BASUNDHARA Photograph: (OTV)
ଜନ୍ମ ମାଟିର ମୋହଠୁ ନିଆରା ଆଉ କଣ ହୋଇପାରେ ? କୁହାଯାଏ, ତା ପ୍ରେମରେ ଥରେ ଯିଏ ପଡ଼ିଛି, ସେଠୁ ମୁକୁଳିବା ମୁସ୍କିଲ। ମାଆ ମାଟି ଥରେ ହାତଠାରି ଡାକିଦେଲେ, ହାର ମାନେ ଯୋଜନ ଯୋଜନ ଦୂରତା ଓ ସବୁ ବାଧା, ବନ୍ଧନ। ସେମିତି ଜନ୍ମଭୂମିର ଡାକରାରେ ସୁଦୂର ଆମେରିକାରୁ ଛୁଟି ଆସିଥିବା ଜଣେ ମହିଳା ସୁଧନ୍ୟା ତନ୍। ଯିଏ ୨୬ ବର୍ଷ ପରେ ଆସି ତାଙ୍କୁ ଆଶ୍ରା ଦେଇଥିବା କଟକ ବସୁନ୍ଧରା ଅନାଥ ଆଶ୍ରମରେ ମନାଇଛନ୍ତି ପ୍ରଥମ ବିବାହ ବାର୍ଷିକୀ ଉତ୍ସବ।...
ମୁହଁରେ ବିଦେଶୀ ଭାଷା, କିନ୍ତୁ ଆତ୍ମା ଭାରତୀୟ। ଆମେରିକାର ନାଗରିକ, ହେଲେ ଚାଲି-ଚଳଣୀ ଓ ବେଶ ଓ ପୋଷାକ ସବୁ ଏଇଠିକାର। ଆଜିକୁ ଠିକ୍ ୨୬ ବର୍ଷ ପୂର୍ବେ ଏଇ ମାଟି, ଏଇ ସ୍ଥାନ ଆଉ ଏଇ ଠିକଣାରୁ ମାତ୍ର ୫ ବର୍ଷ ବୟସରେ ଚାଲିଯାଇଥିଲେ ସୁଦୁର ଆମେରିକାର କାରୋଲିନା। ଆଉ ଆଜି ଦୀର୍ଘ ୩ ଦଶନ୍ଧି ପରେ କଟକର ବସୁନ୍ଧରା ଅନାଥ ଆଶ୍ରମରେ ପହଞ୍ଚିବା ପରେ ଆଖିରୁ ବହି ଯାଉଥିଲା ଧାର ଧାର ଲୁହ।
ସିନେମା ଭଳି ଲାଗୁଥିବା ଏ କାହାଣୀ କୌଣସି ସିନେମା ଷ୍ଟୋରୀଠୁ ବି କମ୍ ନୁହେଁ।...ନିଜର ପ୍ରଥମ ବିବାହ ବାର୍ଷିକୀ ଉତ୍ସବକୁ ବେଶ୍ ଧୂମଧାମରେ ପାଳନ କରୁଥିବା ଏ ମହିଳା ହେଲେ ସୁଧନ୍ୟା ତନ୍।...୧୯୯୪ ମସିହାରେ କେହି ଜଣେ ମହିଳା ଏଇ ବସୁନ୍ଧାରାରେ ଛାଡ଼ି ଦେଇ ଯାଇଥିଲେ ମାତ୍ର ୧୦ ମାସର ଶିଶୁକନ୍ୟା ସୁଧନ୍ୟାକୁ। ପରେ ୧୯୯୯ରେ ସେହି ଶିଶୁକନ୍ୟାକୁ ଆମେରିକାର ଏକ ଦମ୍ପତି ପୋଷ୍ୟ କନ୍ୟା ଭାବେ ଆଦରି ନେଇଥିଲେ। ଆଉ ତା ପରେ ବଦଳି ଯାଇଥିଲା ସୁଧନ୍ୟାଙ୍କ ଠିକଣା ଓ ପରିଚୟ ସାଙ୍ଗକୁ ଭାଗ୍ୟ ଓ ଭବିଷ୍ୟତ।...
କଟକରୁ ଆମେରିକା ଯାଇ ସେଠାରେ ପାଳିତ ପିତାମାତାଙ୍କ ପାଖରେ ପାଠ ପଢ଼ି ନର୍ସ ଚାକିରି କରିଛନ୍ତି ସୁଧନ୍ୟା। ଆଉ ସେହି କାରୋଲିନାରେ ଜଣେ ଭାରତୀୟ ବଂଶୋଦ୍ଭବ ହର୍ଷ ଦୁଆଙ୍କୁ ବିବାହ କରିଛନ୍ତି। ୨୦୨୪ ଅକ୍ଟୋବର ୨୭ରେ ଉଭୟଙ୍କ ବିବାହ ଆମେରିକାରେ ହୋଇଥିଲା। ତେବେ ପ୍ରଥମ ବିବାହ ବାର୍ଷିକ ଉତ୍ସବ କିନ୍ତୁ କଟକ ବସୁନ୍ଧରାରେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ ସୁଧନ୍ୟାଙ୍କ ପରିବାର।
ଦିନେ ଅବୋଧ ଶିଶୁଟି ଭାବେ ସମସ୍ତଙ୍କ ପାଇଁ ଅଲୋଡ଼ା, ଅପରିଚିତ ସୁଧନ୍ୟାକୁ ନୂଆ ପରିଚୟ ଦେଇଥିବା ବସୁନ୍ଧରାକୁ ମନ ଭିତରୁ କେବେ ବି ଭୁଲିନଥିବା ସୁଧନ୍ୟା ସୁଦୂର ଆମେରିକାରୁ ସ୍ବାମୀ, ପରିବାର ଓ ଆତ୍ମୟୀଙ୍କୁ ଧରି କଟକ ଛୁଟି ଆସିଥିଲେ। ଆଉ ଏପଟେ ସୁଧନ୍ୟାଙ୍କୁ ପାଖରେ ପାଇ ଯେମିତି ଖୁସିରେ ବିଭୋର ହୋଇପଡ଼ିଥିଲା ସାରା ବସୁନ୍ଧରା । ବାଜା, ବାଣ, ଆଲୋକ ସଜ୍ଜା ଓ ଭୋଜିଭାତ ଭିତରେ ଉଚ୍ଛୁଳିଥିଲା ବସୁନ୍ଧରାର ପରିବେଶ....
ସୁଧନ୍ୟା ଓ ହର୍ଷଙ୍କ ପ୍ରଥମ ବିବାହ ବର୍ଷିକୀ ଉତ୍ସବରେ କଟକର ବହୁ ବିଶିଷ୍ଟ ଡାକ୍ତର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସିଡବ୍ଲ୍ୟୁସି ସଦସ୍ୟ ଓ ଅନ୍ୟ ମାନ୍ୟଗଣ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/29/basundhara-2025-10-29-21-44-58.jpg)