Wife Photograph: (OTV)
ଦିଲ୍ଲୀର ଆମ୍ବେଦକର ନଗରରେ ଏଭଳି କାଣ୍ଡ ଘଟିଥିବା ବେଳେ ଗୁରୁତର ଆହତ ସ୍ବାମୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜୀବନ ମରଣ ସହିତ ସଂଘର୍ଷ କରୁଥିବା ସ୍ବାମୀଙ୍କ ଏଭଳି ଅବସ୍ଥା ପଛର କାରଣ ଜାଣିଲେ ଆପଣ ଚକିତ ହେବେ।
ନୂଆଦିଲ୍ଲୀ ଦକ୍ଷିଣ ଜିଲ୍ଲାର ଆମ୍ବେଦକର ନଗର ଅଞ୍ଚଳ। ସେଠି ରୁହନ୍ତି ଦିନେଶ କୁମାର (୨୮)। ତାଙ୍କ ପତ୍ନୀ ସାଧନା ବିଳମ୍ବିତ ରାତିରେ ଫୁଟୁଥିବା ତେଲ ତାଙ୍କ ଉପରେ ଢାଳି ଦେଇଥିଲେ। ପରେ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ ପତ୍ନୀ। ଯନ୍ତ୍ରଣାରେ ଛଟପଟ ହେଉଥିବା ଦିନେଶଙ୍କୁ ପ୍ରଥମେ ମଦନ ମୋହନ ମାଲବ୍ୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ହାତ ଟେକିଦେଇଥିଲେ।
ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେଲା। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଏବେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଦିନେଶଙ୍କ ଲୋମ ଟାଙ୍କୁରା ବୟାନ ପୁଲିସର ବୁଦ୍ଧି ହଜାଇ ଦେଇଛି। ଅକ୍ଟୋବର ୩ ରେ ଏକ ମାମଲା ରୁଜୁ ସହିତ ତଦନ୍ତ ଜାରି ରହିଛି।
କାଳ ରାତିର କାହାଣୀ
ଦିନେଶ କୁମାର ତାଙ୍କ ପରିବାର ସହିତ ମଦନଗିରିରେ ଏକ ଭଡା ଘରେ ରୁହନ୍ତି। ପରିବାର କହିଲେ ତାଙ୍କ ପତ୍ନୀ ଏବଂ ଜଣେ ଛୋଟ ଝିଅ। ଦିନେଶ ଏକ ଔଷଧ କମ୍ପାନିରେ କାମ କରି ପରିବାର ଚଳାନ୍ତି। ସେଦିନ ଥାଏ ଅକ୍ଟୋବର ୨ ତାରିଖ। ଅଫିସରୁ କାମ ସାରି ଘରକୁ ଫେରନ୍ତି ଦିନେଶ। ପରିବାର ସହିତ ରାତ୍ରୀଭୋଜନ କରନ୍ତି। ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ। ପାଖରେ ପତ୍ନୀ ଏବଂ ଝିଅ ମଧ୍ୟ ଶୋଇଥିଲେ। ଭୋର ପ୍ରାୟ ୩ଟା ୧୫। ଦିନେଶ ତାଙ୍କ ଶରୀରରେ ଭୀଷଣ ଜଳାପୋଡ଼ା ଅନୁଭବ କଲେ। ହଠାତ ନିଦରୁ ଉଠି ପଡ଼ିଲେ। ତାଙ୍କ ପତ୍ନୀ ତାଙ୍କ ଉପରେ ଟକମକ ଫୁଟୁଥିବା ଗରମ ତେଲ ଢାଳି ଦେଇଥିବା ଦେଖିବାକୁ ପାଇଥିଲେ। କେବଳ ସେତିକିରେ ପତ୍ନୀଙ୍କ ମନ ଶାନ୍ତି ହୋଇନଥିଲା। ଗରମ ତେଲ ଯୋଗୁଁ ହୋଇଥିବା କ୍ଷତ ଉପରେ ଲାଲ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ ପତ୍ନୀ। ମନ ଭିତରେ ଏତେ କ୍ରୋଧ ଥିଲା ଯେ ସ୍ବାମୀଙ୍କୁ ଯନ୍ତ୍ରଣାରେ ଛଟପଟ୍ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅତି ଅମାନବୀୟ ଥିଲା ସେ କାଣ୍ଡ। ଏମିତି କାଣ୍ଡ କେବେ କେହି ସ୍ବାମୀଙ୍କ ସହିତ ବୋଧହୁଏ କରିନଥିବ।
ଚିତ୍କାର ଶୁଣି ସମସ୍ତେ ଉଠିପଡ଼ିଲେ
ଯନ୍ତ୍ରଣାରେ ଦିନେଶ ଚିତ୍କାର କରୁଥିଲେ। ଚିତ୍କାର ଶୁଣି ଘର ମାଲିକ ଉପର ମହଲାକୁ ଆସିଲେ। ଭିତରର ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ। ତୁରନ୍ତ ଦିନେଶଙ୍କ ପଡ଼ୋଶୀ ରହୁଥିବା ଭାଇ ରାମସାଗରଙ୍କୁ ଖବର ଦେଲେ। ରାମସାଗର ତୁରନ୍ତ ପହଞ୍ଚି ଦିନେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘରୋଇ ହିଂସାରୁ ଏଭଳି ହେଇଥିବା କୁହାଯାଉଛି।
ଘରୋଇ ହିଂସାରେ ଜଳୁଥିଲା ସମ୍ପର୍କ
ଆଜିକୁ ଆଠ ବର୍ଷ ତଳେ ପତ୍ନୀ ସାଧନାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଥିଲା। ସ୍ବାମୀ-ସ୍ତ୍ରୀ ସମ୍ପର୍କ ଠିକ ନଥିଲା। ଦୁଇ ବର୍ଷ ତଳେ ସେ ତାଙ୍କ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ ବି କରିଥିଲେ। ପୁଲିସ ମାଧ୍ୟମରେ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ସମ୍ପର୍କ ଯୋଡ଼ି ହୋଇନଥିଲା। ଏହା ପରେ ଘଟିଛି ଏମିତି ଘଟଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/wife-2025-10-10-18-13-41.jpg)