Advertisment

What Krishna Spoke in the Kuru Sabha: କୁରୁସଭାରେ କୃଷ୍ଣ କ'ଣ କହିଲେ ଓ ସମସ୍ତଙ୍କ କଥା ଶୁଣି କ'ଣ ଉତ୍ତର ଦେଲେ ଦୁର୍ଯ୍ୟୋଧନ?

ଦୁର୍ଯ୍ୟୋଧନଙ୍କୁ କ'ଣ କହିଲେ ଭୀଷ୍ମ ପିତାମହ, ଆଚାର୍ଯ୍ୟ ଦ୍ରୋଣ ଓ ରାଜା ଧୃତରାଷ୍ଟ୍ର? ସମସ୍ତଙ୍କ କଥା ଶୁଣି କ'ଣ ଉତ୍ତର ଦେଲେ ଦୁର୍ଯ୍ୟୋଧନ? କ'ଣ ଥିଲା ତାଙ୍କର ଯୁକ୍ତି? କାହିଁକି ରାଜ୍ୟ ଫେରାଇବାକୁ ଚାହୁଁନଥିଲେ ସେ ? ଏଇ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

Mahabharat

Mahabharat Photograph: (OTV)

Advertisment

କୁରୁସଭା ଭିତରେ ଶ୍ରୀକୃଷ୍ଣ ଠିଆ ହୋଇ କହିଲେ, ‘ମୋର ଶାନ୍ତି ପ୍ରତିଷ୍ଠା କରିବାର ପ୍ରୟାସ ଛଡା ଆଉ କିଛି ନାହିଁ।’ ତାପରେ ସେ ରାଜା ଧୃତରାଷ୍ଟ୍ରଙ୍କୁ ଚାହିଁ କହିଲେ, ‘ହେ ରାଜନ ! ସଂସାରରେ ଏମିତି କୌଣସି ଜିନିଷ ନାହିଁ ଯାହା ଆପଣ ଜାଣନ୍ତି ନାହିଁ । ଆପଣଙ୍କ ବଂଶଧରମାନେ ଶାସ୍ତ୍ର, ଜ୍ଞାନ ଓ ଉତ୍ତମ ଆଚରଣ ପାଇଁ ଶ୍ରେଷ୍ଠ ନରପତି ଭାବରେ ଗଣା ହୁଅନ୍ତି । କୁରୁ ବଂଶର ରାଜାମାନେ ପର ଦୁଃଖରେ ଦୁଃଖୀ ହୁଅନ୍ତି । ସେମାନେ ସମସ୍ତେ କ୍ଷମାଶୀଳ, ସତ୍ୟବାଦୀ ଓ ସରଳ ଥିଲେ। ସେଇ ବଂଶର ରାଜା ଆପଣ । କିନ୍ତୁ ଆପଣଙ୍କ ସମୟରେ ହିଁ ଜତୁଗୃହ ଷଡ଼ଯନ୍ତ୍ର କରାଗଲା ଓ କପଟ ପଶା ଖେଳାଗଲା ।

Advertisment

ଆପଣଙ୍କ ପୁଅମାନେ ଲୋଭ, ଗର୍ବ ଓ ଅହଂକାରର ବଶବର୍ତ୍ତୀ ହୋଇ ଧର୍ମ ଓ ଅଧର୍ମ ଭିତରେ ବାଛ ବିଚାର କରିପାରିଲେନି । ଆପଣ ଥାଉ ଥାଉ ଆପଣଙ୍କ ସାନଭାଇର ପୁଅମାନେ ଓ ବୋହୂ ବିଭିନ୍ନ ପ୍ରକାର ଅପମାନ ସହି ଦୁଃଖ କଷ୍ଟ ସହି ବନବାସରେ ଗଲେ । ଏବେ ସେମାନେ ବନବାସରୁ ଫେରି ସେମାନଙ୍କ ପୈତୃକ ରାଜ୍ୟର ଅଂଶ ମାଗୁଛନ୍ତି । ଆପଣଙ୍କ ପାଖରେ ପାଣ୍ଡବ ଓ କୌରବମାନଙ୍କ ଭିତରେ କିଛି ପାତର ଅନ୍ତର ରହିବା କଥା ନୁହେଁ । ପିଲାଦିନରୁ ପାଣ୍ଡବମାନେ ସେମାନଙ୍କ ପିତାଙ୍କୁ ହରାଇ ଆପଣଙ୍କୁ ପିତୃତୁଲ୍ୟ ମାନ୍ୟ କରନ୍ତି । ସେମାନଙ୍କୁ ସେମାନଙ୍କ ଭାଗ ଫେରାଇଦେଲେ କଥା ସରନ୍ତା । ଅଯଥା ଯୁଦ୍ଧର ଆଶଙ୍କାକୁ ଏଡାଇଦେଇ ହୁଅନ୍ତା ।’

କୃଷ୍ଣ ଆହୁରି କହିଲେ, ‘ହେ ରାଜା ! ଆପଣ ଥରେ ଭାବି ଦେଖନ୍ତୁ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ବନ୍ଧୁତା ହୋଇଗଲେ ସମଗ୍ର ଧରାପୃଷ୍ଠରେ କେହି ନାହାଁନ୍ତି ସେମାନଙ୍କୁ ସାମ୍ନା କରିପାରିବ । କିନ୍ତୁ ଯୁଦ୍ଧ ହେଲେ ଯୁଦ୍ଧରେ ପାଣ୍ଡବ ଅବା କୌରବ ପକ୍ଷର ନିଶ୍ଚୟ ବିନାଶ ହେବ । ଯାହାର ବି ବିନାଶ ହେଉ କ୍ଷତି ତ ଆପଣଙ୍କର ହେବ । କାରଣ ଉଭୟ ପକ୍ଷ ତ ଆପଣଙ୍କ ନିଜର ପରିଜନ । ଏବେ ଉଭୟ ପକ୍ଷ କ୍ରୋଧରେ ଅଛନ୍ତି । ଆପଣ ଆପଣଙ୍କ ପୁଅମାନଙ୍କୁ ବୁଝାନ୍ତୁ ଓ ମୁଁ ପାଣ୍ଡବମାନଙ୍କୁ ବୁଝାଇବାର ଦାୟିତ୍ୱ ନେଉଛି । ସମସ୍ୟାର ନ୍ୟାୟପୂର୍ଣ୍ଣ ସମାଧାନ କରି ନିଜର ପ୍ରଜାମାନଙ୍କ ଉପରେ ଅଯଥା ଯୁଦ୍ଧର ବୋଝ ଲଦନ୍ତୁ ନାହିଁ ।’

Advertisment

କୃଷ୍ଣଙ୍କ କଥା ଶୁଣି ରାଜା ଧୃତରାଷ୍ଟ୍ର କହିଲେ ‘ହେ କେଶବ ଆପଣ ଯାହା କହିଲେ ସବୁ କିଛି ଧର୍ମାନୁମୋଦିତ ଓ ନ୍ୟାୟାନୁମୋଦିତ କଥା । କିନ୍ତୁ ଶାସ୍ତ୍ରଜ୍ଞାନ ନଥିବା ମୋର ମନ୍ଦବୁଦ୍ଧି ପୁଅ କେବେବି ମୋର ପ୍ରିୟ କାର୍ଯ୍ୟ କରେନି । ହେ ପୁରୁଷୋତ୍ତମ! ମୁଁ ଯେତେଥର ଯେତେ ପ୍ରକାର ବୁଝେଇ କହିଲି ଯେ ପାଣ୍ଡବମାନଙ୍କ ଦେଶ ଫେରାଇଦେ, ସେ କିଛି ଶୁଣିଲାନି । ଆପଣ ଥରେ ସେ ନିର୍ବୋଧକୁ ବୁଝାଇ କୁହନ୍ତୁ। କାଳେ ଆପଣଙ୍କ କଥା ସେ ଶୁଣିବ । ତାକୁ ବୁଝେଇ ବୁଝେଇ ଭୀଷ୍ମ, ବିଦୁର ଓ ଗାନ୍ଧାରୀ ଆଦି ପୂର୍ବରୁ ଅପମାନିତ ହୋଇସାରିଛନ୍ତି ।’

ରାଜା ଧୃତରାଷ୍ଟ୍ରଙ୍କ ଅସହାୟ ବାକ୍ୟ ଶୁଣି ହୃଷିକେଶ ଆସନରୁ ଉଠି ଦୁର୍ଯ୍ୟୋଧନ ପାଖକୁ ଗଲେ । ସ୍ମିତ ହସ ଖେଳାଇ କହିଲେ, ‘ହେ କୁରୁବର!  ତୁମେ ଅତ୍ୟନ୍ତ କ୍ରୋଧର ବଶବର୍ତ୍ତୀ ହେଇ କାହା କଥା ଶୁଣିନ । ଏବେ ଶାନ୍ତ ମନରେ ମୋ କଥା ଟିକେ ଶୁଣ । ତୁମେ ଉଚ୍ଚ ବଂଶରେ ଜନ୍ମ ନେଇଛ । ଉପଯୁକ୍ତ ଭାବରେ ବିଦ୍ୟା ଅଧ୍ୟୟନ ବି କରିଛ । ତୁମେ ଜାଣିଛ ସାଧୁମାନେ ଧର୍ମକାର୍ଯ୍ୟରେ ମନୋନିବେଶ କରନ୍ତି ଓ ଅଧର୍ମୀମାନେ ଅନର୍ଥପୂର୍ଣ୍ଣ କର୍ମରେ ପ୍ରବୃତ୍ତ ହେଇ ରହିଥା'ନ୍ତି । ମନ୍ଦକର୍ମର ପ୍ରବୃତ୍ତି ପାଇଁ ସେମାନେ ଅଯଥା ଅନ୍ୟାୟପୂର୍ଣ୍ଣ ଅହଂର ବଶବର୍ତ୍ତୀ ହୋଇ ନିରର୍ଥକ ପ୍ରତିଜ୍ଞା କରନ୍ତି ।

Advertisment

ତୁମେ ସେପରି କିଛି ଅଯଥା ପ୍ରତିଜ୍ଞା କରିଛ । ତୁମେ ଗର୍ବ ଓ ଅଭିମାନରେ ଯାହା କରୁଛ ତାହା କେବଳ ଦସ୍ୟୁ, ଘାତକ ଓ ନିର୍ଲଜ ଶ୍ରେଣୀର ଲୋକମାନେ କରନ୍ତି । ତେଣୁ ସମସ୍ତଙ୍କର ମଙ୍ଗଳ ପାଇଁ ଯଥାଶୀଘ୍ର ପାଣ୍ଡବମାନଙ୍କ ସହ ଶାନ୍ତି ସ୍ଥାପନ କର । ତୁମେ ବୁଝିପାରୁନ ଯେ ପାଣ୍ଡବମାନଙ୍କ ସହ ଶତ୍ରୁତା କରି ତୁମେ ନିଜର ଧ୍ୱଂସକୁ ଡାକୁଛ । ତୁମେ ଯେଉଁ କର୍ଣ୍ଣ, ଶକୁନି, ଦୁଃଶାସନ ଆଦିଙ୍କୁ ଧରି ଯୁଦ୍ଧ ଜୟ କରିବାକୁ ବାହାରିଛ ସେମାନେ ମିଳିମିଶି ବି ଏକା ଅର୍ଜୁନ ଆଗରେ ଠିଆ ହେଇ ପାରିବେନି । ପିତାମହ ଭୀଷ୍ମ, ତୁମ ପିତା ଧୃତରାଷ୍ଟ୍ର, ମାତା ଗାନ୍ଧାରୀ, ଗୁରୁ ଦ୍ରୋଣ, କୃପ ଓ ବିଦୁର ଆଦି ସମସ୍ତଙ୍କର ଇଚ୍ଛା ତୁମେ ପାଣ୍ଡବମାନଙ୍କ ସହ ଶାନ୍ତି ସ୍ଥାପନ କର । ମଙ୍ଗଳ କାମନା କରୁଥିବା ଆତ୍ମୀୟମାନଙ୍କୁ ଛାଡି ଯେଉଁ ଦୁର୍ଜନଙ୍କ କଥାରେ ପରିଚାଳିତ ହେଉଛ, ସେମାନଙ୍କୁ ବରଂ ତୁରନ୍ତ ପରିତ୍ୟାଗ କର ।’

ଶାନ୍ତି ପାଇଁ ଉପଦେଶ ଦେଲେ କୃଷ୍ଣ

କୃଷ୍ଣଙ୍କ ଉପଦେଶ ପରେ ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ଜିଦ୍ ଛାଡି ପାଣ୍ଡବମାନଙ୍କୁ ସେମାନଙ୍କ ଦେଶ ଫେରାଇଦେଇ ଶାନ୍ତି ସ୍ଥାପନ କରିବାକୁ ଉପଦେଶ ଦେଲେ । ଆଚାର୍ଯ୍ୟ ଦ୍ରୋଣ କହିଲେ, ‘ହେ ଦୁର୍ଯ୍ୟୋଧନ! ମନେରଖ ଯେଉଁ ଯୁଦ୍ଧ ଭୂମିରେ କୃଷ୍ଣ ଓ ଅର୍ଜୁନ ମିଶି ଛିଡା ହେଇଥିବେ, ସେଇଠି ସେମାନଙ୍କୁ ଇନ୍ଦ୍ର ଆସିଲେ ବି ପରାସ୍ତ କରିପାରିବେନି । ଯିଏ ଖାଣ୍ଡବ ବନରେ ଇନ୍ଦ୍ର, ଗନ୍ଧର୍ବ, ଯକ୍ଷ, ଅସୁର ଓ ସର୍ପମାନଙ୍କ ସହ ଯୁଦ୍ଧ କରି ବିଜୟୀ ହେଇଥିଲେ ତାଙ୍କୁ କିଏ ଅବା ପରାଜିତ କରିବ? ତୁମେ କୃଷ୍ଣଙ୍କ ଉପଦେଶକୁ ଅବଜ୍ଞା କଲେ ଶେଷରେ ଅନୁତାପ ହିଁ କରିବ । ତେଣୁ ଦୁର୍ଜନ ସଙ୍ଗ ଛାଡି ପାଣ୍ଡବମାନଙ୍କ ସହ ମିଶିଲେ ତୁମର ମଙ୍ଗଳ ହେବ ।’

କୃଷ୍ଣଙ୍କ କଥା ଶୁଣିଲା ପରେ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନକୁ କହିଲେ, ‘ସୃହୁତମାନଙ୍କ ସହ ଶାନ୍ତି ରକ୍ଷା କରିବାକୁ ଶ୍ରୀକୃଷ୍ଣ ଯାହା କହିଲେ ତାହା ପାଳନ କର । କେଶବଙ୍କ କଥା ଶୁଣ ଓ ବୃଥାରେ ରକ୍ତ କ୍ଷୟ କରିବାର ଓ ପ୍ରଜା ବିନାଶର ଯୋଜନା କରନି ।’ ତାପରେ ଭୀଷ୍ମ ରାଜା ଧୃତରାଷ୍ଟ୍ରଙ୍କ ଉଦ୍ଦେଶ୍ୟରେ କହିଲେ, ‘ହେ ରାଜା ! ତୁମକୁ କୌଣସି ଉପାୟରେ ହେଉ ପଛେ ଶାନ୍ତି ପ୍ରତିଷ୍ଠା କରିବାକୁ ହେବ । ନହେଲେ ମନେରଖ, ବୁଢା ବୟସରେ ତୁମକୁ ତୁମର ସମସ୍ତ ଆତ୍ମୀୟଙ୍କୁ ହରେଇ ଅତ୍ୟନ୍ତ ଦୁଃଖର ସହ ଶେଷ ସମୟ କାଟିବାକୁ ପଡିବ ।’

ଭୀଷ୍ମଙ୍କ କଥା ପରେ ଆଚାର୍ଯ୍ୟ ଦ୍ରୋଣ ଅତ୍ୟନ୍ତ କ୍ରୋଧପୂର୍ଣ୍ଣ ସ୍ୱରରେ କହିଲେ, ‘ହେ ଦୁର୍ଯ୍ୟୋଧନ! ଭୀଷ୍ମ ଓ କୃଷ୍ଣ ଯାହା କହିଲେ ତୁମେ ସେ ବିଷୟରେ ଟିକେ ଭଲରେ ଚିନ୍ତା କର । ନିର୍ବୋଧଙ୍କ ପରି ସେମାନଙ୍କ କଥାର ଅବମାନନା କରନ୍ତି । କର୍ଣ୍ଣ ଆଦି ତୁମର ବନ୍ଧୁମାନେ ତୁମକୁ ଯେଉଁ ଯୁଦ୍ଧ ବିଜୟର ଆଶ୍ୱାସନା ଦେଉଛନ୍ତି, ସେମାନେ କେବେ ବି ଯୁଦ୍ଧ ଜୟ କରିପାରିବେନି । ମନେରଖ ଯେଉଁ ପକ୍ଷରେ କୃଷ୍ଣ ଓ ଅର୍ଜୁନ ଥିବେ ତାଙ୍କୁ କେହିବି ପରାଜୟ କରିପାରିବେନି । ତୁମକୁ କାହାର ହିତକର କଥା ତ ଭଲ ଲାଗେନି । ତୁମକୁ ଅନେକ ଥର ଅନେକ କଥା କୁହା ଗଲାଣି । ଏବେ ଆଉ କିଛି କହି ଲାଭ ନାହିଁ । କହିବାକୁ ମୋର ଇଚ୍ଛା ବି ଆଉ ନାହିଁ । ତୁମକୁ ଯାହା ଠିକ ଲାଗୁଛି କର ।’

ଦ୍ରୋଣଙ୍କ ପରେ ବିଦୁର କହିଲେ, ‘ହେ ଦୁର୍ଯ୍ୟୋଧନ! ଆମେ ତୁମ ପାଇଁ ବ୍ୟସ୍ତ ହେଉନୁ । ବ୍ୟସ୍ତ ହେଉଛୁ ତୁମ ବୁଢା ବାପା ମାଆଙ୍କ ପାଇଁ । ତୁମ ପରି କୁଳାଙ୍ଗାର ବଂଶବୁଡା ପୁତ୍ର ଯେ ସେମାନଙ୍କୁ ବୁଢା କାଳରେ କି କି ଦୁଃଖ କଷ୍ଟ ଦେବ ସେକଥା ଭାବି ଭାବି ବଡ ଚିନ୍ତା ଲାଗୁଛି ।’

ଏଯାଏଁ ସମସ୍ତଙ୍କ କଥା ନୀରବରେ ଶୁଣୁଥିବା ରାଜା ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ କହିଲେ, ‘ପୁଅ, ତୁମେ କୃଷ୍ଣ, ଭୀଷ୍ମ ପିତାମହ, ଦ୍ରୋଣ ଓ ବିଦୁରଙ୍କ କଥା ମନଦେଇ ଶୁଣ ଓ ଭଲକରି ଟିକେ ଭାବ । ବାସୁଦେବଙ୍କ କଥା ଶୁଣ ଓ ଶାନ୍ତି ରକ୍ଷା କରିବାକୁ ଚେଷ୍ଟା କର । ମୋ ମତରେ ତୁମେ ବରଂ କୃଷ୍ଣଙ୍କ ସାଙ୍ଗରେ ଯୁଧିଷ୍ଠିରଙ୍କ ପାଖକୁ ଯାଅ ଓ ସନ୍ଧି କର ।’

ସମସ୍ତଙ୍କ କଥା ଶୁଣି ସାରିଲା ପରେ ଦୁର୍ଯ୍ୟୋଧନ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଲେ, ‘ହେ କେଶବ! ଆପଣଙ୍କର ଯାହା କହିବାର କଥା ତାହା ଆପଣ ଭଲରେ କହି ପାରିଥାନ୍ତେ । କିନ୍ତୁ ସେମିତି ନକରି ଆପଣ ଆମ ପ୍ରତି କଠୋର ଭାଷା ପ୍ରୟୋଗ କଲ । ଆପଣ ପାଣ୍ଡବମାନଙ୍କ ଭକ୍ତିରେ ବଶୀଭୂତ ହେଇ ସେମାନଙ୍କୁ ବଳବାନ ଓ ଶୌର୍ଯ୍ୟବାନ ଭାବୁଛନ୍ତି ଏବଂ ମୋର ନିନ୍ଦା କରୁଛନ୍ତି । ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ ମଧ୍ୟ ମୋ ଛଡା ଅନ୍ୟ କାହାର ନିନ୍ଦା କରନ୍ତିନି । ମୁଁ କିଛି ବି ଅନ୍ୟାୟ କରିନି, ଅଥଚ ସମସ୍ତେ ମୋ ବିରୁ୍ଦ୍ଧରେ ଠିଆ ହୋଇଛନ୍ତି । ମୁଁ ସ୍ଥିର ମନରେ ବହୁ ଚିନ୍ତା କରି ବି ନିଜର କିଛି ବି ଦୋଷ ଦେଖିପାରୁନି ।

ହେ କେଶବ! ପାଣ୍ଡବମାନେ ଖୁସି ଖୁସିରେ ପଶା ଖେଳିବାକୁ ସ୍ୱୀକୃତି ଦେଇଥିଲେ ଓ ଖେଳରେ ଶକୁନି ମାମୁଙ୍କ ପାଖରୁ ପରାଜିତ ହେଇ ସର୍ବସ୍ୱ ହରାଇଥିଲେ । ସେସବୁ ତାଙ୍କୁ ପ୍ରଥମ ଥର ପାଇଁ ମୁଁ ଫେରାଇ ବି ଦେଇଥିଲି । ତାପରେ ପାଣ୍ଡବମାନେ ପୁଣି ଥରେ ଖେଳରେ ହାରି ବନବାସରେ ଯାଇଥିଲେ । ଖେଳର ସର୍ତ୍ତ ତ ସେଇଆ ଥିଲା । ମୁଁ ହାରିଥିଲେ ଅରଣ୍ୟକୁ ଯାଇଥାନ୍ତି । ସେମାନେ ହାରିଲେ ବୋଲି ବଣକୁ ଗଲେ । ଏଥିରେ ମୋର କୋଉଠି ଦୋଷ ରହିଲା ମୁଁ ବୁଝିପାରୁନି । ଏବେ ଦୁଷ୍ଟ ଚିତ୍ତ ପାଣ୍ଡବମାନେ ମୋ ସାଙ୍ଗରେ ଯୁଦ୍ଧ କରିବାକୁ ବାହାରିଛନ୍ତି । ମୁଁ କୌଣସି ପ୍ରକାର ଯୁଦ୍ଧ ଭୟରେ ସେମାନଙ୍କ ପାଖରେ କେବେବି ଶରଣ ନେବିନି ।

ଯୁଦ୍ଧକୁ ମୁଁ ଭୟ କରେନି । ସ୍ୱୟଂ ଦେବରାଜ ଆସିଲେ ବି ମୁଁ ଭୟ କରିବିନି । ଯୁଦ୍ଧରେ ମୋତେ ପରାସ୍ତ କଲାପରି କୌଣସି କ୍ଷତ୍ରୀୟ ପୁରୁଷକୁ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି । ହେ ମଧୁସୂଦନ! ପାଣ୍ଡବମାନଙ୍କ କଥା ଛାଡନ୍ତୁ, ଦେବତାମାନେ ଆସିଲେ ବି ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ ଓ ଅଶ୍ୱଥାମାଙ୍କ ପରି ଯୋଦ୍ଧାଙ୍କୁ ପରାସ୍ତ କରିପାରିବେନି । ହେ କେଶବ! ସ୍ୱଧର୍ମ ପାଳନ କରି ଯଦି ଆମେ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ବରଣ କରୁ ତେବେ ଆମର ସ୍ୱର୍ଗଲାଭ ହେବ । ମୁଁ ଅକାରଣରେ କ'ଣ ପାଇଁ କାହାକୁ ଅବା ଭୟ କରିବି? ଏବେ କୋଉ ଗୋଟେ ପକ୍ଷକୁ କ୍ଷତ୍ରୀୟ ଧର୍ମ ତ୍ୟାଗକରି ଭିକମାଗି ଚଳିବାକୁ ପଡିବ ।

ଆମେ ସାନ ଥିବା ବେଳେ ଭୟରେ କିମ୍ବା ଅଜ୍ଞାନରେ ଆମ ରାଜ୍ୟରୁ ଅଧା ପାଣ୍ଡବମାନଙ୍କୁ ଦାନ କରିଦେଇଥିଲେ । ହେ କେଶବ! ଆମ ପିତା ଏକଦା ପାଣ୍ଡବମାନଙ୍କୁ ଯେଉଁ ଅଧା ଦେଶ ଦେଇଥିଲେ ତାହା ମୁଁ ବଞ୍ଚିଥିବା ଭିତରେ ଆଉ ଫେରେଇବିନି । ସମସ୍ତଙ୍କୁ କହୁଛି ଶୁଣ, ବିନା ଯୁଦ୍ଧରେ ମୁଁ ପାଣ୍ଡବମାନଙ୍କୁ ଛୁଞ୍ଚି ମୁନରେ ମୁନେ ସ୍ଥାନ ବି ଦେବିନି ।’

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ