murder Photograph: (OTV)
ଜଙ୍ଗଲ ରାସ୍ତାରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ଚାରିଆଡେ ପଡିଗଲା ଚହଳ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଛି ନା ' ହତ୍ୟାକାଣ୍ଡ ପଛରେ ରହିଛି ଲାଲବାହିନୀର ହାତ ? ଏବେ ସନ୍ଦେହ ଭିତରେ ମୃତକଙ୍କ ପରିବାର
ଘରକୁ ଫେରୁଛି ବୋଲି କହିଥିଲା ପୁଅ । ହେଲେ ସେ ଆଉ ଫେରିଲାନି । ଖୋଜାଖୋଜି ପରେ ରାସ୍ତାକଡରୁ ମିଳିଲା ତାର ମୃତଦେହ। ଯାହାକି ମର୍ମାହତ କରିଛି ପରିବାର ଓ ଆଖପାଖ ଗାଁଲୋକଙ୍କୁ । କିଏ ମାରିଦେଲା ଭେଣ୍ଡିଆ ପୁଅକୁ ? ନିର୍ଦ୍ଦୋଷ ପୁଅର କିଏ ନେଇଗଲା ଜୀବନ ?
ଦେଶସେବା କରିବ ବୋଲି ସେ କରିଥିଲା ଶପଥ ଆଉ ସେଥିପାଇଁ ସେ ନେଉଥିଲା ପୋଲିସ ଟ୍ରେନିଂ। ହେଲେ ବିଧାତାର ଏକି ଖେଳ, ଉଠାଇନେଲା ପୁଅକୁ ଆଉ ଛାଡିଗଲା ଆତ୍ମୀୟଲୋକଙ୍କ ମୁହଁରେ ତାର ସ୍ମୃତି।
ଦଶପଲ୍ଲା ଥାନା ପଙ୍କୁଆ କଳସ ଖମଣ ରାସ୍ତାପାଖ ଉଦୁଡ଼ା ଗାଁର ମାତ୍ର ୨ଶହ ମିଟର ଦୂରରେ ପଡ଼ି ରହିଥିଲା ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ। ପାଖରେ ପଡିଥିଲା ଏକ ହ୍ୟାଣ୍ଡ ବ୍ୟାଗ୍ , ହେଲମେଟ ଏବଂ ବାଇକ୍। ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଲାଗିଥିଲା ଗଭୀର ଆଘାତ। ଖବର ପାଇ ଦଶପଲ୍ଲା ପୋଲିସ ପହଞ୍ଚି ଥିଲା ଘଟଣାସ୍ଥଳରେ। ମୃତଦେହ ସହିତ ପାଖରେ ପଡିଥିବା ସାମଗ୍ରୀକୁ ମଧ୍ୟ ଜବତ କରିଥିଲା ପୋଲିସ୍। ତା ସହ ମୃତ ଯୁବକଙ୍କ ପ୍ୟାଣ୍ଟ୍ ପ୍ୟାକେଟରୁ ତାର ପରିଚୟ ପତ୍ର ମିଳିଥିଲା।
ତେବେ ତଦନ୍ତକୁ ଅଧିକ ଶାଣିତ କରିବାକୁ ଯାଇ ସାଇଣ୍ଟିଫିକ୍ ଟିମ୍ ର ସହାୟତା ମଧ୍ୟ ନିଆଯାଇଥିଲା। ତଦନ୍ତରୁ ଜଣାପଡିଛିଯେ, ମୃତ ଯୁବକ ହେଉଛନ୍ତି ଦଶପଲ୍ଲା ଥାନା ଚିନା ପହଁରା ଗ୍ରାମର ସୁବାସ ଥାଟଇଙ୍କ ଏକ ମାତ୍ର ୨୬ ବର୍ଷୀୟ ହରି ଥାଟଇ। ସେ ବ୍ରହ୍ମପୁରରେ ରହି ପୋଲିସ ଟ୍ରେନିଂ ନେଉଥିଲେ । ହେଲେ ଗତକାଲି ସନ୍ଧ୍ୟାରେ ଘରକୁ ଫେରିବା ବାଟରେ ତାଙ୍କୁ କିଏ ମାରି ଫିଙ୍ଗିଦେଇଛି। ମୃତକଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଘରକୁ ଫେରିବା ବାଟରେ କେହି ହରିଙ୍କୁ ହତ୍ୟାକରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି।
ସେପଟେ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି ଦଶପଲ୍ଲା ପୋଲିସ। ତେବେ ଗତ କିଛିଦିନ ଧରି ଦଶପଲ୍ଲା ଅଞ୍ଚଳର ଚଢ଼େୟାପଲି ଜଙ୍ଗଲରେ ମାଓବାଦୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ହରିଙ୍କ ହତ୍ୟା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/murder-2025-11-28-10-28-42.jpg)