ଭାରତରେ ବଢ଼ିଯିବ କି ତେଲ ଦର? Photograph: (OTV)
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଏବେ ନଜର ଯୁଦ୍ଧ ଉପରେ ଯେତିକି, ଇରାନ୍ ଅକ୍ତିଆରରେ ଥିବା ବିଶ୍ବର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଉପରେ ବି ସେତିକି। କାରଣ ଆଗକୁ ଯୁଦ୍ଧର ଅବଧି ବଢ଼ିଲେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ସୃଷ୍ଟି ହୋଇପାରେ ଗୁରୁତର ତୈଳ ସଙ୍କଟ। ଷ୍ଟ୍ରେଟ୍ ହର୍ମୁଜକୁ ଏବେ ବି ନିଜ କବଜାରେ ରଖି, ଗୋଟିଏ ବି ତୈଳ ଜାହାଜାକୁ ଛାଡ଼ିବ ନାହିଁ ବୋଲି ଚେତାବନୀ ଦେଉଛି ଇରାନ୍।
ଆଉ ସେପଟେ ଅଟକି ଥିବା ଶହ ଶହ ଜାହାଜକୁ କେମିତି ମୁକୁଳାଯିବ, ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଟ୍ରମ୍ପ୍। ୟା ଭିତରେ ଏବେ ହର୍ମୁଜରେ କେବଳ ଚୀନ ଜାହାଜକୁ ହିଁ ଯିବାକୁ ଅନୁମତି ଦେଇଛି ଇରାନ୍।
ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଧ ଭିତରେ ଭାରତରେ ସୃଷ୍ଟି ହେବ କି ତୈଳ ସଙ୍କଟ ? ଦ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ସମୁଦ୍ର ପଥରେ ଉତ୍ତେଜନା ପରେ ଦେଶରେ ବଢ଼ିଯିବ କି ତେଲ ଦର ? ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଏବେ ଉପସାଗରୀୟ ଦେଶରୁ ତୈଳ ଆମଦାନୀ କରୁଥିବା ଦେଶଙ୍କ ପାଇଁ ବଢ଼ିଛି ଚିନ୍ତା। କାରଣ ବିଶ୍ବର ସର୍ବାଧିକ ପରିମାଣର ତୈଳ ପରିବହନ ହେଉଥିବା ଏ ରୁଟ୍ ଦ ଷ୍ଟ୍ରେଟ୍ ଅପ୍ ହର୍ମୁଜ ଉପରେ ଏବେ ସାରା ବିଶ୍ବର ଆଖି।
ଦ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଇରାନ୍ ଏବେ ପୂର୍ଣ୍ଣ ଦଖଲରେ ରଖିଥିବା କହିଛି। ଅନ୍ୟପଟେ ହର୍ମୁଜରେ ଅଟକି ଯିବା ତୈଳ ଜାହାଜଗୁଡ଼ିକୁ ଯେପରି ସୁରକ୍ଷିତ ଭାବେ ଏସ୍କର୍ଟ କରାଯିବ, ସେ ନେଇ ଆମେରିକା ନୌସେନାକୁ ମୁତୟନ କରିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍।
ଏପଟେ ଯୁଦ୍ଧ ଓ ଆକ୍ରମଣ ଭୟରୁ ଜାହାଜଗୁଡ଼ିକୁ ବୀମା ମିଳନଥିବାରୁ ହର୍ମୁଜ୍ ନିକଟରେ ଅଟକି ରହିଛନ୍ତି ୧୫୦ ଅଧିକ ଜାହାଜ। ଯାହା ଭିତରେ ଫସି ରହିଛନ୍ତି ୩୮ଟି ଭାରତୀୟ ଜାହାଜ। ଭାରତ ଅଭିମୁଖେ ଆସୁଥିବା ଅଶୋଧିତ ତୈଳ ଓ LNG ବୋଝେଇ ଏହି ୩୮ ଜାହାଜରେ ୧୧୦୦ରୁ ଅଧିକ କର୍ମଚାରୀ ମଧ୍ୟ ଫସି ରହିଥିବା କୁହାଯାଉଛି।
କୁହାଯାଉଛି, ଆଗକୁ ଯଦି ଏ ଯୁଦ୍ଧ ଅଧିକ ଦିନ ଚାଲେ, ଆଉ ହର୍ମୁଜ ଦେଇ ଜାହାଜ ଚଳାଚଳ କରିନପାରେ ତେବେ ଭାରତ ଓ ୟୁରୋପୀୟ ଦେଶ ସମେତ ସମଗ୍ର ବିଶ୍ବରେ ସୃଷ୍ଟି ହୋଇପାରେ ଗଭୀର ତୈଳ ସଙ୍କଟ। କାରଣ ବିଶ୍ୱ ଆବଶ୍ୟକତାର ମୋଟ୍ ପ୍ରାୟ ୨୦% ରୁ ୩୦% କ୍ରୁଡ୍ ଅଏଲ୍ ଏହି ପଥ ଦେଇ ଯାଇଥାଏ।
ସାଉଦି ଆରବ, ଇରାକ, କୁଏତ ଏବଂ ୟୁଏଇ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ରପ୍ତାନୀ ପାଇଁ ଏଇ ରାସ୍ତା ହିଁ ନିର୍ଭର କରନ୍ତି। ତେବେ ଅନ୍ୟ ଦେଶ ଅପେକ୍ଷା ଭାରତ, ଏଥିପାଇଁ ଅଧିକ ପ୍ରଭାବିତ ହେବା ଅନୁମାନ କରାଯାଉଛି। ଆମ ଦେଶର ତୈଳ ଆବଶ୍ୟକତାର ପ୍ରାୟ ୮୫ ଭାଗ ଆମଦାନୀ ହେଉଥିବା ବେଳେ ୪୦ ପ୍ରତିଶତ ତେଲ ଏଇ ହର୍ମୁଜ୍ ରୁଟ୍ ଦେଇ ମଧ୍ୟପ୍ରାଚ୍ୟରୁ ଆସିଥାଏ। ଭାରତ ଅନ୍ୟ ୬୦ ପ୍ରତିଶତ ତୈଳ ରୁଷ ଓ ଅନ୍ୟ ଦେଶରୁ ଆମଦାନୀ କରିଥାଏ।
ସେପଟେ ଭାରତରେ ଯେତିକି ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଅଛି, ତାହା ଅତି କମରେ ୨୫ ଦିନ ଏବଂ ମହଜୁଦ ଥିବା ଅଶୋଧିତ ଖଣିଜ ତୈଳ ୮ ସପ୍ତାହର ଆବଶ୍ୟକତା ପୂରଣ କରିପାରିବ। ତୈଳ, ଏଲପିଜି ଓ ଏଲଏନଜି କ୍ଷେତ୍ରରେ ଭାରତ ଏବେ ସୁବିଧାଜନକ ସ୍ଥିତିରେ ଥିବାରୁ ଭାରତ ପାଇଁ ଏତେଟା ଚିନ୍ତାର କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର।
ୟା ଭିତରେ ଏବେ ହର୍ମୁଜରେ କେବଳ ଚୀନ ଜାହାଜକୁ ଯିବାକୁ ଅନୁମତି ଦେଇ ଆମେରିକା ଓ ଏହାର ଅନ୍ୟ ସହଯୋଗୀ ଦେଶକୁ ଏକ ପ୍ରକାର ଚ୍ୟାଲେଞ୍ଜ୍ ଦେଇଛି ଇରାନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/04/blocking-oil-tankers-2026-03-04-20-16-45.jpg)