Geeta Patnaik Photograph: (OTV)
ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ହେବ ଅନ୍ତିମ ସଂସ୍କାର। କଟକର ସତୀଚଉରାରେ ହେବ ଶେଷକୃତ୍ୟ । ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୭୩ ବର୍ଷ ବୟସରେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଗତ ୧୨ ତାରିଖରେ ଭୁବନେଶ୍ବରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବ୍ରେନଷ୍ଟ୍ରୋକର ଶିକାର ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ବଂଚାଇବାକୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
୧୯୭୦ରୁ ଓଡ଼ିଆ ସଙ୍ଗୀତ ଜଗତରେ ଶୁଣିବାକୁ ମିଳିଥିଲା ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ବର । ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କ ପ୍ରିୟ ଗାୟକ ପାଲଟିଥିଲେ। ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।
ଓଡ଼ିଶା ସଙ୍ଗୀତ ନାଟକ ଏନାଡ଼େମୀ ପୁରସ୍କାର, ଓଡ଼ିଶା ଗୀତିକବି ସମ୍ମାନ ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ ,ଗୁଜରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି। ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ପାଇଁ ବେଶ୍ ପରିଚିତ ଥିଲେ ଗୀତା । ତାଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଦୁନିଆକୁ ଅପୂରଣୀୟ କ୍ଷତିରେ ଭରିଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/geeta-patnaik-2026-02-16-09-20-26.jpg)