Advertisment

Kanji Anla Osha: କାଞ୍ଜିଅଁଳା ଓଷା ପଛର ଅଲୌକିକ କାହାଣୀ, ଲୋଭରେ ପଡ଼ି ଚୋରି କଲେ ଦଣ୍ଡ ଦିଅନ୍ତି  ଷଠିମାତା, ବୋହୂ ରୂପରେ ପୂଜା ପାଏ ପିତା ଶୁଖୁଆ

ବିଶେଷ କରି ପିଲାମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଏହି ଓଷା ପାଳନ କରାଯାଏ। ନିଃସନ୍ତାନ ନାରୀମାନେ ମଧ୍ୟ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ପିଲାମାନଙ୍କ  ଭାଗ୍ୟ ଲେଖିଥାନ୍ତି  ବୋଲି ବିଶ୍ୱାସ କରାଯାଏ।

Kanjianla Osha

କାଞ୍ଜି ଅଁଳା ଓଷା Photograph: (OTV)

Advertisment

ଓଡ଼ିଆ ଘରେ ଅନେକ ପର୍ବ ପର୍ବାଣୀ (Odia Parba Parbani)। କାଞ୍ଜିଅଁଳା (kanji aanla) ଓଷା ମାର୍ଗଶିର (margashira) ମାସର କୃଷ୍ଣପକ୍ଷ ନବମୀ ତିଥିରେ ପଡେ। ସଂଧ୍ୟାବେଳେ ଓଷେଇତିମାନେ ଏକତ୍ରିତ ହୋଇ ଏହାକୁ ପାଳନ କରିଥାନ୍ତି। ବିଶେଷ କରି ପିଲାମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଏହି ଓଷା ପାଳନ କରାଯାଏ। ନିଃସନ୍ତାନ ନାରୀମାନେ ମଧ୍ୟ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ପିଲାମାନଙ୍କ  ଭାଗ୍ୟ ଲେଖିଥାନ୍ତି ବୋଲି ବିଶ୍ୱାସ କରାଯାଏ।

Advertisment

ଓଷା ପଛର କଥା

ଗୋଟିଏ ଦେଶରେ ଜଣେ ସାଧବ ଥିଲେ। ତାଙ୍କର ଚାରିପୁଅ ଓ ଚାରିବୋହୂ ଥିଲେ। ଚାରିପୁଅ ବେପାରବଣିଜ କରନ୍ତି। ତା’ର ସାନବୋହୂ ପ୍ରଥମେ ଗର୍ଭବତୀ ହେଲା। ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା। ଦିନେ ସାନବୋହୂ ରାନ୍ଧିବାକୁ ଗଲା। ଘରେ ପନିପରିବା କିଛି ନଥିଲା। ପଡିଶାଘର ବାଡ଼ିରୁ କଖାରୁଟିଏ ଚୋରି କରି ଆଣି ରାନ୍ଧିଲା। ପଡିଶା ଘର ଲୋକ କଖାରୁ ଚୋରି ହେବା ଜାଣି ଅଭିଶାପ ଦେଲା- "ମୋ ସୁବର୍ଣ୍ଣ ଫଳ ଯିଏ ଚୋରାଇ ନେଇଛି ସେ ତା’ପିଲାମାନଙ୍କୁ ଯମକୁ ବଢାଇ ଦେଉଥାଉ।''

ଅଭିଶାପ ଫଳିଲା। ତା'ର ସାତପୁଅ ହୋଇ ମଲେ। ଅଷ୍ଟମ ଗର୍ଭ ବେଳକୁ ଶାଶୂ ତାକୁ ଗାଳିଦେଇ ବିଦା କରିଦେଲା। ହାତରେ ସୂତା ନଟେଇଟିଏ ଦେଇ କହିଲା-'‘ଏଇଟି ଯେଉଁଠି ସରିବ ସେଇଠି ଜନ୍ମ କରିବୁ।'' ଭୟ ଓ ହତାଶାକୁ ନେଇ ନଟେଇଟି ଧରି ସାନବୋହୁ ଚାଲିଲା ଜଙ୍ଗଲକୁ। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ଅରଣ୍ୟ। ସେଠି କାଉର ଥଣ୍ଟ ବୁଲେନି କି କୁରାଢିର ବେଣ୍ଟ ବୁଲେନି।

Advertisment

ଅଗନା ଅଗନି ବନସ୍ତ। ସେଇଠି ଝିଅଟିଏ ଜନ୍ମ ହେଲା। ବୋହୂଟି ପ୍ରସବ ପରେ ଅଧିକ ଅସହାୟ ଅନୁଭବ କଲା। ଏକା ଏକା ବସି କାନ୍ଦିଲା। ତା'ର ବିକଳ କାନ୍ଦଣା ଓ ଅସହାୟତା ଦେଖି ଷଠୀଦେବୀଙ୍କର ଦୟା ହେଲା। ଷଠୀଦେବୀ ବୁଢୀ ରୂପରେ ଆସିଲେ। ତା'ର ଦୁଃଖ ଓ ଅନୁତାପ ଶୁଣିଲେ। କହିଲେ – ''ଏବେ ତୋ ପୁଅମାନଙ୍କୁ ନେ। ଯେଉଁଠାରେ ମାଇପେ କାଞ୍ଜିଅଁଳା ଓଷା ପୂଜୁଥିବେ, ଅଷ୍ଟମୀ ବାସୀଦିନ ତହିଁରୁ ଭାତ ଗୋଟିଏ ଆଣି ଖାଇବୁ।''

ସାଧବ ବୋହୂ ଗୋଟିଏ ପୋଖରୀ କୂଳରେ ପହଞ୍ଚିଲା। ସେଠାରୁ କାଞ୍ଜିଅଁଳା ଓଷାର ଭାତଟିଏ ଗୋଟାଇ ଖାଇଲା। ତା'ର ପୁଅମାନେ ଜୀବନ ପାଇ ଫେରି ଆସିଲେ। ସେ ସାତପୁଅ ଓ ଝିଅଙ୍କୁ ଧରି ଘରକୁ ବାହୁଡିଲା। ଶାଶୂକୁ ସବୁକଥା କହିଲା। ଷଠୀଙ୍କଠାରୁ ଶୁଣିଥିବା ବିଧି ଅନୁସାରେ ମାର୍ଗଶୀର ଶୁକ୍ଳ ନବମୀ ଦିନ କାଞ୍ଜିଅଁଳା ଓଷା ପୂଜିଲା। 

Advertisment

କାଞ୍ଜିଅଁଳାର ବିଧି ବିଧାନ

ମାର୍ଗଶୀର ମାସ କୃଷ୍ଣ ପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାନ୍ତି। ସନ୍ଧ୍ୟା ବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ସେଥିରେ ପାଣି ଭରା ଯାଇଥାଏ। ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛଡ଼ା ଯାଇଥାଏ। ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତା ହୁଏ। ପୋଖରୀ ମଝିରେ ସାରୁଗଛଟିଏ ପୋତି ତା'ରି ମୂଳରେ ପିଢ଼ାଟିଏ ଥୁଆଯାଏ। ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ସଜ କରି କଳା, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଆଯାଏ। ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖାହୁଏ।

ଏ ଓଷାର ଭୋଗ ଭାବରେ ଘରେ ଭାତ, ଡାଲି, କାଞ୍ଜି; ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରାଯାଏ। "ଷଠୀ ଦୁଷାଇଁ" ଠାକୁରାଣୀଙ୍କ ପାଖରେ ଭୋଗ ସରିଲା ପରେ ସେଇ ଭୋଗକୁ ଯେଉଁ ପିଲାଙ୍କ ପାଇଁ ମାନସିକ ହୋଇଥାଏ ସେମାନଙ୍କୁ ଖାଇବାକୁ ଦିଆଯାଏ। ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦେବାକୁ ହୁଏ। ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖା ହୋଇଥାଏ ତାହାକୁ କାହାକୁ ଦେବା ମନା। ସେସବୁକୁ ନଦୀରେ ଭସାଇ ଦିଆଯାଏ।

ଭୋଗର ମହତ୍ତ୍ଵ

ସାଧାରଣତଃ ଶୀତଦିନେ  ଅଧିକ ପରିମାଣରେ  ସବୁଜ ପନିପରିବା ମିଳିଥାଏ। ଏହି ପନିପରିବାରେ ଅଧିକ ଖାଦ୍ୟସାର ରହିଥାଏ, ଯାହାର ତରକାରୀ ଦେହ ପାଇଁ ପୁଷ୍ଟିକର ହୋଇଥାଏ। ଛୋଟ ମାଛର ପିତ୍ତକୁ କାଢ଼ି ମାଛକୁ ଶୁଖାଇ ଶୁଖୁଆ କଲେ ତାହା ଅଧିକ ଦିନ ସାଇତା ହୋଇ ରହିଥାଏ। ସାଧାରଣ ଲୋକେ ଏଥିରୁ ଜୈବିକ ଖାଦ୍ୟସାର ଶସ୍ତାରେ ପାଇଥାନ୍ତି। କାଞ୍ଜି ସେହିପରି ଭାତକୁ ରାନ୍ଧି ପଖାଳି ତାହାର ତୋରାଣିକୁ ଦୁଇଦିନ ଧରି ସାଇତି ସେଥିରେ ହଳଦୀ, ଲୁଣ, ମୂଳା, ସାରୁ ଓ ଅନ୍ୟାନ୍ୟ ମୂଳା ଜାତୀୟ ପରିବା ପକାଇ ସିଝାଇ ଭୃଷଙ୍ଗ ପତ୍ର ଦେଇ ଫୁଟାଇ ଉଷୁମ ଉଷୁମ ଖିଆଯାଇଥାଏ।

ଏହା ହଜମକାରକ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଯେ ଶୀତ ଦିନେ  କାଞ୍ଜି ଖାଇଲେ ଆଣ୍ଠୁଗଣ୍ଠି ବାତ ହେବାର ସମ୍ଭାବନା କମିଯାଏ। ଏ ଓଷରେ ଶୁଖୁଆମାନଙ୍କୁ ହଳଦୀ ପାଣିରେ ଗାଧୋଇ ଦେବା ଗୋଟିଏ ଇଙ୍ଗିତ ବୋଲି ବିଚାର କରାଯାଏ କାରଣ ଶୀତ ଦିନେ କୁଣ୍ଡିଆ ଆଦି ଚର୍ମରୋଗ ହେଉଥିବାରୁ ନିୟମିତ ହଳଦୀ ଲଗାଇବାଦ୍ୱାରା ଚର୍ମରୋଗ ଦୂର ହୋଇଥାଏ। ହଳଦୀ କୃମିନାଶକ ପାଇଁ ମଧ୍ୟ ଖିଆଯାଇଥାଏ। ଏହି ସବୁ  ସାଧାରଣ ଖାଦ୍ୟ ଆମର ଦୈନନ୍ଦିନ ଖାଦ୍ୟ ପ୍ରଣାଳୀରେ ଅଧିକ ଖାଇବା ମଧ୍ୟ ଏହି ପର୍ବ ମାଧ୍ୟମରେ ଶିଖାଯାଇଥାଏ।

Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ