Gunupur-Doctor-Oil-Palm-Farming Photograph: (OTV)
ଖାଲି ପାଠପଢି ଚାକିରି କରିବାଟା ସଫଳତା ନୁହେଁ, ଚାଷ କରି ବି ଜଣେ କିପରି ଆର୍ଥିକ ରୂପେ ସଶକ୍ତ ଓ ସଫଳ ହୋଇପାରିବ । ଅଏଲ ପାମ୍ ଚାଷ କରି ନିଜେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ରୋଜଗାରକ୍ଷମ କରୁଛନ୍ତି ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ ଆନନ୍ଦ ପାଢ଼ୀ ।
୨୦୧୬ରେ ଚାକିରିରୁ ଅବସର ନେଇଥିଲେ ଡ. ପାଢ଼ୀ । ପିଲାଟି ଦିନରୁ ଚାଷ ପ୍ରତି ଦୁର୍ବଳତା ଓ ଚାଷୀ ପରିବାରରୁ ଆସିଥିବାରୁ ଅବସର ପରେ କିଛି ଭିନ୍ନ ଧରଣର ଚାଷ କରିବାକୁ ମନ ବଳାଇଥିଲେ । ଆନ୍ଧ୍ର ଚାଷୀଙ୍କ ପ୍ରେରଣା ଓ ଉଦ୍ୟାନ କୃଷି ବିଭାଗ ସହାୟତାରେ ଆରମ୍ଭ କରିଥିଲେ ଅଏଲ୍ ପାମ ଚାଷ । ରାମନାଗୁଡା ବ୍ଲକ ବାଙ୍ଗିଠାରେ ଥିବା ନିଜର ୭ ଏକର ଜମିରେ ଜୈବିକ ଓ ବୁନ୍ଦା ଜଳସେଚନ ପଦ୍ଧତିରେ ଚାଷ କରିଥିଲେ ଓ ଏଥିରେ ସଫଳ ବି ହୋଇଥିଲେ ।
୨୦୨୧-୨୨ ଆର୍ଥିକ ବର୍ଷରେ ଆନ୍ଧ୍ର ପାର୍ବତୀପୁରରୁ ଚାରା ଆଣି ଜମିରେ ରୋପଣ କରିଥିଲେ ଡାକ୍ତର ବାବୁ । ଏବେ ୩ ବର୍ଷ ପରେ ପ୍ରଥମ ପର୍ଯ୍ୟାୟରେ କ୍ଷେତରୁ ଉତ୍ପାଦନ ହୋଇଛି ୧୭ ଟନରୁ ଅଧିକ ଅଏଲ ପାମ୍ । ଉତ୍ପାଦିତ ଫସଲକୁ ସେ ଟନ୍ ପିଛା ୧୭ ହଜାରରୁ ୨୨ ହଜାର ଟଙ୍କାରେ ଓଡ଼ିଶା ସରକାରଙ୍କ ଦ୍ବାରା ଅନୁବନ୍ଧିତ ଆନ୍ଧ୍ରପ୍ରଦେଶ କୁରୁପାମଠାରେ ଥିବା ଏକ ଅଏଲ ପାମ ପ୍ରକ୍ରିୟାକରଣ ୟୁନିଟରେ ବିକ୍ରି କରୁଛନ୍ତି। ନିଜେ ରୋଜଗାର କରିବା ସହ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ବି ରୋଜଗାର ଦେଇଛନ୍ତି । ସେପଟେ ଡାକ୍ତର ବାବୁଙ୍କ କ୍ଷେତରେ ବର୍ଷ ତମାମ କର୍ମନିଯୁକ୍ତି ପାଇ ଶ୍ରମିକ ବି ବେଶ ଖୁସି ।
ଚାଷକୁ ଛାଡ଼ି ଚାକିରି ପଛରେ ଗୋଡାଉଥିବା ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର ବାବୁ । ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଜଳସେଚନ ସୁବିଧା ସହ ଆବଶ୍ୟକ ଜ୍ଞାନକୌଶଳ, ତାଲିମ ପ୍ରଦାନ, ଉତ୍ପାଦିତ ଫସଲର ବିକ୍ରିବଟା ପାଇଁ ବ୍ୟବସ୍ଥା କଲେ ନୂତନ ଯୁବପିଢ଼ି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବେ ବୋଲି କହିଛନ୍ତି ସେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/gunupur-doctor-oil-palm-farming-2025-12-04-09-13-11.jpg)