Mahabharat Photograph: (OTV)
କାହିଁକି ଭୀଷ୍ମ ସେନାପତି ଥିବା ପର୍ଯ୍ୟନ୍ତ କର୍ଣ୍ଣ ଯୁଦ୍ଧ କରିବେନି ବୋଲି କହିଲେ? କ'ଣ କହିଲେ କି ଭୀଷ୍ମଦେବ? କାହିଁକି ଯୁଦ୍ଧ ପୂର୍ବରୁ ବଳରାମ ଆସି ପାଣ୍ଡବଙ୍କ ଶିବିରରେ ପହଞ୍ଚିଲେ? କୃଷ୍ଣ କାହିଁକି କଲେ ରୁକ୍ମିଣୀ ହରଣ? ଏଇ ସମସ୍ତ ପ୍ରଶ୍ନର ଉତ୍ତର ଅଛି ଆଜିର ଅଧ୍ୟାୟରେ ।
ଆଗାମୀ ଯୁଦ୍ଧରେ ପାଣ୍ଡବମାନଙ୍କର ସେନାପତି କିଏ ହେବ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଲା । ଶେଷରେ କୃଷ୍ଣଙ୍କୁ ପଚରାଯିବାରୁ ସେ ଧୃଷ୍ଟଦ୍ୟୁମ୍ନଙ୍କ ନାମ ପ୍ରସ୍ତାବ ଦେଲେ । କୃଷ୍ଣଙ୍କ ପ୍ରସ୍ତାବ ପରେ ଆଉ କାହାର କିଛି କହିବାର ନଥିଲା । ଅନ୍ୟ ସମସ୍ତେ ଆନନ୍ଦରେ ହର୍ଷ ଧ୍ୱନି ଦେବାକୁ ଲାଗିଲେ ।
ସେନାପତି ଚୟନ ହୋଇଗଲା ପରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲା । ପାଣ୍ଡବ ଶିବିର କୋଳାହଳମୟ ହୋଇ ଉଠିଲା । ରଥାରୋହୀ, ଗଜାରୋହୀ, ପଦାତିକ ସୈନ୍ୟ ମିଳିମିଶି ଯେତେବେଳେ ଆଗକୁ ବଢ଼ିଲେ ସେତେବେଳେ ପୂରା ପରିବେଶ ଗର୍ଜନ କରୁଥିବା ଅଶାନ୍ତ ସମୁଦ୍ର ପରି ଦୃଶ୍ୟ ହେଉଥାଏ । ଭେରୀ, ତୁରୀ ସାଙ୍ଗରେ ହାତୀ ଓ ଘୋଡ଼ାମାନଙ୍କର ରଡ଼ି ତା' ସାଙ୍ଗକୁ ପୁଣି ଯୋଦ୍ଧାମାନଙ୍କର ଅସ୍ତ୍ରର ଝଙ୍କାର ଓ ଚିତ୍କାର ପରିବେଶକୁ ମୁଖରିତ କରି ରଖିଥାଏ । ସୈନ୍ୟବାହିନୀଙ୍କ ଆଗରେ ଭୀମ, କବଚଧାରୀ ନକୁଳ, ସହଦେବ, ଅଭିମନ୍ୟୁ, ଦ୍ରୌପଦୀଙ୍କ ପାଞ୍ଚ ପୁଅ ଓ ସେନାପତି ଧୃଷ୍ଟଦ୍ୟୁମ୍ନ ରହିଥିଲେ ।
ପାଣ୍ଡବମାନେ ପ୍ରଥମେ ଯୁଦ୍ଧକ୍ଷେତ୍ରରେ ସେମାନଙ୍କ ଶିବିର ସ୍ଥାପନ କଲେ । ସେପଟରେ କୃଷ୍ଣ ହସ୍ତିନାପୁର ଛାଡ଼ିଲା ପରେ ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁଃଶାସନ ଓ ଶକୁନି ବସି ମନ୍ତ୍ରଣା କରି ନିଶ୍ଚିନ୍ତ ଥିଲେ ଯେ କୃଷ୍ଣ ଫେରିଗଲା ପରେ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ । ତେଣୁ ସେ ତାଙ୍କ ସୈନ୍ୟମାନଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇସାରିଥା'ନ୍ତି ।
କୁରୁକ୍ଷେତ୍ରରେ ଉଭୟ ପକ୍ଷର ମିଶି ସମୁଦାୟ ଅଠର ଅକ୍ଷୌହିଣୀ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ପାଣ୍ଡବମାନଙ୍କର ସେନାପତି ଚୟନ ସରିଥିଲା । ଦୁର୍ଯ୍ୟୋଧନ କୌରବ ପକ୍ଷର ସେନାପତି ହେବା ପାଇଁ ପିତାମହ ଭୀଷ୍ମଙ୍କୁ ଯାଇ ଅନୁରୋଧ କଲେ । ଭୀଷ୍ମଙ୍କ ପାଖରେ ପହଞ୍ଚି ହାତଯୋଡ଼ି ଦୁର୍ଯ୍ୟୋଧନ କହିଲେ, ‘ହେ ପିତାମହ! ଯେତେ ବିଶାଳ, ଯେତେ ଶ୍ରେଷ୍ଠ ସୈନ୍ୟବାହିନୀ ଥିଲେ ମଧ୍ୟ ସେନାପତିଙ୍କ ବିନା ସେମାନେ ପିମ୍ଫୁଡ଼ି ଧାଡ଼ି ପରି ଏଣେ ତେଣେ ବିକ୍ଷିପ୍ତ ହୋଇଯିବେ ।
ଆମ ପାଖରେ ଶ୍ରେଷ୍ଠ ସୈନ୍ୟବଳ ତ ଅଛନ୍ତି, କିନ୍ତୁ ସେନାପତି ନାହାନ୍ତି । ଆପଣ ଶୁକ୍ରାଚାର୍ଯ୍ୟଙ୍କ ସମାନ । ପିତାଙ୍କ ପାଖରୁ ବର ପାଇ ଇଚ୍ଛାମୃତ୍ୟୁର ଅଧିକାରୀ । ଆପଣ ଧର୍ମପରାୟଣ ଓ କୁରୁ ସିଂହାସନର ହିତାକାଂକ୍ଷୀ । ତେଣୁ ମୁଁ ଅନୁରୋଧ କରୁଛି, ଦେବତାମାନଙ୍କର ସେନାପତି କାର୍ତ୍ତିକେୟଙ୍କ ପରି ଆପଣ ଆମ ଆଗରେ ରୁହନ୍ତୁ । କାର୍ତ୍ତିକେୟଙ୍କୁ ସେନାପତି କରି ଦେବତାମାନେ ଯେମିତି ସମସ୍ତ ଯୁଦ୍ଧରେ ବିଜୟ ଲାଭ କରନ୍ତି ସେମିତି ଆପଣଙ୍କୁ ସେନାପତି ଭାବରେ ବରଣ କରି କୌରବମାନେ ଆଗାମୀ ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିବେ । ଆପଣ ମହା ବୃଷଭ ପରି ଆଗରେ ରହିବେ ଓ ଆମେ ସମସ୍ତେ ଗୋରୁପଲ ପରି ଆପଣଙ୍କ ପଛରେ ପଛରେ ଯିବୁ ।’
କୌରବ ଓ ପାଣ୍ଡବ ମୋ ଦୃଷ୍ଟିରେ ସମାନ
ଦୁର୍ଯ୍ୟୋଧନଙ୍କର କଥା ଶୁଣି ପିତାମହ ଭୀଷ୍ମ କହିଲେ, ‘ମୁଁ କୌରବ ଓ ପାଣ୍ଡବ ଉଭୟ ପକ୍ଷର ମଙ୍ଗଳ କାମନା କରେ । ମୋର ପୂର୍ବ ପ୍ରତିଜ୍ଞା ଅନୁସାରେ ମୁଁ ନିଶ୍ଚୟ କୌରବ ରାଜ ସିଂହାସନ ପକ୍ଷରେ ରହି ଯୁଦ୍ଧ କରିବି । ମୁଁ ତୁମ ଅନୁରୋଧ ରକ୍ଷା କରି କୌରବ ପକ୍ଷର ସେନାପତି ହେବାକୁ ରାଜି ଅଛି । ସମଗ୍ର ପୃଥିବୀରେ ମୋ ସମକ୍ଷକ ଯୋଦ୍ଧା କେବଳ ମାତ୍ର ଜଣେ । ସେ ହେଉଛନ୍ତି କୁନ୍ତୀ ପୁତ୍ର ଅର୍ଜୁନ ।
କିନ୍ତୁ ମୁଁ କୌରବମାନଙ୍କ ପରି ପାଣ୍ଡବମାନଙ୍କୁ ମଧ୍ୟ ସମାନ ଦୃଷ୍ଟିରେ ଦେଖେ । ତେଣୁ ତୁମର ସେନାପତି ହେଲେ ମଧ୍ୟ ମୁଁ ପାଣ୍ଡବ ପକ୍ଷର ମଙ୍ଗଳ କାମନା କରିବି ଓ ପଣ୍ଡୁପୁତ୍ରମାନଙ୍କୁ ବିନାଶ କରିବି ନାହିଁ । ତେବେ ଗୋଟେ କଥା ନିଶ୍ଚୟ କରିବି ପାଣ୍ଡୁପୁତ୍ରମାନଙ୍କର ସିଧାସଳଖ କିଛି କ୍ଷତି ନକଲେ ମଧ୍ୟ ପ୍ରତିଦିନ ପାଣ୍ଡବ ପକ୍ଷର ଅନ୍ତତଃ ଦଶ ହଜାର ସୈନ୍ୟଙ୍କର ବିନାଶ କରିବି ।
ହେ ଦୁର୍ଯ୍ୟୋଧନ! ମୋର ଗୋଟେ ସର୍ତ୍ତ ଅଛି । ଅଙ୍ଗ ନରେଶ ସୂତପୁତ୍ର କର୍ଣ୍ଣ ତୁମର ବନ୍ଧୁ ଓ ଅନ୍ୟତମ ମୁଖ୍ୟ ପରାମର୍ଶଦାତା । କିନ୍ତୁ ସବୁ ସମୟରେ ସେ ମୋର ପରାମର୍ଶ ଓ ମତକୁ ବିରୋଧ କରି ଆସିଛନ୍ତି । ତୁମେ ମଧ୍ୟ ସବୁବେଳେ ତାଙ୍କ କଥାକୁ ଗୁରୁତ୍ୱ ଦେଇ ଆସିଛ । ତେଣୁ ତାଙ୍କୁ ସେନାପତି କାହିଁକି କରୁନ? ସେ ସେନାପତି ହେଲେ ମୋର କିଛି ଆପତ୍ତି ନାହିଁ । ପାଣ୍ଡବଙ୍କ ସହ କର୍ଣ୍ଣ ଯୁଦ୍ଧ କରନ୍ତୁ କିମ୍ବା ମୁଁ ଯୁଦ୍ଧ କରିବି । ଦୁଇଜଣରୁ ତୁମକୁ ଜଣକୁ ବାଛିବାକୁ ପଡ଼ିବ ।’
ସେଠାରେ ଉପସ୍ଥିତ ଥିବା କର୍ଣ୍ଣ ବୁଝିପାରୁଥିଲେ ପିତାମହ ଭୀଷ୍ମ କ'ଣ କହିବାକୁ ଚାହୁଁଛନ୍ତି । ସେ ସଙ୍ଗେ ସଙ୍ଗେ କହିଲେ, ‘ହେ ଦୁର୍ଯ୍ୟୋଧନ! ଗଙ୍ଗାପୁତ୍ର ଭୀଷ୍ମ ଥିବା ପର୍ଯ୍ୟନ୍ତ ମୁଁ ଯୁଦ୍ଧରେ ଯୋଗ ଦେବି ନାହିଁ । ତୁମେ ତାଙ୍କୁ କୁରୁସେନାଙ୍କର ସେନାପତି କରି ଯୁଦ୍ଧ କର ।
ଭୀଷ୍ମଦେବଙ୍କ ମୃତ୍ୟୁ ପରେ ମୁଁ ଯୁଦ୍ଧରେ ଯୋଗ ଦେବି । ଭୀଷ୍ମଦେବଙ୍କ ପରି କୌରବ ପକ୍ଷରୁ ଯୁଦ୍ଧ କରିବା ସମୟରେ ପାଣ୍ଡବମାନଙ୍କ ପ୍ରତି କୌଣସି ପ୍ରେମ ଭାବନା ରଖିବନି । ସେ ଗାଣ୍ଡିବଧାରୀ ଅର୍ଜୁନର ଗର୍ବ ଭାଙ୍ଗିବାକୁ ମୋତେ ବେଶି ସମୟ ଲାଗିବନି ।’
ତାପରେ ଦୁର୍ଯ୍ୟୋଧନ ବିଧିପୂର୍ବକ ପିତାମହ ଭୀଷ୍ମଙ୍କୁ କୌରବ ସେନାର ସେନାପତି ଭାବରେ ବରଣ କଲେ । ସେନାପତି ବରଣ ପରେ କୌରବ ସେନାମାନେ ବିଭିନ୍ନ ପ୍ରକାର ରଣ ବାଦ୍ୟ, ଶଙ୍ଖ, ଭେରୀ ଆଦି ବଜେଇବାକୁ ଲାଗିଲେ । ତା' ସାଙ୍ଗକୁ ଘୋଡ଼ା ହାତୀ ଓ ଯୋଦ୍ଧାମାନଙ୍କର ସିଂହନାଦ ଚତୁର୍ଦ୍ଦିଗକୁ କୋଳାହଳମୟ କରିପକାଇଲା । ଯୁଦ୍ଧର ବିଭୀଷିକା ଚାରିଦିଗରୁ ଘୋଟି ଆସିଲା ପରି ମନେ ହେଲା । କୌରବସେନା ଉତ୍ସାହ ଓ ପରାକ୍ରମର ସହ ଯୁଦ୍ଧଭୂମି ଆଡ଼କୁ ଚାଲିବାକୁ ଲାଗିଲେ ।
କାହିଁକି ଦୂରେଇ ଗଲେ ବଳରାମ ?
ବଳରାମ ପ୍ରଥମରୁ ଯୁଦ୍ଧର ପକ୍ଷରେ ନଥିଲେ । ବଳରାମଙ୍କର ମନରେ ସବୁବେଳେ କୌରବମାନଙ୍କ ପାଇଁ ଦୁର୍ବଳତା ଥିଲା । ସେଥିପାଇଁ ସେ ବହୁ ପୂର୍ବରୁ ପାଣ୍ଡବମାନଙ୍କୁ ଉପଦେଶ ଦେଇଥିଲେ ଯୁଦ୍ଧ ନକରି ରାଜା ଧୃତରାଷ୍ଟ୍ରଙ୍କ ଶରଣ ନେଇ ସନ୍ଧି କର । ସେତେବେଳେ ବଳରାମଙ୍କ କଥାରେ କେହି ରାଜି ଅବଶ୍ୟ ହୋଇନଥିଲେ । ସାତ୍ୟକି ବଳରାମଙ୍କ ପ୍ରସ୍ତାବକୁ ଭୀଷଣ ବିରୋଧ କରିଥିଲେ । କୃଷ୍ଣ ଓ ବଳରାମଙ୍କୁ ଉପଲକ୍ଷ୍ୟ କରି କହିଥିଲେ ଗୋଟେ ଗଛରେ ଦୁଇଟି ଡାଳ ରହିଛି । ଗୋଟେ ଡାଳରେ ଫଳ ଫଳିଛି କିନ୍ତୁ ଅନ୍ୟ ଡାଳ ଫଳଶୂନ୍ୟ । ଗୋଟେ ବଂଶରେ ବଳବାନ ଓ କାପୁରୁଷ ଭାବରେ ଦୁଇ ପ୍ରକାର ଲୋକ ଜନ୍ମ ନେଇପାରନ୍ତି ।
ସେଇ ଦିନରୁ ବଳରାମ ଏ ଯୁଦ୍ଧ ବିଷୟରୁ ନିଜକୁ ଦୂରେଇ ରଖିଥିଲେ । କୌରବ ଓ ପାଣ୍ଡବମାନଙ୍କର ସୌନ୍ୟସାମନ୍ତ ସମ୍ମୁଖ ଯୁଦ୍ଧ ପାଇଁ ଯୁଦ୍ଧ କ୍ଷେତ୍ରରେ ଶିବିର ସ୍ଥାପନ କଲାବେଳକୁ ବଳରାମ ଆସି ପାଣ୍ଡବଙ୍କ ପାଖରେ ପହଞ୍ଚିଲେ । ହଠାତ୍ ନୀଳ ରଙ୍ଗର ପାଟ ବସ୍ତ୍ର ପରିଧାନ କରିଥିବା ବଳରାମଙ୍କୁ ଦେଖି କୃଷ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ ଓ ଅନ୍ୟମାନେ ସେମାନଙ୍କ ବସିବା ସ୍ଥାନରୁ ଉଠି ବଳରାମଙ୍କୁ ଆଦର ସମ୍ମାନ ଜଣାଇ ପାଛୋଟି ନେଲେ ।
ଆସନ ଗ୍ରହଣ ପରେ ବଳରାମ ଏଥର ଯୁଧିଷ୍ଠିର ଓ କୃଷ୍ଣଙ୍କୁ ଚାହିଁଲେ ଓ କହିଲେ, ‘ଅତି ଭୟଙ୍କର ଯୁଦ୍ଧର ସମୟ ଆସି ଗଲାଣି । ଏ ଯୁଦ୍ଧରେ କିଏ ରହିବ କିଏ ଯିବ କହି ହେବନି । ହଜାର ହଜାର ବୀର ଯୋଦ୍ଧାଙ୍କ ରକ୍ତ ମାଂସରେ ଏଠାର ମାଟି କର୍ଦ୍ଦମାକ୍ତ ହୋଇଯିବ । ମୁଁ ଅନେକ ଥର କୃଷ୍ଣକୁ ଏକାନ୍ତରେ ଡାକି କହିଛି ପାଣ୍ଡବମାନେ ଆମର ଯେତିକି ନିଜର କୌରବମାନେ ବି ଆମର ସେତିକି ନିଜର । ତେଣୁ ଆମେ କାହାର ଭଲ ଅବା କାହାର ମନ୍ଦ ଚିନ୍ତା କରିପାରିବାନି । ଆମେ କାହାର ବି ପକ୍ଷ ନେବାନି । ତୁମେ ଯଦି ପାଣ୍ଡବଙ୍କୁ ସହାୟତା ଦେଉଛ ତେବେ କୌରବଙ୍କୁ ବି ସହାୟତା ଦିଅ । ସେ କିନ୍ତୁ ଅର୍ଜୁନଙ୍କ ମୁହଁ ଚାହିଁ ସବୁକିଛି ଭୁଲିଗଲା । ମୋର କଥା ଶୁଣିଲାନି ।
କିନ୍ତୁ କ'ଣ କରାଯିବ । କୃଷ୍ଣ ହେଉଛି ମୋର ସବୁଠାରୁ ପ୍ରିୟ । ତା' ବିରୁଦ୍ଧରେ ମୁଁ କିଛି କହିପାରିବିନି । ସେପଟେ ଭୀମ ଓ ଦୁର୍ଯ୍ୟୋଧନ ଉଭୟେ ମୋର ଶିଷ୍ୟ । ଉଭୟେ ମୋ ପାଖରୁ ମଲ୍ଲ ଯୁଦ୍ଧ ଓ ଗଦା ଯୁଦ୍ଧ ଶିକ୍ଷା କରିଛନ୍ତି । ଉଭୟେ ମୋତେ ସମ୍ମାନ କରନ୍ତି ଓ ମୁଁ ଉଭୟଙ୍କୁ ସ୍ନେହ ଆଦର କରେ । ମୁଁ ତେଣୁ କାହାର ବି ପକ୍ଷ ନେଇପାରିବିନି । ମୁଁ ଜାଣେ କୃଷ୍ଣ ଯାହା ପକ୍ଷରେ ଠିଆ ହେବ ଶେଷରେ ତା'ର ହିଁ ଯୁଦ୍ଧରେ ବିଜୟ ହେବ । ପାଣ୍ଡବମାନେ ଯୁ୍ଦ୍ଧରେ ବିଜୟୀ ହେବେ କିନ୍ତୁ ମୁଁ କୌରବମାନଙ୍କ ବିନାଶ ଦେଖିପାରିବିନି । ତେଣୁ ମୁଁ ଏ ଯୁଦ୍ଧରେ ଅନୁପସ୍ଥିତ ରହିବି । ଏହି ସମୟତକ ମୁଁ ସରସ୍ୱତୀ ତୀର୍ଥରେ ବାସ କରିବି ।
ଏତିକି କହି ସମସ୍ତଙ୍କ ପାଖରୁ ବିଦାୟ ନେଇ ବଳରାମ ସରସ୍ୱତୀ ତୀର୍ଥ ଅଭିମୁଖେ ବାହାରିଗଲେ ।
ଭୋଜକଟକର ରାଜା ହେଲେ ରୁକ୍ମୀ । ସେ ହେଉଛନ୍ତି ବିଦର୍ଭର ରାଜା ଭୀଷ୍ମଙ୍କର ପୁଅ । ରୁକ୍ମିଣୀଙ୍କ ଭାଇ । କୃଷ୍ଣଙ୍କର ଶାଳକ । ଗନ୍ଧମାର୍ଦ୍ଦନ ପର୍ବତରେ ରହୁଥିବା କିନ୍ନରଗଣଙ୍କ ପ୍ରଧାନ ଦ୍ରୁମ ନାମକ ମହାତ୍ମାଙ୍କ ଶିଷ୍ୟ ହୋଇ ତାଙ୍କ ପାଖରୁ ବିଜୟ ନାମରେ ଏକ ଧନୁ ଲାଭ କରିଥିଲେ । ବିଜୟ ଧନୁ ଇନ୍ଦ୍ରଙ୍କର ଧନୁ । ତାହା କୃଷ୍ଣଙ୍କର ଶାର୍ଙ୍ଗ ଓ ଅର୍ଜୁନଙ୍କ ଗାଣ୍ଡିବ ଧନୁ ସହ ତୁଳନୀୟ ।
ବରବେଶ ହୋଇ ପହଞ୍ଚିଲେ ଶିଶୁପାଳ
ଅତୀତରେ କୃଷ୍ଣଙ୍କର ରୂପ ଗୁଣ ଶୁଣି ବିଦର୍ଭର ରାଜକୁମାରୀ ରୁକ୍ମିଣୀ ତାଙ୍କ ପ୍ରେମରେ ପଡ଼ିଥା'ନ୍ତି । ରୁକ୍ମିଣୀଙ୍କର ଇଚ୍ଛା ସେ କୃଷ୍ଣଙ୍କୁ ବିବାହ କରିବେ । ତେଣୁ ସେ ଗୋପନରେ କୃଷ୍ଣଙ୍କ ପାଖକୁ ଖବର ପଠାଇଥା'ନ୍ତି ଯେ ଆଉ କେହି ନୁହେଁ ସେ କୃଷ୍ଣଙ୍କୁ ତାଙ୍କ ପତି ଭାବରେ ମନରେ ବରଣ କରିସାରିଛନ୍ତି । କିନ୍ତୁ ତାଙ୍କ ଭାଇ ରୁକ୍ମୀଙ୍କର ଇଚ୍ଛା ସେ ତାଙ୍କ ଭଉଣୀର ବିବାହ ଚେଦି ଯୁବରାଜ ଶିଶୁପାଳ ସହ କରିବେ । ରୁକ୍ମୀ ମନେ ମନେ କୃଷ୍ଣଙ୍କୁ ଆଦୌ ପସନ୍ଦ କରୁନଥିଲେ। ରୁକ୍ମିଣୀଙ୍କ କଥା ନଶୁଣି ବିବାହ ସ୍ଥିର ହୋଇଗଲା । ଶିଶୁପାଳ ବରବେଶ ହୋଇ ବିଦର୍ଭରେ ପହଞ୍ଚିଲେ ।
ବିବାହ ଦିନ ରୁକ୍ମିଣୀ କନ୍ୟା ବେଶ ହୋଇ ସାଙ୍ଗରେ ଦାସୀ ଓ ସଖୀମାନଙ୍କୁ ଧରି ମନ୍ଦିରକୁ ପୂଜା କରିବାକୁ ବାହାରିଲେ । ପୂର୍ବରୁ ସେ କୃଷ୍ଣଙ୍କ ପାଖକୁ ଖବର ଦେଇସାରିଥିଲେ ଯେ ତାଙ୍କୁ ଯଥାଶୀଘ୍ର ଆସି ଉଦ୍ଧାର କରନ୍ତୁ । କୃଷ୍ଣଙ୍କୁ ବିବାହ ନକଲେ ସେ ନିଶ୍ଚୟ ଆତ୍ମହତ୍ୟା କରିବେ । ମନ୍ଦିରରେ ଦେବତାଙ୍କୁ ପୂଜା କଲାବେଳକୁ କୃଷ୍ଣ ତାଙ୍କ ରଥ ଧରି ସେଇଠି ପହଞ୍ଚିଲେ । ରୁକ୍ମିଣୀ ତାଙ୍କ ହାତରେ ଧରିଥିବା ବରଣମାଳକୁ ସେଇଠି କୃଷ୍ଣଙ୍କ ବେକରେ ପକେଇଦେଲେ । ତାପରେ କୃଷ୍ଣ ତାଙ୍କ ରଥରେ ରୁକ୍ମିଣୀଙ୍କୁ ଧରି ପବନ ବେଗରେ ସେ ସ୍ଥାନ ଛାଡ଼ି ଦ୍ୱାରକା ବାହାରିଗଲେ ।
ରିକ୍ମୀଙ୍କ ପାଖରେ ଏ ଖବର ପହଞ୍ଚିଲାରୁ ସେ ଭୟଙ୍କର ଭାବରେ ରାଗିଗଲେ । କୃଷ୍ଣ ଏମିତି ତାଙ୍କ ଦେଶ ଭିତରକୁ ଆସି ତାଙ୍କ ଭଉଣୀକୁ ଅପହରଣ କରିନେବାକୁ ସେ ସହଜରେ ଗ୍ରହଣ କଲେନି । ଆଉ ବିଳମ୍ବ ନକରି ରୁକ୍ମୀ କୃଷ୍ଣଙ୍କ ରଥ ପଛରେ ଘୋଡ଼ା ସବାର ସୈନ୍ୟଙ୍କୁ ଧରି ଗୋଡ଼ାଇବାକୁ ଲାଗିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/mahabharat-2025-12-14-17-22-18.jpg)