Murder Photograph: (OTV)
ସେ ତା ପତ୍ନୀଙ୍କୁ ୭୨ ଖଣ୍ଡ କରି କାଟି ଟିକଟିକ କରିଦେଲା। ଏହି ମାଂସ ଟୁକୁଡ଼ାକୁ ଏକ ଡିପ୍ ଫ୍ରିଜରରେ ଲୁଚାଇ ଦେଇଥିଲା। ପରେ ପରିତ୍ୟକ୍ତ ଅଞ୍ଚଳରେ ଖଣ୍ଡେ ଖଣ୍ଡେ ଫିଙ୍ଗି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିଲା । ଜଣେ ସପ୍ଟୱେର ଇଞ୍ଜିନିୟରଙ୍କ କାରନାମା ଇଏ। ମଣିଷ ଏତେ ନିର୍ମମ ହେଇପାରେ! ଆମ ଦେଶରେ ଏମିତି ଲୋକ ବି ଅଛନ୍ତି, ଶୁଣିଲେ ଅବିଶ୍ବାସ ଲାଗୁଥାଇପାରେ।
୭ ବର୍ଷର ପ୍ରେମ ସମ୍ପର୍କ ପରେ ବି…
ରାଜେଶ ଗୁଲାଟି ଏବଂ ଅନୁପମାଙ୍କ ପ୍ରେମ କାହାଣୀ ୧୯୯୨ ମସିହାରେ ଆରମ୍ଭ ହୁଏ। ୭ ବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ୧୯୯୯ ଫେବୃଆରୀ ୧୦ରେ ବିବାହ କରିଥିଲେ। ୨୦୦୦ ମସିହାରେ ରାଜେଶ ଏବଂ ଅନୁପମା ଆମେରିକାକୁ ଚାଲିଯାଇଥିଲେ। କିନ୍ତୁ ସେମାନଙ୍କ ଭିତରେ ଘରୋଇ କଳହ ଲାଗି ରହିଥିଲା। ଅନୁପମା ୨୦୦୩ ମସିହାରେ ଭାରତ ଫେରି ଆସିଥିଲେ।
ଦୁଇ ବର୍ଷ ପରେ ରାଜେଶ ଅନୁପମାଙ୍କୁ ଆମେରିକା ଫେରିବାକୁ ରାଜି କରାଇଥିଲା। ଏହି ଦମ୍ପତିଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ। ତଥାପି ସମ୍ପର୍କରେ ଫାଟ କମିନଥିଲା। ବଢ଼ି ବଢ଼ି ଚାଲିଥିଲା ବୈବାହିକ ସମ୍ପର୍କରେ ଫାଟ। ୨୦୦୮ ମସିହାରେ ଆମେରିକାରୁ ଅନୁପମା ଡେରାଡୁନ ଫେରିବା ପରେ ଯାହା ଘଟିଲା-ସେ କାହାଣୀ ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ।
ଗୋଟିଏ କାଳ ରାତିର କାହାଣୀ
ଅନୁପମା ଡେରାଡୁନ ଆସିବା ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ଏହି ମାମଲା ଘରୋଇ ହିଂସା ଏବଂ ପ୍ରୋଟେକ୍ସନ ଏଜେଣ୍ଟ ନିକଟରେ ପହଞ୍ଚିଥିଲା। ଯାହା ଫଳରେ ରାଜେଶ ପ୍ରତି ମାସରେ ଅନୁପମାଙ୍କୁ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜେଶ କେବଳ ଗୋଟିଏ ମାସ ଟଙ୍କା ଦେଇଥିଲେ। ୨୦୧୦ ଅକ୍ଟୋବର ୧୭ରେ ଏହି ପ୍ରସଙ୍ଗରେ ଝଗଡ଼ା ହେଲା। ରାଜେଶ ଅନୁପମାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲା। ଫଳରେ ଅନୁପମାଙ୍କ ମୁଣ୍ଡ କାନ୍ଥରେ ପିଟି ହେଇଗଲା। ଅନୁପମା ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ। ରାଜେଶ ଭୟଭୀତ ହେଇଗଲା। ଅନୁପମାଙ୍କ ଗଳାକାଟି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପରେ…
କରତରେ କାଟିଲା, ଫ୍ରିଜରରେ ରଖିଲା
ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ରାଜେଶ ଜଣେ ପେସାଦାର ଅପରାଧୀ ଭଳି କାମ କରିଥିଲା। ସେ ବଜାରରୁ ଏକ ବୈଦ୍ୟୁତିକ କରତ ଓ ଫ୍ରିଜର କିଣିଥିଲା। କରତରେ ପତ୍ନୀଙ୍କ ଶବକୁ ୭୨ ଖଣ୍ଡ କରି ପିସ୍ ପିସ କରିଥିଲା। ମାଂସ ଯେମିତି ସଢ଼ିନଯାଏ ସେଥିପାଇଁ ଡିପ୍ ଫ୍ରିଜରରେ ଜରି ପ୍ୟାକ୍ କରି ରଖିଥିଲା। ପ୍ରତିଦିନ ସେ ମସୁରୀ ଡାଇଭର୍ସନ ନିକଟରେ ଥିବା ଡ୍ରେନ୍ରେ କିଛି ମାଂସ ଟୁକୁଡ଼ା ଫିଙ୍ଗୁଥିଲା।
ଭାଇର ସନ୍ଦେହ ଏବଂ ପାସପୋର୍ଟ କର୍ମଚାରୀ
ଅନୁପମାଙ୍କ ହଠାତ୍ ଗାଏବ ଘଟଣାକୁ ନେଇ ପିଲାମାନେ ସନ୍ଦେହ କରିଥିଲେ। ନିଖୋଜ ହେବା ପରେ ରାଜେଶ ପିଲାମାନଙ୍କୁ ମାଆ ତାଙ୍କ ଜେଜେମାଙ୍କ ପାଖକୁ ଯାଇଥିବା କହୁଥିଲେ। ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ବି ଭୁଆଁ ବୁଲାଉଥିଲା। ଅନୁପମାଙ୍କ ଭାଇ ସନ୍ଦେହ କରିବା ଆରମ୍ଭ କଲେ। ସେ ତାଙ୍କର ଜଣେ ବନ୍ଧୁଙ୍କୁ "ପାସପୋର୍ଟ କର୍ମଚାରୀ" ଭାବରେ ପରିଚୟ ଦେଇ ରାଜେଶଙ୍କ ଘରକୁ ପଠାଇଲେ। ସେଠାରେ ଅନୁପମାଙ୍କ ହତ୍ୟା ହୋଇଥିବା ପ୍ରମାଣ ମିଳିଥିଲା। ୨୦୧୦ ଡିସେମ୍ବର ୧୨ରେ ପୁଲିସ ପହଞ୍ଚି ଡିପ୍ ଫ୍ରିଜର ଭିତରୁ ଅନୁପମାଙ୍କ ମାଂସ ଖଣ୍ଡ ପାଇବା ପରେ ଭୟରେ ସମସ୍ତେ ଥରି ଉଠିଥିଲେ। ଆଉ ତାପରେ ବନ୍ଧୁ ବାନ୍ଧବଙ୍କ ଭିତରେ କାନ୍ଦ ବୋବାଳି ପଡ଼ିଥିଲା।
ଅନୁପମା ଗୁଲାଟି ହତ୍ୟାକାଣ୍ଡରେ ଶେଷରେ ନ୍ୟାୟ ମିଳିଛି। ୧୨ ବର୍ଷ ତଳେ ସାରା ଦେଶକୁ ଥରାଇ ଦେଇଥିବା ଶ୍ରଦ୍ଧା ୱାକର ହତ୍ୟା ମାମଲା ଭଳି ଅନୁପମା ଘଟଣା ଥିଲା। ୨୦୧୭ ମସିହାରେ ଡେରାଡୁନର ଏକ ଟ୍ରାଏଲ୍ କୋର୍ଟ ରାଜେଶଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହିତ ୧୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଦେଇଥିଲେ। ଅଭିଯୁକ୍ତ ରାଜେଶ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୨୫ ଡିସେମ୍ବର ୧୭ରେ କୋର୍ଟ ରାଜେଶଙ୍କ ଆବେଦନକୁ ଖାରଜ କରିଛନ୍ତି। ରାଜେଶ ଭଳି ଜଣେ ନିଷ୍ଠୁର ଅପରାଧୀଙ୍କ ପାଇଁ ଜେଲ ହିଁ ଉପଯୁକ୍ତ ସ୍ଥାନ ବୋଲି କୋର୍ଟ ଶୁଣାଇ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/25/murder-2025-12-25-15-04-50.jpg)