Helpless Singer Photograph: (OTV)
ଦୁଃଖ ଏତେ ଯେ, ଲୁହ ବି ନିଅଣ୍ଟ ହେବ... ବୋଝ ଏତେ ଯେ ଅଣ୍ଟା ଭାଙ୍ଗିଯିବ । ନିଷ୍ଠୁର ନିୟତି, ପାଞ୍ଚ ପାଞ୍ଚଟା ଭୋକିଲା ପେଟ, ପରିବାରର ବୋଝ... ତାଙ୍କୁ ନୁଆଁଇ ଦେଇଛି ସତ, ହେଲେ ଭାଙ୍ଗିପାରିନି । ସେ କାନ୍ଦି ପାରନ୍ତି, କିନ୍ତୁ ହାରି ନାହାନ୍ତି । ସଂଘର୍ଷ ଓ ଜଞ୍ଜାଳପୂର୍ଣ୍ଣ ଏ ଜୀବନ ଭିତରେ ବି ଜଣେ ସ୍ବନାମଧନ୍ୟ ଗାୟିକା ହେବାର ସ୍ୱପ୍ନ ଦେଖିଛନ୍ତି ସେ । ଇଏ ହେଉଛନ୍ତି ଦୁର୍ଗମ ଅଞ୍ଚଳର ଜଣେ ବଣମଲ୍ଲୀ । ନାଁ ଦେବୀଶ୍ରୀ ବିଷୋୟୀ । ଦୁଃଖର ପାହାଡ଼ ତଳୁ ମହକୁଥିବା ତାଙ୍କର ପ୍ରତିଭା ତାଙ୍କୁ ଚର୍ଚ୍ଚାକୁ ଆଣିଛି।
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମଳାସପଦର ଗାଁର ଦେବିଶ୍ରୀ ବିଷୋୟୀ । ୪ ବର୍ଷ ହେଲା ସ୍ବାମୀ ଥୋମାସ ବିଷୋୟୀ ଆରପାରିରେ । ସ୍ୱାମୀ ଚାଲିଯିବା ପରେ ପରିବାର ପୋଷଣର ସବୁ ବୋଝ ଏବେ ଦେବିଶ୍ରୀଙ୍କ ଉପରେ । ସେ ଦାଦନ ଖଟିଲେ, ଘର ଚଳେ । ଦୁଇଟି କଅଁଳା ଛୁଆ, ରୋଗୀଣା ଶାଶୁ ଶ୍ୱଶୁରଙ୍କୁ ନେଇ ଦୁଃଖର ସଂସାର ଭିତରେ କେରଳରେ ଦାଦନ ଖଟି ଯାହା ରୋଜଗାର କରୁଛନ୍ତି ସେତିକିରେ ଦୁଇ ପିଲାଙ୍କୁ ପାଠ ପଢାଇବା ସହ ଶାଶୁ ଶ୍ୱଶୁରଙ୍କ ସେବା କରୁଛନ୍ତି ।
ସରକାରୀ ସହାୟତା କହିଲେ କେବଳ ହଜାରେ ଟଙ୍କା ଓ ବିଧବା ଭତ୍ତା l ନାଁରେ ରାସନ୍ କାର୍ଡ ନଥିବାରୁ ଚାଉଳ ବି ମିଳୁନି । କେବଳ ଶାଶୁ ଶ୍ୱଶୁରଙ୍କୁ ମିଳୁଥିବା ୧୦ କେଜି ଚାଉଳ ହିଁ ସାହା ଭରସା । ତେଣୁ ବାଧ୍ୟ ହୋଇ ଦେବୀଶ୍ରୀ ଯାଉଛନ୍ତି ଦାଦନ ଖଟିବାକୁ ।
ପରିବାରର ଜଞ୍ଜାଳ ଭିତରେ ବି ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଦେବୀଶ୍ରୀ ଏବେ କଟକର ଏକ ଷ୍ଟୁଡିଓରେ ୩ଟି ଆଲବମରେ ଗୀତ ଗାଇ ସାରିଲେଣି l ଗୋଟିଏ ରିଲିଜ୍ ହୋଇ ସାରିଥିବା ବେଳେ ଆଉ ଦୁଇଟି ଆଲବମ୍ ରିଲିଜ୍ ହୋଇନି । ଆଗକୁ ସୁଯୋଗ ମିଳିଲେ ଭଲ ଗାୟିକାଟିଏ ହେବାର ସ୍ୱପ୍ନ ଦେଖୁଛନ୍ତି ଦେବିଶ୍ରୀ । ହେଲେ ପରିବାରର ବୋଝ ଭିତରେ ତାଙ୍କର ଏ ସ୍ବପ୍ନ ଯେମିତି ମଉଳି ନ ଯାଉ ।
ଏହି ଗରିବ ପରିବାର ପ୍ରତି ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ବିଡିଓଙ୍କ କହିବା କଥା, ରାସନ୍ କାର୍ଡ ପାଇଁ ଆବେଦନ କରି E-kyc ଅପଡେଟ କରିବା ପରେ ରାସନ କାର୍ଡ ମଞ୍ଜୁର ହୋଇଯିବ । ସେ ଭଲ ଗୀତ ଗାଉଥିଲେ କଳାକାର ଭତ୍ତା ଦେବାକୁ ଚେଷ୍ଟା କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/helpless-singer-2026-01-14-15-20-33.jpg)