Bhadrak Artist Photograph: (OTV)
ମାଟିଠୁ ଆରମ୍ଭ କରି ବାଲି ଯାଏଁ। ବ୍ରୋଞ୍ଚଠୁ ଫାଇବର ଯାଏ ହେଉ କି ଚକ ଖଡ଼ିଠୁ ଆରମ୍ଭ କରି କାନଭାସ ଯାଏ। ତାଙ୍କ ହାତର ଯାଦୁ ସବୁ କଳାକୃତିକୁ ଜୀବନ୍ତ କରିତୋଳେ। ତାଙ୍କ ମାୟାବୀ ହାତର ସ୍ପର୍ଶ ପାଇ ସବୁ ମୂର୍ତ୍ତି ସତେ ଯେପରି କଥା କୁହେ। ଭଦ୍ରକର ପୁରପଲ୍ଲୀରୁ ଆମେରିକା, ଲଣ୍ଡନ ଯାଏଁ ବିଶ୍ବ ଦେଖୁଛି ତାଙ୍କ କମାଲ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶୋରିଷଢିହ ଗ୍ରାମର ଗୋପାଳ ସାମଲ। ତାଙ୍କ ହାତର ଯାଦୁ ଯିଏ ଦେଖୁଛି ସିଏ ପ୍ରଶଂସା ନ କରି ରହି ପାରୁନି।
ଗାଁ ଚାଟଶାଳିର ଏକ ମାଟି ଘରୁ ସୁଦୂର ଆମେରିକା, ନେଦରଲ୍ୟାଣ୍ଡ ପର୍ଯ୍ୟନ୍ତ ଓଡ଼ିଶାର କଳାକୁ ପହଞ୍ଚାଇବାରେ ଏହି ଯୁବ କଳାକାର ସଫଳ ହୋଇଛନ୍ତି। କଲମର କାଳି ହେଉ କି ରଙ୍ଗ ତୁଳୀ ପ୍ରତ୍ୟେକ କାର୍ଯ୍ୟ ତାଙ୍କ ନିଖୁଣ କାରିଗରିର କାହାଣୀ ବଖାଣୁଛି । ପିଲାଦିନେ ବାଲିଘର ଖେଳିବା ବଦଳରେ ଗୋପାଳ ରଙ୍ଗ ତୁଳୀକୁ ସାଥୀ କରିଥିଲେ। ଏବେ ଏହା ତାଙ୍କ ପେଟ ପୋଷିବା ସହ ଅନେକଙ୍କୁ ବି ଜୀବିକା ଯୋଗାଇଛି।
ତାଙ୍କ ଦ୍ବାରା ଫାଇବରରେ ନିର୍ମିତ ଶିବ, ହନୁମାନ, ସରସ୍ଵତୀ, ରାମ-ସୀତା ଭଳି ମୂର୍ତ୍ତି ନେବାକୁ ଦେଶବିଦେଶରୁ ବରାଦ ଆସୁଛି। ଖାଲି ଏତିକି ନୁହଁ ପୂର୍ବରୁ ତାଙ୍କ ହାତ ତିଆରି ମୂର୍ତ୍ତି ଆମେରିକା, କାନାଡା, ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ଭଳି ଦେଶକୁ ଯାଇ ସାରିଥିବା ବେଳେ ସେଠାରୁ ସେ ଖୁବ୍ ପ୍ରଶଂସା ବି ସାଉଁଟିଛନ୍ତି। ତାଙ୍କ ହାତ ତିଆରି ବାଲୁକାକଳା ଦେଖିଲେ ଯେ କେହି ଘଡ଼ିଏ ଅଟକିଯିବ। ରୁଷ–ୟୁକ୍ରେନ ଯୁଦ୍ଧର ଭୟାବହ ପରିସ୍ଥିତିକୁ ନେଇ ସେ ତିଆରି କରିଥିବା ବାଲୁକା ଚିତ୍ର ସାରା ବିଶ୍ୱରେ ଶାନ୍ତି ଓ ସଚେତନତାର ମାର୍ଗଦର୍ଶନ ଦେଖାଇଥିଲା।
ଛୋଟ ବୟସରେ ଜେଜେବାପା ଏହି କାମ କରୁଥିବା ବେଳେ ଗୋପାଳ ତାଙ୍କ ପାଖେପାଖେ ରହୁଥିଲେ। ଧିରେଧିରେ ଏହି ଅଭ୍ୟାସ ତାଙ୍କୁ ବେଉସା ପାଲଟିଯାଇଛି। ଏକ ନିପଟ ମଫସଲ ଗାଁର ଯୁବକଟି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ନିଜ କଳାକୃତିର ଛାପ ଛାଡ଼ିପାରିଛି। ନିକଟରେ ସେ ଆମେରିକା ପାଇଁ ୪୦୦ ‘ଭାରତମାତା’ ମୂର୍ତ୍ତି ପ୍ରସ୍ତୁତ କରି ପଠାଇସାରିଛନ୍ତି। ଏବେ ମଧ୍ୟ ତାଙ୍କ ନିକଟକୁ ବହୁ ଅର୍ଡର ଆସୁଥିବା ବେଳେ ତାହାକୁ କରିବାକୁ ସେ ଦିନରାତି ଏକ କରି ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/bhadrak-artist-2026-01-14-15-01-37.jpg)