବେ ଏହି ବିଲକୁ ସଂସଦ ବାହାରେ ଓ ଭିତରେ ଜୋରଦାର ବିରୋଧ କରାଯାଇଥିଲା। ଜୋରଦାର ବିତର୍କ ଭିତରେ ଲୋକସଭାକୁ ସିଧା ନୁହେଁ ଡିଭିଜନ ଭୋଟ ଆଧାରରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍-୨୦୧୯ ଆସିଥିଲା। ଏହା ସପକ୍ଷରେ ୨୯୩ ଭୋଟ ପଡ଼ିଥିବା ବେଳେ ୮୨ଟି ବିରୋଧରେ ଯାଇଥିଲା।
ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବଭଳି ଏଥିର ବି ମୋଦି ସରକାରଙ୍କୁ ଏହି ବିଲରେ ବିଜେଡିର ସାଥ୍ ମିଳିଛି। ବିଲରେ ବିରୋଧ କଲାଭଳି କୌଣସି ଗୁରୁତର କଥା ନାହିଁ ଓ ଏହା ସମ୍ବିଧାନ ପରିପନ୍ଥୀ ନୁହେଁ। ତେଣୁ ଦଳ ଏହାକୁ ସମର୍ଥନ କଲା ବୋଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି।
ବିଲ ବ୍ୟବସ୍ଥା ଅନୁସାରେ ଧାର୍ମିକ କାରଣକୁ ନେଇ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ପଳାଇ ଆସିଥିବା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍, ଖ୍ରୀଷ୍ଟିଆନ ଓ ପାର୍ସି ଭଳି ୬ଟି ଧର୍ମର ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇ ପାରିବ। କିନ୍ତୁ ଏଥିରୁ ଇସଲାମ୍ ଧର୍ମକୁ ବାଦ୍ ଦିଆଯାଇଛି।
ଏହି କାରଣରୁ ବିଲକୁ ଅସାମ୍ବିଧାନିକ ଓ ଧାରା ୧୪ର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି କହି ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି। ତେବେ ଏଭଳି ବିବାଦୀୟ ବିଲକୁ ବିଜେଡିର ସମର୍ଥନ ପଛରେ କାରଣ କଣ? ଚାପ ନା ଡିଲ୍ ? ବଦଳୁଥିବା ରାଜନୈତିକ ଦୃଶ୍ୟପଟ୍ଟରେ ବିଜେପିର ସ୍ଥାୟୀ ସହଯୋଗୀର ଆସନ ନେଉଛି କି ବିଜେଡି ?
ତେବେ ଏହାଦ୍ୱାରା ଦଳର ଧର୍ମ ନିରପେକ୍ଷ ଛବି ଓ ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବନି ତ? ଯାହାକୁ ନେଇ ବିଜେଡିକୁ ସିଧା ଟାର୍ଗେଟ୍ କରିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ ପୂର୍ବରୁ ଉଭୟଙ୍କ ମଧ୍ୟରେ ରାଜନୀତିକ କାରଣ ପାଇଁ ଅବୈଧ ସନ୍ଧି ଥିବା ସମସ୍ତେ ଜାଣନ୍ତି। ମାତ୍ର ଏବେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ସଂସଦରେ ନଉଠାଇବା ପାଇଁ ଅବୈଧ ସନ୍ଧି ହୋଇଛି।” ତେବେ ବିଜେପି ସହ ସମସ୍ତ ଡିଲକୁ ବିଜେଡି ପକ୍ଷରୁ ଖାରଜ କରାଯାଇଛି।
ଆଗକୁ ଓଡ଼ିଶାରୁ ୪ ରାଜ୍ୟସଭା ସିଟ୍ ଖାଲି ହେବାକୁ ଥିବା ଏବଂ ବିଜେଡିର ବିଧାନ ପରିଷଦ ଗଠନ ଉଦ୍ୟମ ପରିପ୍ରେକ୍ଷୀରେ ବିଜେପି-ବିଜେଡିର ଏ ବନ୍ଧୁତ୍ୱ କେଉଁ ସୋପାନକୁ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/saha_1626687041.jpg)