ctc-double-murder Photograph: (OTV)
ଦୁଇ ସାଙ୍ଗଙ୍କୁ ଖୁଣ୍ଟରେ ବାନ୍ଧିଲେ । ଡିଜେ ବଜାଇ ମଦ ପିଇଲେ । ମଦ ନିଶାରେ ଯିଏ ଚାହିଁଲା ସିଏ ପିଟିଲା । ରାତି ସାରା ପିଟି ଚାଲିଲେ । ମାଡ଼ ଖାଇ ଖାଇ ଶେଷରେ ମରିଗଲେ ଦୁଇ ସାଙ୍ଗ । କଟକ ଜିଲ୍ଲା ଟାଙ୍ଗୀ ଥାନା ନିର୍ଗୁଣ୍ଡି ନିକଟରେ ଘଟିଥିବା ଡବଲ ମର୍ଡର ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମଙ୍ଗଳବାର ରାତିରେ ଦୁଇ ସାଙ୍ଗଙ୍କୁ ଏକ ପୋକ୍ଲେନ୍ ଗ୍ୟାରେଜରେ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ଦୁଇ ସାଙ୍ଗ ଚୌଦ୍ବାର ରୂପଯାତ୍ରା ପଡ଼ିଆ ଅଞ୍ଚଳର ପ୍ରଶାନ୍ତ ଜେନା ଏବଂ ବିଲତେରୁଆଁ ଗାଁର ମହମ୍ମଦ ସୋଏବ । ସକାଳେ ଗ୍ୟାରେଜ ଭିତରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଲୋକ ମୃତଦେହ ଠାବ କରିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ଏବଂ ପରେ ପରେ କଟକ ଗ୍ରାମାଞ୍ଚଳ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ଏକ ହତ୍ୟା ବୋଲି ସ୍ବୀକାର କରିଛନ୍ତି ଏସପି ।
ସୋଏବ ଏବଂ ପ୍ରଶାନ୍ତ ନିର୍ଗୁଣ୍ଡି ଅଞ୍ଚଳରେ ଏକ ମେଡିସିନ ଗୋଦାମରେ କାମ କରନ୍ତି । ମଙ୍ଗଳବାର ଦିନ ଡ୍ୟୁଟିକୁ ଯାଉଥିବା କହି ଉଭୟ ଘରୁ ଆସିଥିଲେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଘର ଲୋକ ଖୋଜାଖୋଜି କରୁଥିବା ବେଳେ ସକାଳେ ଉଭୟଙ୍କ ମୃତଦେହ ଉକ୍ତ ଗ୍ୟାରେଜ ନିକଟରୁ ମିଳିଥିଲା । ଜଣକ ମୃତଦେହ ଗ୍ୟାରେଜ ଭିତରେ ଏବଂ ଆଉ ଜଣକ ମୃତଦେହ ଗ୍ୟାରେଜ ବାହାରେ ପଡ଼ିଥିଲା । ଉଭୟଙ୍କ ଦେହରେ ପ୍ରବଳ ମାଡ଼ ଚିହ୍ନ ସହ ଏକାଧିକ ଗଭୀର କ୍ଷତ ବି ରହିଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଉଭୟଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ସୂଚନାନୁସାରେ ଉକ୍ତ ଗ୍ୟାରେଜରୁ ପୂର୍ବରୁ ଥରେ ଦୁଇଥର ଚୋରି ହୋଇଥିଲା । ଉଭୟ ସୋଏବ ଏବଂ ପ୍ରଶାନ୍ତଙ୍କୁ ଚୋର ଭାବି ଗ୍ୟାରେଜ କର୍ମଚାରୀମାନେ ଉଠାଇ ନେଇଥିବା କୁହାଯାଉଛି । ଗ୍ୟାରେଜ ଭିତରକୁ ନେଇ ଉଭୟଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ପିଟିଥିଲେ ଗ୍ୟାରେଜ ଷ୍ଟାଫ୍ । ଏମିତିକି ମାଡ଼ ମାରିବା ବେଳେ ଯେମିତି ବାହାରକୁ ଚିତ୍କାର ନଶୁଭିବ ସେଥିପାଇଁ ଉଚ୍ଚ ଶବ୍ଦରେ ମ୍ୟୁଜିକ ମଧ୍ୟ ବଜାଇଥିଲେ । ଉଭୟଙ୍କୁ ପିଟିବା ବେଳେ ଗ୍ୟାରେଜ ଷ୍ଟାଫମାନେ ମଦ ପିଇଥିବା ବି କୁହାଯାଉଛି । ମଦ ପିଇ ରାତି ସାରା ପିଟିବା ପରେ ସୋଏବ ଏବଂ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଉଭୟଙ୍କ ମୃତ୍ୟୁ ଘଟିବା ପରେ ମୃତଦେହ ଛାଡ଼ି ପଳାଇଥିଲେ ଷ୍ଟାଫ୍ ।
ପୋଲିସ ତଦନ୍ତ କରି ଗ୍ୟାରେଜ ମାଲିକ ଏବଂ ଦୁଇ ଜଣ ଷ୍ଟାଫଙ୍କୁ ଥାନାକୁ ଉଠାଇ ଆଣି ଜେରା କରୁଛି । ଜେରା ବେଳେ ଅନେକ ସୁରାକ ମିଳିଥିବା ବେଳେ ଖୁବ୍ ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/ctc-double-murder-2026-01-01-16-40-45.jpg)