ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍ର ପ୍ରଭାବ ଶୀର୍ଷକ ଅଧ୍ୟୟନ ଆରମ୍ଭ କରିଥିଲେ। ସେମାନେ ନିର୍ବାଚନ ପ୍ରଚାର ପାଇଁ ଟ୍ରମ୍ପ କରିଥିବା ରାଲିକୁ ମଧ୍ୟ ବିଚାରକୁ ନେଇଥିଲେ। ସେମାନେ କହିଥିଲେ ଯେ କରୋନା ସମୟରେ ରାଲିଗୁଡ଼ିକରେ ଯୋଗ ଦେଇଥିବା ଗୋଷ୍ଠୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।
ଗବେଷକଙ୍କ ମତରେ ଜୁନ୍ ମାସ ୨୦ ତାରିଖରୁ ନେଇ ସେପ୍ଟେମ୍ୱର ୨୨ ତାରିଖ ମଧ୍ୟରେ ଟ୍ରମ୍ପ ୧୮ଟି ରାଲି କରିଥିଲେ। ଯେଉଁଥିରେ ୩୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ସହ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସେମାନେ ଗବେଷଣାରୁ ଜାଣିପାରିଥିଲେ।
ଗବେଷକମାନେ କୋଭିଡ୍ ପରିଚାଳନା କରୁଥିବା ସଂସ୍ଥା ଗୁଡ଼ିକୁ ଏନେଇ ସଚେତନ କରାଇଛନ୍ତି। ସେମାନେ କହିଛନ୍ତି ଯେ, କୌଣସି ସ୍ଥାନରେ ଯଦି ବହୁ ସଂଖ୍ୟାରେ ଲୋକ ଏକାଠି ହେଉଛନ୍ତି ଏବଂ ସେମାନେ ଠିକ୍ରେ ମାସ୍କ ପିନ୍ଧୁନାହାନ୍ତି ବା ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ତେବେ ଗୋଷ୍ଠୀ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଯାହାକି ଟ୍ରମ୍ପଙ୍କ ରାଲିରୁ ସ୍ପଷ୍ଟ ଜଣାପଡ଼ୁଛି। ତେଣୁ କୋଭିଡ୍ ପରିଚାଳନା କରୁଥିବା ସଂସ୍ଥା ଏଥିପ୍ରତି ଅଧିକ ଧ୍ୟାନ ଦେବା ଅବଶ୍ୟକ ବୋଲି ସେମାନେ କହିଛନ୍ତି।
ଏହି ଅଧ୍ୟୟନକୁ ନେଇ ଆମେରିକା ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ଜୋଏ ବିଡେନ ଟ୍ୱିଟରରେ କହିଛନ୍ତି ଯେ, ଟ୍ରମ୍ପ କେବେ ନିଜ ପ୍ରତି ଯତ୍ନବାନ ନୁହନ୍ତି କି ତାଙ୍କ ସହଯୋଗୀମାନଙ୍କ ପ୍ରତି ମଧ୍ୟ ଯତ୍ନବାନ ନୁହନ୍ତି।
ଏହି ଅଧ୍ୟୟନ ଗତ ଶୁକ୍ରବାର ପ୍ରକାଶ ପାଇଥିବାବେଳେ ସେ ପର୍ଯ୍ୟନ୍ତ ଆମେରିକାରେ ୮.୭ ମିଲିୟନ ଲୋକ କରୋନାରେ ଆକ୍ରାନ୍ତ ହେବା ସହ ୨ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।