ଭାରତ ସହିତ ଖାମେନେଇଙ୍କ ୨୦୦ ବର୍ଷର ସମ୍ପର୍କ Photograph: (OTV)
ଇରାନର ମୃତ ସର୍ବୋଚ୍ଚ ନେତା ଖାମେନେଇ ହେଉଛନ୍ତି ଭାରତୀୟ ବଂଶୋଭବ। ୨୦୦ ବର୍ଷ ପୂର୍ବେ ୟୁପିରେ ଜନ୍ମହୋଇଥିଲେ ଖାମେନେଇଙ୍କ ବଂଶଧର। କର୍ଣ୍ଣାଟକ ଓ ଶ୍ରୀନଗରକୁ ବି ଲମ୍ବିଛି ଲିଙ୍କ୍ । ଖାମେନେଇଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ଭାରତ ସହ ତାଙ୍କ `ପୂର୍ବପୁରୁଷ' ସମ୍ପର୍କର ରୋଚକ ତଥ୍ୟ। କିଭଳି ଉତ୍ତରପ୍ରଦେଶରୁ ଯାଇ ଇରାନରେ ସୁପ୍ରିମ ଲିଡର୍ ବନିଯାଇଥିଲେ ଖାମେନେଇ, ଆସନ୍ତୁ ଜାଣିବା।
ଇରାନ ସୁପ୍ରିମ୍ ଲିଡର ଖାମେନେଇଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଉତ୍ତରପ୍ରଦେଶ ବାରାବଙ୍କି ଜିଲ୍ଲାର କିନ୍ତୁର୍। କାରଣ ଏଇଠିକୁ ଲମ୍ବିଛି ଆୟୋତୁଲ୍ଲା ଖାମେନେଇଙ୍କ ପାରିପାରିକ ଚେର। କୁହାଯାଉଛି ଏହି ଗାଁ ସହିତ ରହିଛି ତାଙ୍କ ପୂର୍ବପୁରୁଷଙ୍କ ସମ୍ପର୍କ। ଖାମେନେଇଙ୍କ ଗୁରୁ ତଥା ମାର୍ଗଦର୍ଶକ ଆୟୋତୁଲ୍ଲା ରୁହୋଲ୍ଲା ଖାମେନେଇଙ୍କ ଜେଜେବାପା ସୟଦ୍ ଅହମ୍ମଦ ମୁସାଭି ଜନ୍ମଗ୍ରହଣ କରିଥିଲେ କିନ୍ତୁର ଗାଁରେ।
ରିପୋର୍ଟ ଅନୁସାରେ ୧୮୩୦ ମସିହାରେ ସୟଦ୍ ଅହମ୍ମଦ ମୁସାଭି ଧାର୍ମିକ ଯାତ୍ରାରେ ଇରାକର ନଜାଫ୍ ଯାଇ ବନିଯାଇଥିଲେ ସେଠାକାର ସ୍ଥାନୀୟବାସିନ୍ଦା । ହେଲେ ଭାରତୀୟ ପରିଚୟ ବଞ୍ଚାଇ ରଖିବାକୁ ନିଜ ନାଁରେ ଯୋଡ଼ିଥିଲେ ହିନ୍ଦୀ ଶବ୍ଦ । ଯାହାକି ଇରାନର ସରକାରୀ ରେକର୍ଡରେ ରହିଥିବା କୁହାଯାଉଛି ।
ଖାମେନେଇଙ୍କ ପରିବାର ଏଇ ମାଟିର ବୋଲି ଦାବି କରିଛନ୍ତି ସ୍ଥାନୀୟବାସିନ୍ଦା । ସପ୍ତମ ସିଆ ଇମାମ, ଇମାମ ମୁସା-ଅଲ୍-କାଜିମଙ୍କୁ ମୁସାଭିଙ୍କ ବଂଶଧର ବୋଲି କୁହାଯାଉଛି । ଖାମେନେଇଙ୍କ ମୃତ୍ୟୁ ପରେ କିନ୍ତୁର ଗାଁରେ ଖେଳିଯାଇଛି ଶୋକର ଛାୟା ।
ଏପଟେ ଖାମେନେଇଙ୍କୁ ଝୁରୁଛି କର୍ଣ୍ଣାଟକର ଅଲ୍ଲିପୁର୍। ଗାଁରେ ଏବେ ଶୋକାକୁଳ ପରିବେଶ । ଦୋକାନ, ବଜାର ବନ୍ଦ । ପାଳନ ହେଉଛି ତିନିଦିନିଆ ଶୋକ। କୁହାଯାଉଛି, ଖାମେନେଇ ଏହି ଗାଁକୁ ୧୯୮୬ ମସିହାରେ ବୁଲିବାକୁ ଆସିଥିଲେ । ତାଙ୍କ ଗସ୍ତ ପରେ ଇରାନ ସହିତ ସୁଦୃଢ ହୋଇଥିଲା ଅଲ୍ଲିପୁରର ସମ୍ପର୍କ । ଗାଁରେ ଖେମେନେଇଙ୍କ ନାଁରେ ଏକ ହସପିଟାଲ୍ ମଧ୍ୟ ଖୋଲାଯାଇଛି।
ଏଠାକାର ବହୁଲୋକ ଇରାନ ଯାଇ ପାଠ ପଢିବା ସହିତ ସେଠାରେ ବସବାସ କରୁଛନ୍ତି । ଖାମେନେଇଙ୍କ ମୃତ୍ୟୁ ପରେ ଗାଁରେ ସ୍ବତନ୍ତ୍ର ପ୍ରାର୍ଥନା କରାଯାଉଛି। ଲୋକମାନେ କଳାପୋଷାକ ପିନ୍ଧି ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ସେପଟେ ଖାମେନେଇଙ୍କ ସହ କଶ୍ମୀରର ସମ୍ପର୍କ ବି କିଛି କମ୍ ନୁହେଁ । ୧୯୮୦ ଦଶକରେ ଆୟାତୁଲ୍ଲା ଖାମେନେଇ ଶ୍ରୀନଗର ଆସିବାପରେ ସିଆ ସମ୍ପ୍ରଦାୟ ମଧ୍ୟରେ ପୂଜନୀୟ ଥିଲେ। ଏଣୁ ତାଙ୍କ ମୃତ୍ୟୁ ପରେ କାଶ୍ମୀର ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ହଜାର ହଜାର ସଂଖ୍ୟାରେ ସିଆ ମୁସଲିମ୍ ଶୋଭାଯାତ୍ରା କରିଥିଲେ ।
ଭାରତ ସହିତ ଖାମେନେଇଙ୍କ ପ୍ରତ୍ୟେକ୍ଷ ସମ୍ପର୍କ ନଥିଲେ ବି ପୂର୍ବପୁରୁଷଙ୍କ ସମ୍ବନ୍ଧ ଓ ତାଙ୍କ ଭାରତ ଯାତ୍ରା ଆଜି ବି ଅନେକଙ୍କ ମନରେ ବଞ୍ଚି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/khamenei-lineage-traced-to-india-2026-03-02-19-39-27.jpg)