କାହିଁକି ପାଳନ ହୁଏ କାର୍ତ୍ତିକ ପୂର୍ଣ୍ଣମୀ Photograph: (OTV)
କାର୍ତ୍ତିକ ହେଉଛି ଧର୍ମର ମାସ, ପୁଣ୍ୟର ମାସ। କାର୍ତ୍ତିକ ମାସ ସାରା ନାନାପ୍ରକାର ପର୍ବ ପର୍ବାଣୀ ଲାଗିରହିଥାଏ । ତା ମଧ୍ୟରେ ଦିପାବଳୀ, ଗୋବର୍ଦ୍ଧନ ପୂଜା, ଯମ ଦ୍ଵିତୀୟା, ବଳୀପୂଜା, ଗୋପାଷ୍ଟମୀ, କାଳୀକାବ୍ରତ, ନାଗଚତୁର୍ଥୀ ପ୍ରଭୃତ ପ୍ରଧାନ। କାର୍ତ୍ତିକ ବ୍ରତ ପାଳୁଥିବା ଲୋକେ ସକାଳୁ ସ୍ନାନ ସାରି ଦେବଦେବୀ ଦର୍ଶନ, ନାମକୀର୍ତ୍ତନ, ଭାଗବତ ପାଠ, ଅତିଥି ସେବା, ହବିଷ୍ୟ ଆଦି ନିଷ୍ଠାର ସହିତ ପାଳନ୍ତି । ସନ୍ଧ୍ୟାରେ ତୁଳସୀ ଚଉରା ମୂଳରେ ଓ ଦେବଦେବୀ ମନ୍ଦିରରେ ଆକାଶ ଦୀପଦାନ ଉତ୍ସବ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଦେବଦେବୀ ମନ୍ଦିରରେ ଓ ତୁଳସୀଙ୍କଠାରେ ଆଳତି ହୁଏ I କାର୍ତ୍ତିକ ମାସର ସମସ୍ତ ଧର୍ମକାର୍ଯ୍ୟ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନ କରାଯାଏ ।
କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଟି ଦିନକୁ ପଞ୍ଚକ ବା ଭୀଷ୍ମ ପଞ୍ଚକ କହନ୍ତି। ସାରା ମାସ ନହେଲେ ବି ଏହି ପାଞ୍ଚଦିନ ସମସ୍ତେ ନିରାମିଷ ଖାଆନ୍ତି। ବଗପକ୍ଷୀ ମଧ୍ୟ ପଞ୍ଚକରେ ଆମିଷ ଖାଏନାହଁ ବୋଲି ଲୋକେ ବିଶ୍ୱାସ କରନ୍ତି। ତେଣୁ ପଞ୍ଚକକୁ ବକପଞ୍ଚକ ମଧ୍ୟ କୁହାଯାଏ।
ପଞ୍ଚକ ବ୍ରତ କଥା
ପ୍ରୟାଗରେ ଗଙ୍ଗା ଯମୁନାର ମିଳନ ସ୍ଥଳ। ସେହି ଘାଟରେ ବାଞ୍ଛା ବଟ ଥିଲା। ବାଞ୍ଛାବଟଠାରୁ ଖଣ୍ଡେ ଦୂରରେ ଗଙ୍ଗାର ଦକ୍ଷିଣ ପଟେ ସୁଭଦ୍ରା ଆଶ୍ରମ। ସେଠାରେ ଅଙ୍ଗିରା ଋଷି ତାଙ୍କ ଶିଷ୍ୟ ପ୍ରଶିଷ୍ୟ ମାନଙ୍କ ସହ ତପସ୍ୟା କରୁଥିଲେ। ସେଠାରେ ବୃଶାଳ ବଟରେ ଚିତ୍ରଗ୍ରୀବ ନାମରେ କପୋତଟିଏ ତା’ ସ୍ତ୍ରୀ ଚିତ୍ରରେଖା ଏବଂ ପୁତ୍ର ଓ ପୁତ୍ରବଧୂଙ୍କୁ ନେଇ ରହୁଥିଲା। କାର୍ତ୍ତିକ ମାସରେ ମୁନିଋଷି ମାନଙ୍କର ସ୍ନାନ ଓ ଧର୍ମ ଦେଖିଲା। ତା’ ସ୍ତ୍ରୀକୁ କହିଲା, ‘‘ପକ୍ଷୀଜନ୍ମ ପାଇଥିବାରୁ ନିଦ୍ରା, ମୈଥୁନ ଓ ଆହାର ଛଡା ଆମ୍ଭେମାନେ ପୁଣ୍ୟକର୍ମ କରିବାକୁ ଅସମର୍ଥ। ତେଣୁ ମୃତ୍ୟୁପରେ ନରକରେ ପଡିବା।’’ ଦୁହେଁ ଏ ବିଷୟରେ ଚିନ୍ତା ଓ ପରାମର୍ଶ କଲେ। କପୋତ ପରିବାରଟି କାର୍ତ୍ତିକ ବ୍ରତ କରିବେ ବୋଲି ସ୍ଥିର କଲେ।
ସକାଳୁ ଉଠିଲେ। ସକାଳୁ ସ୍ନାନକଲେ। ଆମିଷ ଖାଇଲେ ନାହିଁ। ମାସ ଶେଷରେ ପଞ୍ଚକ ବ୍ରତ ପଡିଲା। ଋଷି ନାରୀମାନେ ବାଲୁକାରେ ଖଣ୍ଡ, କଦଳୀ, ମୁଗ ନଡିଆ ଆଦି ଦେଇ ପୂଜାକଲେ। ପକ୍ଷୀ ପରିବାର ଗଛ ଉପରେ ରହି ଦେଖିଲେ। ସେମାନେ ଉପାସ ରହି ପଞ୍ଚକ କଲେ। ଋଷି ନାରୀମାନେ ପୂଜା କରିଗଲା ପରେ ପୂଜା ସ୍ଥାନରେ ପଡିଥିବା ସାମଗ୍ରୀକୁ ଖୁଣ୍ଟି ରଖନ୍ତି। ଭଲ ଦ୍ରବ୍ୟମାନ ବାଛି ସଂଗ୍ରହ କରନ୍ତି। ରଖି ନହେବା ଦ୍ରବ୍ୟମାନ ଚାରିଭାଗ କରି ବାଣ୍ଟି ଖାଆନ୍ତି।
ପୂର୍ଣ୍ଣମୀ ଦିନ ନାରୀମାନେ ବ୍ରାହ୍ମଣ ଡାକି, ଭୋଜନ କରାଇ ବ୍ରତ ଉଦଯାପନ କରାଇଲେ। କପୋତ ସଞ୍ଚିତ ଦ୍ରବ୍ୟରେ ତରଣ ପ୍ରସ୍ତୁତ କଲା। କିନ୍ତୁ ଅତିଥିଙ୍କୁ ନପାଇ ମନ ଦୁଃଖରେ ବସିଲା। ବିଷ୍ଣୁ ତା’ ମନ କଥା ଜାଣି ପାରିଲେ। ବୁଢା ବ୍ରାହ୍ମଣ ରୂପ ଧରିଲେ। ତା' ପାଖରେ ଆସି ପହଞ୍ଚିଲେ। କହିଲେ- ‘“ପାଞ୍ଚଦିନ ହେଲା ଖାଇନି। ଭୋଜନ ଖୋଜୁଛି।’’ କପୋତ ବ୍ରାହ୍ମଣଙ୍କୁ ଦେଖି ନିଜକୁ ଭାଗ୍ୟବାନ ମନେ କଲା। ଘରକୁ ବରଣ କରି ନେଇଗଲା। ତରଣକୁ ପାଞ୍ଚଭାଗ କରି ଭାଗେ ବ୍ରାହ୍ମଣକୁ ଦେଲା।
କିନ୍ତୁ ବ୍ରାହ୍ମଣଙ୍କର କ୍ଷୁଧା ମେଣ୍ଟିଲା ନାହିଁ। କପୋତ ଜଣକ ପରେ ଜଣକର ଭାଗ ଆଣି ବ୍ରାହ୍ମଣକୁ ଦେଲା। ଶେଷରେ ବୋହୂର ଭାଗକୁ ଆଣି ଦେଲା ବେଳକୁ ଠାକୁରଙ୍କର ଦର୍ଶନ ପାଇଲା। ପ୍ରଭୁ କପୋତ, କପୋତୀ ଓ ତା’ର ପୁଅଙ୍କୁ ରଥରେ ବସାଇ ବୈକୁଣ୍ଠ ଚାଲିଲେ। ତଳେ କପୋତ ବଧୂ କାନ୍ଦିଲା। ଶାଶୁ ତା’ ବେକରୁ କରମାଳ କାଢି ବୋହୂକୁ ଦେଲା। ବୋହୂ ପକ୍ଷୀମାନଙ୍କ ମଧ୍ୟରେ ବିରୋଳ ହୋଇ ପୃଥ୍ୱୀରେ ରହିଲା। ଏହିପରି ପଞ୍ଚକ ବ୍ରତର ମହିମାରେ ପକ୍ଷୀମାନେ ଉଦ୍ଧାର ପାଇ ବୈକୁଣ୍ଠକୁ ଗଲେ।
ରାସ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଗୋପୀ ଓ କୃଷ୍ଣଙ୍କ ରାସୋତ୍ସବ ପାଳନ କରାଯାଏ। ତେଣୁ ଏହାକୁ ରାସପୂର୍ଣ୍ଣିମା କହନ୍ତି। ସେଦିନ ରାତି ଅଧରେ ପାଳିତ ହେଉଥିବା ଗୋପୀ ଓ କୃଷ୍ଣଙ୍କ ରାସୋତ୍ସବ ‘ଶରତ ରାସ’ ନାମରେ ଅଭିହତ। ବୈଷ୍ଣବମାନଙ୍କର ଏହା ଏକ ପ୍ରଧାନ ଉତ୍ସବ। ସେମାନେ ରାସପୂର୍ଣ୍ଣିମା ଦିନ କଳ୍ପବୃକ୍ଷ ବା କଳ୍ପତରୁ ପୂଜା କରନ୍ତି। କଳ୍ପବୃକ୍ଷ ମୂଳରେ ରାଧାକୃଷ୍ଣଙ୍କୁ ପୂଜା କରି ବୃକ୍ଷଟିକୁ ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି। ଏହା କଳ୍ପତରୁ ଯାତ୍ରା ନାମରେ ପରିଚିତ।
ଏହାକୁ ନେଇ ଅନ୍ୟ ଏକ କିମ୍ବଦନ୍ତୀ ରହିଛି। ଏହି କିମ୍ବଦନ୍ତୀ ଅନୁସାରେ ଦଣ୍ଡକାରଣ୍ୟରେ ସୀତାଙ୍କ ସହିତ ରାମଚନ୍ଦ୍ର ବଣରେ ବୁଲୁଥିବା ସମୟରେ ସେଠାର ମୁନିଋଷିମାନେ ରାମଚନ୍ଦ୍ରଙ୍କ ରୂପ ଦେଖି ତାଙ୍କୁ ସ୍ୱାମୀ ରୂପେ ତାଙ୍କ ସାହଚର୍ଯ୍ୟ ଲାଭ କରିବାକୁ ମନେମନେ ଇଚ୍ଛା ପ୍ରକାଶ କଲେ। ରାମଚନ୍ଦ୍ର ମୁନିଋଷିଙ୍କ ମନର ଉଦ୍ଦେଶ୍ୟ ଜାଣି ସେମାନଙ୍କ ଇଚ୍ଛା ପୂରଣ ହେବା ସକାଶେ ଦ୍ୱାପର ଯୁଗରେ ସେମାନେ ଗୋପୀ ରୂପେ ଜନ୍ମଲାଭ କରିବାକୁ କହି ବର ପ୍ରଦାନ କଲେ।
ସେହି ଅନୁସାରେ ସେମାନେ ଗୋପୀ ରୂପେ ଜନ୍ମଲାଭ କଲେ ଏବଂ ସ୍ଵୟଂ ନାରାୟଣ କୃଷ୍ଣ ରୂପେ ଆବିର୍ଭୁତ ହୋଇ ସେମାନଙ୍କ ମନୋକାମନା ପୂରଣ କରିଥିଲେ। ଗୋପାଙ୍ଗନାମାନେ କୃଷ୍ଣଙ୍କ ସାନ୍ନିଧ୍ୟ ଲାଭ ଆଶାରେ କୁମାର ପୂର୍ଣ୍ଣମୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଭୋରୁ ସ୍ନାନ ସାରି ବାଲୁକାରେ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରି ଫୁଲଚନ୍ଦନ ସମର୍ପି ପୂଜା କରୁଥିଲେ। କୃଷ୍ଣଙ୍କ ପରି ବର ପାଇବା ଆଶାରେ ଏହି ପରମ୍ପରା ଏବେବି କେତେକ ସ୍ଥାନରେ ପ୍ରଚଳିତ ଥିବାର ଦେଖାଯାଏ।
ଡଙ୍ଗାଭସା ପରମ୍ପରା
କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆରେ ତିଆରି ଡ଼ଙ୍ଗା ଭସାଇବା ବିଧି ପ୍ରଚଳିତ। ସେଦିନ ସକାଳୁ ଆବାଳ-ବୃଦ୍ଧ-ବନିତା ନଦୀ ବା ପୋଖରୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ଶୋଲ ଆଦି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି। ଏହି ସମୟରେ ସମସ୍ତେ କୁହାଯାଇଥାଏ- 'ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର”। ଏହି ଅବସରରେ ପ୍ରତ୍ୟେକେ ପୂଣ୍ୟ ଅର୍ଜନ ପାଇଁ ମନାସ କରିଥାଆନ୍ତି। ବିଶ୍ଵାସ ରହିଛି ଯେ, ଏହିଦିନ ସକାଳୁ ସ୍ନାନକରି ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ।
ନୌବାଣିଜ୍ୟ ପରମ୍ପରା
କାର୍ତ୍ତିକ ପୂର୍ଣ୍ଣିମା ସକାଳୁ କଳିଙ୍ଗର ସାଧବପୁଅ ପାଲ-ଟଣା ବୋଇତମାନଙ୍କରେ ସ୍ୱଦେଶୀ ରେଶମୀ ପାଟ, ସୂକ୍ଷ୍ମ ବସ୍ତ୍ର, ବିଭିନ୍ନ ସୁଗନ୍ଧ ଦ୍ରବ୍ୟ, କାରିଗର ଶିଳ୍ପ ସାମଗ୍ରୀ ଓ ସମ୍ବଲପୁର ଅଞ୍ଚଳର ବିଖ୍ୟାତ ହୀରା ନେଇ ଜାଭା, ସୁମାତ୍ରା, ବୋର୍ଣିଓ ଓ ବାଲିଦ୍ଵୀପକୁ ଯାତ୍ରା କରୁଥିଲେ ଏବଂ ସେହି ଦ୍ଵୀପ ମାନଙ୍କରେ ଏହି ସାମଗ୍ରୀ ବିକ୍ରି କରି ନିଜ ଦେଶକୁ ଅଜସ୍ର ଧନ ସମ୍ପଦ ଧରି ବାହୁଡି ଆସୁଥିଲେ।
ଭୌଗୋଳିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ବର୍ଷର ଏହି ସମୟରେ ସାଧାରଣତଃ ଉତ୍ତର ଦିଗରୁ ପବନ ବହେ; ଯାହାଫଳରେ ପାଲ-ଟଣା ବୋଇତ ଗୁଡ଼ିକ ଅନାୟାସରେ ଦରିଆ ପାର ହୋଇ ସେହି ଦ୍ଵୀପ ମାନଙ୍କୁ ଯାତ୍ରା କରେ। ପୁଣି ବେପାର ଶେଷ ବେଳକୁ ଆଷାଢ଼ ମାସର ଆରମ୍ଭରେ ପଛରୁ ଆସୁଥିବା ପବନ ଫଳରେ ଜାହାଜଗୁଡିକ ମଧ୍ୟ ସୁରୁଖୁରୁରେ ଫେରି ଆସେ। ତେଣୁ ବୋଇତ ଭସାବେଳେ ‘ଆ କା ମା ବୈ’ରୁ ଏହି ସମୟ ବାଣିଜ୍ୟ ପାଇଁ ଅନୁକୂଳ ବୋଲି ଜଣା ଯାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/why-kartik-purnima-is-celebrated-as-rasa-purnima-2025-11-03-17-19-35.jpg)