Advertisment

Indian Stranded Amid Middle East Conflict: ଖିନଭିନ୍ ମଧ୍ୟପ୍ରାଚ୍ୟ, ଭୋଗୁଛନ୍ତି ଭାରତୀୟ; ଏୟାରପୋର୍ଟରେ ବେଡସିଟ୍ ଶୋଇବାକୁ ବାଧ୍ୟ

ଖିନଭିନ୍ ମଧ୍ୟପ୍ରାଚ୍ୟ, ଭୋଗୁଛନ୍ତି ଭାରତୀୟ। ୪୦୦ରୁ ଅଧିକ ବିମାନ ବାତିଲ୍, ଫସିଲେ ଯାତ୍ରୀ। ଦୁବାଇରେ ଫସିଲେ କ୍ରୀଡ଼ାବିତ ଓ ସେଲିବ୍ରେଟି। ମହାଯୁଦ୍ଧ ଭିତରେ ଆତଙ୍କରେ ପ୍ରବାସୀ ଭାରତୀୟ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ପରୀକ୍ଷା ସ୍ଥଗିତ ରଖିଲା CBSE।

Indian Stranded Amid Middle East Conflict

ଖିନଭିନ୍ ମଧ୍ୟପ୍ରାଚ୍ୟ, ଭୋଗୁଛନ୍ତି ଭାରତୀୟ Photograph: (OTV)

Advertisment

ମହାଯୁଦ୍ଧ ଭିତରେ ଷଢି ହେଉଛନ୍ତି ଭାରତୀୟ । ଇରାନ୍ ବାୟୁସୀମା ସମ୍ପୂର୍ଣ୍ଣ ବନ୍ଦ ଯୋଗୁ ୪୦୦ରୁ ଅଧିକ ବିମାନ ବାତିଲ ହୋଇଛି । ଫଳରେ ଏୟାରପୋର୍ଟରେ ବେଡସିଟ୍ ପକାଇ ଶୋଇବାକୁ ବାଧ୍ୟ ହୋଇଛନ୍ତି ଯାତ୍ରୀ । ଏପଟେ ଦୁବାଇରେ ଫସିଛନ୍ତି କ୍ରୀଡ଼ାବିତ ଓ ସେଲିବ୍ରେଟି। ସଂଗୀନ ସ୍ଥିତିକୁ ଦେଖି ମଧ୍ୟପ୍ରାଚ୍ୟରେ ପରୀକ୍ଷା ସ୍ଥଗିତ ରଖିଛି ସିବିଏସଇ । ଯୁଦ୍ଧ ଯୋଗୁ ଭାରତ କିଭଳି ଓ କେଉଁ କେଉଁ କ୍ଷେତ୍ରରେ ପ୍ରଭାବିତ ହୋଇପାରେ, ଦେଖିବା ରିପୋର୍ଟ। 

Advertisment

ଦିଲ୍ଲୀ-ମୁମ୍ବାଇ-ହାଇଦ୍ରାବାଦ-ଅମୃତସର। ଦେଶର ପ୍ରମୁଖ ବିମାନବନ୍ଦରରେ ଭୟଙ୍କର ଭିଡ଼। ୪୦୦ରୁ ଅଧିକ ବିମାନ ବାତିଲ୍, ଫସିରହିଛନ୍ତି ଯାତ୍ରୀ। ବିମାନ କେତେବେଳେ ଆସିବ କାହାରିକୁ ଜଣାନାହିଁ । ସ୍ଥିତି ଏଭଳି ହେଲାଣି ରାସ୍ତାରେ ବେଡସିଟ୍ ପକାଇ ଶୋଇବାକୁ ବାଧ୍ୟ ହେଲେଣି ଯାତ୍ରୀ। ଇରାନ ବନାମ ଇସ୍ରାଏଲ-ଆମେରିକା ଯୁଦ୍ଧ ପରେ ଇଏ ୱାର୍ଲ୍ଡ୍ ଫ୍ଲାଇଟ୍ ରୁଟ୍ । ଇରାନ ବାୟୁସୀମା ସମ୍ପୂର୍ଣ୍ଣ ବନ୍ଦ। ଫଳରେ ଭାରତରୁ ୟୁରୋପ ଓ ଆମେରିକା ଯାଉଥିବା ବିମାନଗୁଡ଼ିକ ଇରାନ ଉପର ଦେଇ ଯାଇପାରୁନାହାନ୍ତି। 

ମଧ୍ୟପ୍ରାଚ୍ୟକୁ ବିମାନସେବା ଏକଦମ୍ ଠପ୍। ଆଜି କେବଳ ଦିଲ୍ଲୀରୁ ୧୦୦ ବିମାନ ବାତିଲ୍ ହୋଇଛି । ଉଡ଼ାଣ ଭରିବାକୁ ଥିବା ୬୦ ଓ ଦିଲ୍ଲୀ ପହଞ୍ଚିବାକୁ ଥିବା ୪୦ ବିମାନକୁ ରଦ୍ଦ କରାଯାଇଛି। ବାୟୁସୀମା ଭିଡ଼ ଯୋଗୁଁ ଅନେକ ଫ୍ଲାଇଟ୍ ଅହେତୁକ ବିଳମ୍ବରେ ଚାଲୁଛି। ଅନ୍ୟପଟେ ଇରାନ ଆକାଶ ବଦଳରେ ବୁଲିକି ଯିବାକୁ ପଡ଼ୁଥିବାରୁ ପ୍ରାୟ ଘଣ୍ଟାଏ ଅଧିକ ସମୟ ସାଙ୍ଗକୁ ୩୦ ପ୍ରତିଶତ ବଢିଯାଇଛି ଟିକେଟ୍ ଦାମ୍ । 

Advertisment

କେବଳ ଭାରତ ନୁହେଁ, ଦୁବାଇ ଓ ଆବୁଧାବି ଏୟାରପୋର୍ଟରେ ବି ଫସିରହିଛନ୍ତି ଶହଶହ ପର୍ଯ୍ୟଟକ । ଦୁବାଇ ଡ୍ୟୁଟି ଫ୍ରି ଟେନିସ୍ ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଫସିରହିଥିବାବେଳେ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ମଧ୍ୟ ଦୁବାଇ ବିମାନବନ୍ଦରରେ ଅଟକିରହିଥିବା ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଏପଟେ ଉଦ୍ଧାର ପାଇଁ ପିଏମ ମୋଦିଙ୍କୁ ନିବେଦନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହାନ ।

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଆତଙ୍କରେ ପ୍ରବାସୀ ଭାରତୀୟ। କାହା ଆଖି ଆଗରେ ବୋମା ପଡ଼ୁଛି ତ ଆଉ କିଏ ଦୂରରୁ ଯୁଦ୍ଧ ଧୂଆଁ ଦେଖି ଆତଙ୍କିତ ହୋଇପଡ଼ୁଛି। ଭୟରେ ପ୍ରତିଟି ମୂହୁର୍ତ୍ତ ବିତାଉଛନ୍ତି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ପ୍ରାୟ ୯୦ ଲକ୍ଷ ଭାରତୀୟ । ଦୁବାଇରେ ରହୁଥିବା କିଛି ଓଡ଼ିଆ ଓଟିଭି ଆଗରେ ବଖାଣିଛନ୍ତି ଭୟ ଓ ଆତଙ୍କର ଅଙ୍ଗେନିଭା କାହାଣୀ...

Advertisment

ଏପଟେ ଫସିରହିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଖାଲି ବିମାନ ବାତିଲ୍ ନୁହେଁ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ପରୀକ୍ଷା ସ୍ଥଗିତ କରିଛି CBSE । ଆସନ୍ତାକାଲି ବାହାରିନ, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ, UAEରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏପଟେ ଯୁଦ୍ଧ ପ୍ରଭାବରେ ଭାରତ ଉପରେ ବଡ଼ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ନଜର ପକାନ୍ତୁ ବିଶେଷକରି କେଉଁ କେଉଁ କ୍ଷେତ୍ରରେ କ୍ଷତି ସହିପାରେ ଇଣ୍ଡିଆ-

ବଢିବ ଅଶୋଧିତ ତୈଳଦର:

ଯୁଦ୍ଧ ଯୋଗୁ ଷ୍ଟ୍ରେଟ୍ ଅଫ୍ ହରମୁଜ ପ୍ରାୟତଃ ବନ୍ଦ ହୋଇଯାଇଛି। ଏହି ଜଳପଥ ଦେଇ ବିଶ୍ୱର ପ୍ରାୟ ୨୦% ତୈଳ ପରିବହନ ହୋଇଥାଏ । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏହି ପଥ ଦୀର୍ଘ ସମୟ ଧରି ବନ୍ଦ ରହିଲେ ଅଶୋଧିତ ତୈଳ ଦାମ ବେଶ୍ ବଢ଼ିଯିବ। 

ଖସିପାରେ ସେୟାର୍ ବଜାର:

ଆସନ୍ତାକାଲି ବିଶ୍ବବ୍ୟାପୀ ସେୟାର ବଜାରରେ ବଡ଼ ହ୍ରାସ ହେବା ଆକଳନ କରାଯାଉଛି । ଗତ ଶୁକ୍ରବାର ଇରାନ ଯୁଦ୍ଧ ପୂର୍ବରୁ ଭାରତୀୟ ସେୟାର ବଜାରରେ ସେନସେକ୍ସ ୯୬୧ ପଏଣ୍ଟ ଓ ନିପ୍ଟି ୩୧୭ ପଏଣ୍ଟ ଖସିଥିଲା । ଅନ୍ୟପଟେ ଯୁଦ୍ଧ ଯୋଗୁ ସୁନା-ରୁପା ଦର ମଧ୍ୟ ଲମ୍ବା ଡିଆ ମାରିପାରେ । 

ବ୍ୟାପାର ଓ ରପ୍ତାନୀ: 

ଅଶୋଧିତ ତୈଳକୁ ବାଦ୍ ଦେଇ ଭାରତ ଇରାନରୁ ଡ୍ରାଏ ଫ୍ରୁଟ୍ସ, ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଆଦି ଆମଦାନୀ କରେ। ଦୁଇ ଦେଶ ଡଲାର ପରିବର୍ତ୍ତେ ଟଙ୍କା ଏବଂ ରିଆଲରେ ବାଣିଜ୍ୟ କାରବାର କରୁଛନ୍ତି । ଏଣୁ ଯୁଦ୍ଧ ଯୋଗୁ ଏସବୁ ପ୍ରଭାବିତ ହୋଇପାରେ । 

ଯୁଦ୍ଧକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହିତ ସଂଯମତା ରକ୍ଷା କରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି ଭାରତ । ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଭାରତୀୟ ସ୍ଥାନୀୟ ପ୍ରଶାସନର ନିମୟ ମାନି ଚଳିବା ସହିତ ଦୂତାବାସ ସମ୍ପର୍କରେ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

US Iran Attack War Middle East
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ