Mahabharat Photograph: (OTV)
କୁରୁକ୍ଷେତ୍ରରେ ସମବେତ କୌରବ ଓ ପାଣ୍ଡବଙ୍କ ମଝିରେ ରଥ ରଖି ଅର୍ଜୁନ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥା'ନ୍ତି ଓ କୃଷ୍ଣ ସହାସ୍ୟ ବଦନରେ ତା'ର ଉତ୍ତର ଦେଇ ଚାଲିଥା'ନ୍ତି ।
କୃଷ୍ଣ କହୁଥା'ନ୍ତି, "ହେ ପାର୍ଥ ! ମୋତେ ଯିଏ ଯେଉଁପରି ଯେଉଁ ଭାବରେ ଭଜନ କରେ, ମୁଁ ତାକୁ ସେଇ ପ୍ରକାରେ ଅନୁଗ୍ରହ କରି ଫଳ ପ୍ରଦାନ କରେ । ମର୍ତ୍ତ୍ୟଲୋକର ମନୁଷ୍ୟମାନେ କର୍ମଫଳକୁ ଆକାଂକ୍ଷା କରି ଇନ୍ଦ୍ର ଆଦି ଦେବତାଙ୍କୁ ପୂଜନ କରନ୍ତି । ମୋର ଉପାସନା କରନ୍ତି ନାହିଁ । କାରଣ କର୍ମଫଳ ଶୀଘ୍ର ଫଳେ ଓ ଦୁର୍ଲଭ ଜ୍ଞାନର ଫଳ କୈବଲ୍ୟ ଶୀଘ୍ର ଫଳେନାହିଁ । ହେ ଅର୍ଜୁନ ! ଗୁଣ ଓ କର୍ମ ଅନୁସାରେ ମୁଁ ଚାରି ବର୍ଣ୍ଣଙ୍କୁ ସୃଜନ କରିଛି ।
ବ୍ରାହ୍ମଣ ହେଲେ ସତ୍ତ୍ୱ ଗୁଣ ପ୍ରଧାନ, କ୍ଷତ୍ରୀୟ ସତ୍ତ୍ୱ ଓ ରଜ ଗୁଣ ପ୍ରଧାନ, ବୈଶ୍ୟ ରଜ ଓ ତମ ଗୁଣ ପ୍ରଧାନ ଓ ଶୁଦ୍ର ତମ ଗୁଣ ପ୍ରଧାନ ଅଟନ୍ତି । ବ୍ରାହ୍ମଣଙ୍କର କର୍ମ ହେଲା ଶମ, ଦମ, ତିତିକ୍ଷା । କ୍ଷତ୍ରୀୟମାନଙ୍କର କର୍ମ ହେଲା ଶୌର୍ଯ୍ୟ ଓ ଯୁଦ୍ଧ, ବୈଶ୍ୟମାନଙ୍କର କର୍ମ ହେଲା କୃଷି ଓ ବାଣିଜ୍ୟ । ଶୁଦ୍ରଙ୍କର କର୍ମ ସେବା ଶୁଶୂଷା । ଗୁଣ ଓ କର୍ମ ବିଭାଗ ଅନୁସାରେ ମୁଁ ପୁଣି ଚାରି ବର୍ଣ୍ଣ ସୃଜନ କରିଛି ।
ଅର୍ଜୁନ ପଚାରିଲେ, "ହେ ପ୍ରଭୁ! କର୍ମସନ୍ୟାସ ଆଉ କର୍ମଯୋଗ କ'ଣ? କୃଷ୍ଣ କହିଲେ ଏ ଦୁଇଟି ସମାନ। କାରଣ ଉଭୟଙ୍କର ଫଳ ସମାନ। କର୍ମଯୋଗ ବିନା ସନ୍ୟାସ ବଡ଼ ଦୁଃଖପୂର୍ଣ୍ଣ। କର୍ମଯୋଗୀ ସିଦ୍ଧିପ୍ରାପ୍ତ ହେଲେ ବ୍ରହ୍ମଦର୍ଶନ କରନ୍ତି। ଯିଏ ତତ୍ତ୍ୱଜ୍ଞ ନହୋଇ କର୍ମଯୋଗରେ ପ୍ରବୃତ୍ତ ହୁଅନ୍ତି ସେ ବ୍ୟକ୍ତି ଫଳ ଆସକ୍ତି ତ୍ୟାଗ କରି ଚାକର ତା' ମୁନିବର କାମ କଲାପରି ସମସ୍ତ କର୍ମଫଳକୁ ଈଶ୍ୱରଙ୍କ ପାଖରେ ସମର୍ପଣ କରି କର୍ମ କରନ୍ତି । ପଦ୍ମପତ୍ରରେ ଜଳ ଥିଲା ପରି ସେ କୌଣସି ପାପରେ ଲିପ୍ତ ହୁଅନ୍ତି ନାହିଁ । ଜିତେନ୍ଦ୍ରୀୟ ପ୍ରାଣୀମାନେ ସମୁଦାୟ କର୍ମକୁ ପରିତ୍ୟାଗ କରି ନବଦ୍ୱାରର ଶରୀରରେ ପରମ ସୁଖରେ ବାସ କରନ୍ତି । ସେ ନିଜେ କର୍ମରେ ପ୍ରବୃତ୍ତ ହୁଅନ୍ତି ନାହିଁ କି ଅନ୍ୟକୁ ପ୍ରବୃତ୍ତ କରାନ୍ତି ନାହିଁ ।
ସେ ହିଁ ଯୋଗୀ ଓ ସୁଖୀ ବୋଲି ଜାଣିବ
ହେ ପାର୍ଥ! ବିଷୟ ହିଁ ଭୋଗଜନିତ ସମସ୍ତ ସୁଖ ଦୁଃଖର କାରଣ ଅଟନ୍ତି । ସେ ସୁଖର ଆରମ୍ଭ ଓ ଶେଷ ଅଛି । ତେଣୁ ପଣ୍ଡିତ ବ୍ୟକ୍ତି ସେ ସୁଖରେ ଲିପ୍ତ ହୁଅନ୍ତି ନାହିଁ । ଯିଏ ଇହଲୋକରେ ଶରୀର ତ୍ୟାଗ କରିବା ପୂର୍ବରୁ କାମ କ୍ରୋଧକୁ ସହ୍ୟ କରିପାରନ୍ତି ଓ ସମର୍ଥ ହୁଅନ୍ତି ସେ ହିଁ ଯୋଗୀ ଓ ସୁଖୀ ବୋଲି ଜାଣିବ। ଯେଉଁମାନଙ୍କର ଚିତ୍ତ ସଂଯତ ହେଇଥାଏ, ଚିତ୍ତରେ ପାପ ଦୋଷ ନଥାଏ, ସେହି ସମ୍ୟକଦର୍ଶୀ ସମସ୍ତଙ୍କର ହିତକାରୀ ପୁରୁଷ ମୋକ୍ଷ ଲାଭ କରେ ।
ଯାହାର ଚିତ୍ତ ଯୋଗରେ ସମାହିତ ହୁଏ ସେ ସମଦର୍ଶୀ ହୁଅନ୍ତି । ସେ ସର୍ବ ଭୂତରେ ଆତ୍ମାଙ୍କୁ ଓ ଆତ୍ମାରେ ସର୍ବଭୂତକୁ ଦର୍ଶନ କରନ୍ତି । ହେ ପାର୍ଥ ! ମୁଁ ସମସ୍ତଙ୍କର ଆତ୍ମା ସ୍ୱରୂପ । ତେଣୁ ସେ ସର୍ବ ପଦାର୍ଥ ଭିତରେ ମୋତେ ଦର୍ଶନ କରନ୍ତି ଓ ମୋ ଭିତରେ ସମସ୍ତ ପଦାର୍ଥକୁ ଅବଲୋକନ କରନ୍ତି । ଯେଉଁ ଯୋଗୀ ସୁଖ ଦୁଃଖକୁ ସର୍ବ ପ୍ରାଣୀଙ୍କ ଠାରେ ସମାନ ଦର୍ଶନ କରନ୍ତି ସେହି ବ୍ୟକ୍ତି ମୋ ମତରେ ଶ୍ରେଷ୍ଠ ଯୋଗୀ । ଯିଏ ଅନ୍ତଃକରଣରେ ସମର୍ପଣ କରି ଶ୍ରଦ୍ଧାର ସହ ମୋତେ ଭଜନ କରନ୍ତି ମୋ ମତରେ ସେ ହିଁ ଶ୍ରେଷ୍ଠ ଯୋଗୀ ।
ହେ ଅର୍ଜୁନ! ତୁମେ ଯୋଗୀ ହୁଅ । ମୋ ଠାରେ ନିଜକୁ ସମର୍ପଣ କର । ମୋର କଥା କୀର୍ତ୍ତନ କର । ଏକାଗ୍ରଚିତ୍ତରେ ମୋତେ ଯିଏ ଭଜନ କରେ ସେ ହିଁ ନିଷ୍କାମ କର୍ମଯୋଗୀ ଏବଂ ଜ୍ଞାନୀ । ସେ ହିଁ ସଂସାରରେ ଅଖଣ୍ଡ ଶାନ୍ତି ଲାଭ କରି ମୋକ୍ଷ ପାଏ ।
ଏ ଜଗତରେ ସହସ୍ର ମଣିଷଙ୍କ ଭିତରେ ଜଣେ ଆତ୍ମଜ୍ଞାନ ଲାଭ କରିବାକୁ ଯତ୍ନ କରନ୍ତି । ସହସ୍ର ଯତ୍ନକାରୀଙ୍କ ଭିତରେ ଜଣେ ଆତ୍ମଜ୍ଞାନ ଲାଭ କରିପାରନ୍ତି । ସହସ୍ର ଆତ୍ମଜ୍ଞାନୀଙ୍କ ଭିତରେ ଜଣେ ସିଦ୍ଧ ହୋଇଥା'ନ୍ତି ଓ ମୋର ପରମାତ୍ମା ସ୍ୱରୂପକୁ ଜାଣିପାରନ୍ତି । ଆମର ମାୟା ଆଠ ପ୍ରକାରର । ତାହା ପ୍ରକୃତି ରୂପରେ ରହିଛି । ସେଗୁଡ଼ିକ ହେଲା ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଓ ଅହଂକାର । ହେ ଅର୍ଜୁନ, ଏହାହିଁ ସଂସାରର ବନ୍ଧନ ।"
ହେ ପାର୍ଥ, ମୁଁ କିଏ ?
ତାପରେ ଅର୍ଜୁନ ଆହୁରି ଜାଣିବାକୁ ଚାହିଁଲେ । କୃଷ୍ଣଙ୍କ ଦିବ୍ୟ ବିଭୂତି ବିଷୟରେ ଜାଣିବାକୁ ଚାହିଁଲେ । କୃଷ୍ଣ କହିଲେ, "ହେ ପାର୍ଥ ! ଶୁଣ, ସଂସାରର ସମସ୍ତ ପ୍ରାଣୀଙ୍କ ହୃଦୟରେ ମୁଁ ଆନନ୍ଦମୟ ଓ ଚୈତନ୍ୟମୟ ରୂପରେ ପ୍ରତିଷ୍ଠା ପାଇଛି । ମୁଁ ସୃଷ୍ଟି, ସ୍ଥିତି ଓ ପ୍ରଳୟର ସ୍ୱରୂପ । ମୁଁ ପ୍ରକାଶମାନ ବସ୍ତୁ ଭିତରେ ସୂର୍ଯ୍ୟ, ନକ୍ଷତ୍ରମାନଙ୍କ ଭିତରେ ଚନ୍ଦ୍ର, ବେଦମାନଙ୍କ ମଧ୍ୟରେ ସାମବେଦ, ମୁଁ ରୂଦ୍ରମାନଙ୍କ ଭିତରେ ଶଙ୍କର, ବୃକ୍ଷମାନଙ୍କ ଭିତରେ ଅଶ୍ୱତ୍ଥ, ହାତୀମାନଙ୍କ ଭିତରେ ଐରାବତ, ମୁଁ ଅସ୍ତ୍ରମାନଙ୍କ ଭିତରେ ବଜ୍ର, ଗାଈମାନଙ୍କ ଭିତରେ କାମଧେନୁ, ନାଗମାନଙ୍କ ଭିତରେ ଅନନ୍ତ ଅଟେ ।
ମୁଁ ଯକ୍ଷମାନଙ୍କ ଭିତରେ କୁବେର, ଅଷ୍ଟ ବସୁଙ୍କ ଭିତରେ ଅଗ୍ନି, ପର୍ବତମାନଙ୍କ ଭିତରେ ମେରୁ ଅଟେ । ମୁଁ ମହର୍ଷିମାନଙ୍କ ଭିତରେ ଭୃଗୁ, ଯଜ୍ଞମାନଙ୍କ ଭିତରେ ଜପ, ସ୍ଥାବରମାନଙ୍କ ଭିତରେ ହିମାଳୟ, ଗନ୍ଧର୍ବମାନଙ୍କ ଭିତରେ ଚିତ୍ରରଥ, ସିଦ୍ଧଗଣଙ୍କ ଭିତରେ କପିଳମୁନି ଅଟେ । ମୁଁ ବେଗମାନଙ୍କ ଭିତରେ ପବନ, ଶସ୍ତ୍ରଧାରୀମାନଙ୍କ ଭିତରେ ରାମ, ପଶୁମାନଙ୍କ ଭିତରେ ସିଂହ, ପକ୍ଷୀମାନଙ୍କ ଭିତରେ ଗରୁଡ଼, ଅକ୍ଷରମାନଙ୍କ ଭିତରେ ଓଁକାର, ମୁଁ ସମାସମାନଙ୍କ ଭିତରେ ଦ୍ୱନ୍ଦ ସମାସ, ମାସମାନଙ୍କ ଭିତରେ ମାର୍ଗଶୀର ମାସ।
ମୁଁ ସଂହାରମାନଙ୍କ ଭିତରେ ମୃତ୍ୟୁ, ଛଳକାରୀଙ୍କ ଭିତରେ ପଶା, ଦୈତ୍ୟମାନଙ୍କ ଭିତରେ ପ୍ରହ୍ଲାଦ, ଯାଦବମାନଙ୍କ ଭିତରେ ବାସୁଦେବ ଓ ପାଣ୍ଡବମାନଙ୍କ ଭିତରେ ଧନଞ୍ଜୟ । ହେ ଅର୍ଜୁନ! ତୁମର ବେଶି କିଛି ଜାଣିବା ଦରକାର ନାହିଁ, କେବଳ ଏତିକି ଜାଣ ଯେ ଏ ସମସ୍ତ ଜଗତକୁ ମୁଁ ମୋର ଏକାଂଶରେ ଧାରଣ କରିଛି ।
ହେ ପାର୍ଥ ! ଦେବଗଣ ଓ ମହାଋଷିମାନେ ମଧ୍ୟ ମୋ ଆଦି ଅନ୍ତ ଓ ଉତ୍ପତ୍ତି ବିଷୟରେ କିଛି ଜାଣନ୍ତିନି । ମୋର ଅନୁଗ୍ରହ ବିନା ମୋତେ କେହି ଜାଣିପାରିବେନି । ମୁଁ ସର୍ବଭୂତଙ୍କ ଅନ୍ତଃକରଣରେ ଥିବା ସର୍ବଗୁଣ ଓ ସର୍ବତତ୍ତ୍ୱର ନିୟନ୍ତାରୂପକ ପରମାତ୍ମା ଅଟେ । ସର୍ବଭୂତଙ୍କର ମୁଁ ଜନ୍ମ, ମୃତ୍ୟୁ ଓ ସଂହାରର ହେତୁ ଅଟେ । ମୁଁ ଦ୍ୱାଦଶ ଆଦିତ୍ୟଙ୍କ ଭିତରେ ବିଷ୍ଣୁ ନାମକ ଆଦିତ୍ୟ ଏଟେ ।"
କୃଷ୍ଣଙ୍କ କଥା ଶୁଣି ଅର୍ଜୁନ କହିଲେ, "ପ୍ରଭୁ! ମୁଁ ତୁମ କଥା ଶୁଣି ଖୁସି ହେଲି । ମୋର ଏ ସବୁ କଥା ଶୁଣି ତୁମ ଦୁବ୍ୟରୂପ ଦର୍ଶନ କରିବାକୁ ବହୁତ ଇଚ୍ଛା ହେଉଛି ।"
କୃଷ୍ଣ କହିଲେ, "ତୁମର ସାଧାରଣ ଚର୍ମ ଚକ୍ଷୁରେ ତୁମେ ମୋ ଦିବ୍ୟରୂପ ଦର୍ଶନ କରିପାରିବନି । ଶତ ସୂର୍ଯ୍ୟଙ୍କ ତେଜ ତୁମ ଚକ୍ଷୁ ସହ୍ୟ କରିପାରିବନି। ସେଥିପାଇଁ ତୁମକୁ ଦିବ୍ୟଚକ୍ଷୁ ଦାନ କରିବାକୁ ପଡ଼ିବ । ତାପରେ ଯାଇ ତୁମେ ମୋ ବିଶ୍ୱରୂପ ଦର୍ଶନ କରିପାରିବ ।" ତାପରେ କୃଷ୍ଣ ଅର୍ଜୁନଙ୍କୁ ଦିବ୍ୟଚକ୍ଷୁ ଦାନ କଲେ ଓ ବିଶ୍ୱରୂପ ଧାରଣ କଲେ ।
ଅର୍ଜୁନ ଦେଖୁଥିଲେ ଆଦି ଅନ୍ତ ନଥିବା ବିଶ୍ୱରୂପ । ସମସ୍ତ ସ୍ଥାବର ଜଙ୍ଗମ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡ । ଅନକେ ମୁଖ, ଅନେକ ବାହୁ, ଅସଂଖ୍ୟ ଉରୁ ଓ ପାଦ, ବିଶାଳ ରୂପ ଦେଖି ଅର୍ଜୁନଙ୍କୁ ଭୟ ଲାଗିଲା । ଅର୍ଜୁନ ଦେଖୁଥିଲେ ଜଳନ୍ତା ନିଆଁରେ ପତଙ୍ଗମାନେ ଆସି ପଡ଼ି ମୃତ୍ୟୁବରଣ କଲାପରି ଦୁର୍ଯ୍ୟୋଧନ, ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣ ଆଦି ବୀରମାନେ ସେ ବିରାଟ ଭୟଙ୍କର ଆଁ ଭିତରକୁ ଧାଉଁଛନ୍ତି । ପାଣ୍ଡବ ପକ୍ଷରେ ଲଢୁଥିବା ବୀର ଯୋଦ୍ଧାମାନେ ବି ଧାଉଁଛନ୍ତି ।
ଅର୍ଜୁନ ଆଉ ବେଶି ସମୟ ସେ ଭୟଙ୍କର ରୂପକୁ ଦେଖିପାରିଲେନି । ସେ ହାତ ଯୋଡ଼ି ପ୍ରାର୍ଥନାକରି କହିଲେ, "ହେ ପ୍ରଭୁ ! ଆପଣଙ୍କର ସେ ପୂର୍ବର ସେହି ସୌମ୍ୟ ରୂପକୁ ଫେରିଆସନ୍ତୁ । ମୁଁ ପୂର୍ବରୁ କିଛି ନଜାଣି ସଖା ଭାବରେ କେତେ କ'ଣ ହାସ ପରିହାସରେ କହିଛି ସେଥିପାଇଁ ମୋତେ କ୍ଷମା କରିଦେବ ।"
ଅର୍ଜୁନଙ୍କ ଅନୁରୋଧ ପରେ କୃଷ୍ଣ ତାଙ୍କର ପୂର୍ବରୂପକୁ ଫେରି ଆସିଲେ । ତାପରେ କହିଲେ, "ହେ ଅର୍ଜୁନ ! ତୁମେ ଦେଖିଲ ମୁଁ କାଳ ସ୍ୱରୂପ । ତୁମେ ଦେଖିଲ ଏଠି ଉପସ୍ଥିତ ସମସ୍ତେ ମୋ ଭିତରେ ବିଲିନ ହେବାକୁ ଉଦ୍ୟତ । ତେଣୁ ଯୁଦ୍ଧରେ ତୁମେ ସେମାନଙ୍କୁ ମାର ଅବା ନମାର ପରିଣତି ସେଇଆ ହିଁ ହେବ । ତେଣୁ ତୁମେ ତୁମ ସ୍ୱଧର୍ମ ଅନୁସାରେ ଯୁଦ୍ଧ କରିବା ଉଚିତ । ହେ ପାର୍ଥ ! ମନ ଭିତରୁ ସବୁ ସଂଶୟ ଦୂର କରି ମୋ ପାଖରେ ଶରଣ ନିଅ ।"
ତାପରେ କୃଷ୍ଣ ଅନେକ କଥା ଅର୍ଜୁନଙ୍କୁ ବୁଝାଇଲା ପରେ ପଚାରିଲେ, "ତୁମର ସମସ୍ତ ସଂଶୟ ଦୂର ହେଲା ତ? ପୂର୍ବରୁ ଆମ ଦ୍ୱାରା ଏ ସମସ୍ତେ ନିହତ ହୋଇ ସାରିଛନ୍ତି । ଯାହା କରୁଛି ସବୁ ମୁଁ କରୁଛି । ତୁମେ ନିମିତ୍ତ ମାତ୍ର ଅର୍ଜୁନ ।"
କୃଷ୍ଣଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଜୁନ କହିଲେ, "ପ୍ରଭୁ! ମୋର ସମସ୍ତ ସଂଶୟ ଦୂର ହୋଇ ସାରିଛି । ମୋହ ବି ଦୂର ହୋଇସାରିଛି । ଏବେ ତୁମେ ଯାହା କହିବ ମୁଁ କରିବାକୁ ପ୍ରସ୍ତୁତ ଅଛି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/mahabharat-2026-01-25-17-44-44.jpg)