Air Strike Photograph: (OTV)
ନିଶା ମାଫିଆଙ୍କ ଉପରେ ବ୍ରାଜିଲ୍ ଇତିହାସରେ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ। ହଠାତ ପୋଲିସ ତରଫରୁ କରାଯାଇଥିଲା ଏୟାର ଷ୍ଟ୍ରାଇକ। ରିଓ ଡି ଜେନେରିଓରେ ଡ୍ରଗ୍ସ ଗ୍ୟାଙ୍ଗ ଉପରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ ଥିଲେ ୨୫୦୦ ସଶସ୍ତ୍ର ସୁରକ୍ଷା କର୍ମୀ। ଏହି ଅଞ୍ଚଳର ସବୁଠୁ କୁଖ୍ୟାତ ବସ୍ତି ଫାଭେଲା ଉପରେ କରାଯାଇଥିଲା ଆକ୍ରମଣ। ଯେଉଁଥିରେ ୧୩୨ ଜଣଙ୍କର ମୃତ୍ୟୁ ଘଟିଛି। ସେଥି ମଧ୍ୟରେ ୪ ଜଣ ପୋଲିସ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
ନିଶା ମାଫିଆଙ୍କ ସବୁଠୁ ବଡ ସଙ୍ଗଠନ ‘ରେଡ୍ କମାଣ୍ଡ’ର ବିଭିନ୍ନ ଆଡ୍ଡା ଉପରେ ହେଲିକପ୍ଟର ଦ୍ବାରା ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଅପରାଧୀଙ୍କୁ ଖୋଜି ଖୋଜି କରାଯାଇଥିଲା ଟାର୍ଗେଟ। ପୋଲିସ୍ ଆକ୍ରମଣକୁ ଡରି ନଯାଇ ପାଲଟା ଆକ୍ରମଣ କରିଥିଲା ରେଡ୍ ଗ୍ୟାଙ୍ଗ। ଉଭୟ ପକ୍ଷରୁ ଡ୍ରୋନ୍ ଦ୍ବାରା ବୋମା ମାଡ ମଧ୍ୟ ହୋଇଥିଲା। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାୟ ବର୍ଷେ ପୂର୍ବରୁ ଯୋଜନା କରିବାକୁ ପଡିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ଏବେ ଯାଏଁ ୮୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। କିନ୍ତୁ ଅନେକ ଫେରାର ହୋଇ ଯାଇଛନ୍ତି। ୨୦୦ କିଲୋରୁ ଅଧିକ ନିଶାଦ୍ରବ୍ୟ, ଅନେକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୭୦ରେ ବ୍ରାଜିଲରେ ଗଢି ଉଠିଥିବା ରେଡ୍ କମାଣ୍ଡ ଦେଶର ସବୁଠୁ ପୁରୁଣା ଓ ଶକ୍ତିଶାଳୀ ଅପରାଧୀ ସଂଗଠନ। ଏହା ନିଶାଦ୍ରବ୍ୟ କାରବାର ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା। ବାମପନ୍ଥୀ ବିଚାରଧାରାର କଏଦୀମାନେ ଏକତ୍ର ହୋଇ ଏକ ମେଣ୍ଟ କରି ଅପରାଧର ଅଲଗା ଦୁନିଆ ଗଢିଥିଲେ ଓ ନିଜର ପତିଆରା ବଢାଇ ଚାଲିଥିଲେ।
ଏହାର ବିଭିନ୍ନ ଅଞ୍ଚଳ ନିଜ କବଜାକୁ ନେବାରେ ଲାଗିଥିଲେ। ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଲିଡର୍ ନଥିବା ବେଳେ ପ୍ରତ୍ୟେକ ଅଞ୍ଚଳରେ ଭିନ୍ନ ଭିନ୍ନ କମାଣ୍ଡାଣ୍ଟ ରହିଥାନ୍ତି। ଏମାନେ ତଟବର୍ତ୍ତୀ ରୁଟ୍ ଗୁଡିକୁ କବଜା କରି ପଡୋଶୀ ଦେଶକୁ ମଧ୍ୟ ଡ୍ରଗ୍ସ ଚାଲାଣ କରିଥାନ୍ତି। ଶେଷରେ ଏହାର ଅପରାଧ ଚରମ ସୀମା ଟପି ଯାଇଥିଲା। ଯାହାଫଳରେ ପୋଲିସକୁ ଏତେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/air-strike-2025-10-31-11-26-15.jpg)