SCB Photograph: (OTV)
ପୂର୍ବ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏସସିବି ମେଡିକାଲ। ଓଡ଼ିଶା ତଥା ଓଡିଶା ବାହାରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । ବିଭିନ୍ନ ବିଭାଗରେ ନିଦାନ ପରୀକ୍ଷା ପାଇଁ ରହିଛି ସ୍ବାସ୍ଥ୍ୟ ଉପକରଣ। ଏବେ ଏସସିବି ମେଡିକାଲରେ ବହୁ ଯନ୍ତ୍ରପାତି ଏବେ ଅଚଳ, ଫଳରେ ଚିକିତ୍ସା ପାଇଁ ସାଜିଛି ବଡ ପ୍ରତିବନ୍ଧକ। ଯେଉଁଠି ୪ ରୁ ୫ ଉପକରଣ ଆବଶ୍ୟକ ସେଠି ଗୋଟିଏରେ କାମ ଚଳାଇବାକୁ ପଡୁଛି।
ଯାହାଫଳରେ ପରୀକ୍ଷା ପାଇଁ ରୋଗୀଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି। ସୂଚନା ଅଧିକାର ଆଇନ ରେ ଏସସିବି ମେଡିକାଲରୁ ଆସିଛି ସାଂଘାତିକ ତଥ୍ୟ। ପ୍ରାୟ ଶହେଟି ଯନ୍ତ୍ରପାତି ଖରାପ ହୋଇଗଲା ପରେ କେମିତି ଚାଲିଛି ସ୍ବାସ୍ଥ୍ୟସେବା ତାକୁ ନେଇ ଉଠିଛି ପ୍ରଶ୍ନ। ...
ବିଗିଡିଗଲାଣି କଟକ ବଡ଼ ମେଡିକାଲର ସ୍ବାସ୍ଥ୍ୟ । ୩ ମାସ ହେଲାଣି ୯୦ରୁ ଅଧିକ ମେସିନ ଅଚଳ । ରୋଗୀ ହନ୍ତସନ୍ତ, ଘରୋଇ ସଂସ୍ଥା ଉପରେ ଭରସା ।
କାମ କରୁନି ଆଇସିୟୁ ଭେଣ୍ଟିଲେଟର। ଡିଜିଟାଲ ଏକ୍ସରେ ସାଙ୍ଗକୁ ମାଇକ୍ରୋସ୍କୋପ ବି ଅଚଳ। ବୋନ ଡ୍ରିଲ ମେସିନ୍, ଆନେସ୍ଥେସିଆ ଉପକରଣ ଭଳି ୯୧ ଟି ଗୁରୁତ୍ବପୂର୍ଣ୍ଣ ଉପକରଣ କାମ କରୁନି। ସୂଚନା ଅଧିକାରରୁ ମିଳିଛି ଏଭଳି ସାଂଘାତିକ ତଥ୍ୟ । ବରିଷ୍ଠ ବିଶେଷଜ୍ଞ ସହ ଦୃଢ ଭିତ୍ତିଭୂମି ପାଇଁ ଭଲ ଚିକିତ୍ସା ପାଇବାକୁ ସାରା ରାଜ୍ୟରୁ କଟକ ବଡ ମେଡିକାଲକୁ ଆସିଥାଆନ୍ତି ରୋଗୀ। ଏଠାକୁ ଆସିଲେ ରୋଗୀ ଆଉ କେଉଁଠିକୁ ସାଧାରଣତଃ ରେଫର ହୁଅନ୍ତି ନାହିଁ।
ସମସ୍ତ ଗୁରୁତ୍ବପୂର୍ଣ୍ଣଚିକିତ୍ସା ମାଗଣାରେ ମିଳୁଥିବାରୁ ଲୋକଙ୍କର ଭରସା କାହିଁରେ କଣ। ହେଲେ ଗତ କିଛି ଦିନ ଧରି ଯେଉଁଭଳି ଚିତ୍ର ସାମନାକୁ ଆସୁଛି ତାହା ଅନେକଙ୍କୁ ନିରାଶ କରିବା ଭଳି। ଇଏ ହେଉଛି ସୂଚନାଧିକାର ଆଇନରେ ମିଳିଥିବା ଚିତ୍ର। କାମ କରୁନି ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ରୋଗର ସ୍ଥିତି ଜାଣିବାକୁ ଡାଇଗୋନସିସର ବଡ ଭୂମିକା ରହିଥିବା ବେଳେ ଅଧିକାଂଶ ଉପକରଣ ଏବେ ଅଚଳ। ଫଳରେ ରୋଗ ଚିହ୍ନଟ କରିବାକୁ ହସ୍ପିଟାଲ ବାହାରକୁ ଯାଇ ଘରୋଇ ସଂସ୍ଥା ଉପରେ ନିର୍ଭର କରୁଛନ୍ତି ରୋଗୀ। ଏଥିପାଇଁ ଘରୋଇ ସଂସ୍ଥା ମୋଟା ଅଙ୍କର ଟଙ୍କା କଷି ନେଉଥିବା ବେଳେ ରୋଗୀ ବିଚରା ଶୋଷଣର ଶୀକାର ହେଉଛନ୍ତି।
ବଡ଼ କଥା ହେଉଛି ହସ୍ପିଟାଲର ସମସ୍ତ ଯନ୍ତ୍ରାଂଶ ଏଇ ମାସେ ଦୁଇ ମାସ ଭିତରେ ଖରାପ ହୋଇଗଲା। ଏଠି ପ୍ରଶ୍ନ ଉଠୁଛି, ହଠାତ ସବୁ ଯନ୍ତ୍ରପାତି କଣ ଏକାଥରକେ ଖରାପ ହୋଇଗଲା ? ନାଁ ଏହା ପଛରେ ଆଉ କିଛି କାରଣ ଅଛି ? ନିୟମିତ ଭାବରେ ମେସିନ ମରାମତି ହେଉନଥିଲା କି ? ଘରୋଇ ହସ୍ପିଟାଲକୁ ସୁବିଧା ଦେବାପାଇଁ ଏସସିବି ମେଡିକାଲ ବିରୋଧରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ ତ ? ଏଥିପାଇଁ ଘରୋଇ ସଂସ୍ଥା ସହିତ ଭିତିରିଆ ଡିଲ ହୋଇ ନାହିଁ ତ ? ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ଖବର ଅଛି କି ନାହିଁ ?
ମେଡିକାଲକୁ ସମସ୍ତ ଉପକରଣ ଯୋଗାଇଥାଏ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ। ଯଦି ଖରାପ ହୋଇଛି ତେବେ ଏନେଇ ନୂଆ ଉପକରଣର ବରାଦ ଦିଆଯାଇଛି କି ନାହିଁ ? ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବାର କଥା ସବୁ ଠିକ ଅଛି। ମେସିନ ଖରାପ, ମରାମତି ଓ ନୂଆ କିଣିବା ଏକ ରିତିମତ ପ୍ରକ୍ରିୟା। ଚିକିତ୍ସାରେ କୌଣସି ବିଭ୍ରାଟ ହେଉ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଯଦି ଏସସିବି ମେଡିକାଲରେ ସବୁ ଠିକଠାକ ଅଛି ତାହେଲେ ସୂଚନା ଅଧିକାର ତଥ୍ୟ କଣ ଭୁଲ । ଏଠାରେ ପ୍ରଶ୍ନ କିଏ କହୁଛି ସତ ? ସୂଚନାଧିକାର ତଥ୍ୟ ନା ଏସସିବି କର୍ତ୍ତୃପକ୍ଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/scb-2025-10-21-21-03-20.jpg)