Advertisment

MV-26 Violence: MV-26 ମହାଭାରତ ପଛରେ ‘ଭାଗଚାଷ’ ବିବାଦ ! ୬ ଦିନ ପରେ କଟାମୁଣ୍ଡ ମିଳିବା ପରେ ଜାରି ରହିଛି ଖୋଳତାଡ଼

MV-26 ଗାଁରେ କାହିଁକି ଉପୁଜିଲା ମହାଭାରତ ? କ୍ରମାଗତ ୨ ଦିନ ଧରି କାହିଁକି ତୀବ୍ର ହୋଇଥିଲା ରାଖାଲଗୁଡ଼ା ଗାଁ ଲୋକଙ୍କ ଆକ୍ରୋଶର ନିଆଁ ? ଗାଁର ଜଣେ ଆଦିବାସୀ ମହିଳାଙ୍କୁ ଗଣ୍ଡିମୁଣ୍ଡ ଅଲଗା କରି ହତ୍ୟା କରିବା ପଛର କାରଣ କ’ଣ ?

REASION-OF-MALKANGIRI-VIOLANCE

REASION-OF-MALKANGIRI-VIOLANCE Photograph: (OTV)

Advertisment

 MV-26 ଗାଁରେ କାହିଁକି ଉପୁଜିଲା ମହାଭାରତ ? କ୍ରମାଗତ ୨ ଦିନ ଧରି କାହିଁକି ତୀବ୍ର ହୋଇଥିଲା ରାଖାଲଗୁଡ଼ା ଗାଁ ଲୋକଙ୍କ ଆକ୍ରୋଶର ନିଆଁ ? ଗାଁର ଜଣେ ଆଦିବାସୀ ମହିଳାଙ୍କୁ ଗଣ୍ଡିମୁଣ୍ଡ ଅଲଗା କରି ହତ୍ୟା କରିବା ପଛର କାରଣ କ’ଣ ? ଏଭଳି ପ୍ରଶ୍ନ ଆଉ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଜମି ବିବାଦ ଲିଙ୍କ୍। ରାଖାଲଗୁଡ଼ା ବାସିନ୍ଦାଙ୍କ କହିବା କଥା, ସଂପୃକ୍ତ ମହିଳାଙ୍କ ପ୍ରାୟ ୭ ଏକର ଜମିରେ ଦୀର୍ଘ ବର୍ଷ ଧରି ଭାଗ ଚାଷ କରିଆସୁଥିଲେ MV-26 ଗାଁର ଶୁକରଂଜନ ମଣ୍ଡଳ। କେବଳ ଏତିକି ନୁହେଁ, ସେହି ୭ ଏକ ଜମି ମଧ୍ୟରୁ କିଛି ଅଂଶକୁ ଶୁକରଞ୍ଜନ କୁଆଡ଼େ ଜବରଦଖଲ କରି ଏକ କୁକୁଡ଼ା ଫାର୍ମ କରିଥିଲେ। ଯାହାକୁ ନେଇ ବିଭିନ୍ନ ସମୟରେ ଲାଗିରହୁଥିଲା ବିବାଦ। କାରଣ ସଂପୃକ୍ତ ମହିଳାଙ୍କ ପୁଅ ଜବରଦଖଲକୁ ବିରୋଧ କରିଆସୁଥିଲେ। 

Advertisment



ଡିସେମ୍ବର ୩। ମା’ଙ୍କ ନିଖୋଜ ନେଇ କୋରକୁଣ୍ଡା ଥାନାରେ ପ୍ରଥମେ ଏତଲା ଦେଇଥିଲେ ତାଙ୍କ ପୁଅ। ତଥାପି ମିଳିନଥିଲା ପତ୍ତା। ଆଉ ଡିସେମ୍ବର ୪ ତାରିଖରେ ହତ୍ୟାସ୍ଥଳରୁ ୪ କିଲୋମିଟର ଦୂରରେ ମିଳିଥିଲା ମୃତଦେହ। ହେଲେ ମରଶରୀରରେ ନଥିଲା ମୁଣ୍ଡ। ଏପରିକି ହତ୍ୟାକାରୀ ଯିଏ, ଗାଁ ଲୋକଙ୍କ ସୂଚନା ପରେ ବି ତାକୁ ପୋଲିସ ଧରିବାରେ ବିଳମ୍ବ କରିଥିଲା। ଯାହାକୁ ନେଇ ତାତିଥିଲେ ଗାଁ ଲୋକେ। ୨ ଦିନ ଧରି ତେଜିଥିଲା ଗୋଷ୍ଠୀ ବିବାଦ। MV-26ରେ ଆକ୍ରୋଶର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ୧୬୩ଟି ଘର। ଶେଷରେ ଗତକାଲି ଏହି ହତ୍ୟା ମାମଲାରେ ଶୁକରଞ୍ଜନକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଜି ହତ୍ୟାକାଣ୍ଡସ୍ଥଳରୁ ୪୦ କିଲୋମିଟର ଦୂରରେ ଜଣେ ମହିଳାଙ୍କ ମୁଣ୍ଡ ମିଳିଛି। ଯାହାର ବ୍ୟବଛେଦ ସହ ନମୂନା ସଂଗ୍ରହ କରି ପୋଲିସର ହସ୍ତାନ୍ତର ପରେ ଆଜି ଗାତ ଖୋଳି ପୋତିଛନ୍ତି ଆତ୍ମୀୟ ସ୍ବଜନ। ଗତକାଲି ଯେଉଁଠି ମୁଣ୍ଡ ବିହୀନ ମରଶରୀରର ଅନ୍ତିମ ସତ୍କାର କରାଯାଇଥିଲା, ସେଇ ନିକଟରେ ପୋତିଦିଆଯାଇଛି ମୁଣ୍ଡଟିକୁ।  

 ଏସବୁ ଭିତରେ ଗ୍ରାଉଣ୍ଡଜିରୋରେ ପୋଲିସ ଫୋର୍ସ ସହ ଡିଜିପି ପହଞ୍ଚିବା ପରଠୁ MV-26ରେ ସ୍ବାଭାବିକ ହେଉଛି ଜୀବନ। ୨ ଗୋଷ୍ଠୀ ମଧ୍ୟରେ କାଲିର ଶାନ୍ତି କମିଟି ବୈଠକ ପରେ ଓ ଶାନ୍ତି ପାଇଁ ସହମତି ପରେ ନିଜ ନିଜର ଘରକୁ ଫେରୁଛନ୍ତି ଲୋକେ। ଗାଁରେ କେନ୍ଦ୍ରରୁ ୧୫ କମ୍ପାନୀ ଫୋର୍ସ ଏବଂ ରାଜ୍ୟରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହ କମ୍ବଳ ଯୋଗାଇ ଦିଆଯାଇଛି। ତା’ସହ ପ୍ରତ୍ୟେକ ଘରକୁ ନମ୍ବର କରି କ୍ଷୟକ୍ଷତିର ଆକଳନ କରାଯାଉଛି। ଏସବୁ ଭିତରେ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଇଣ୍ଟରନେଟ୍ କଟକଣାକୁ ଆଉ ୨୪ ଘଣ୍ଟା ବଢ଼ାଇ ଦିଆଯାଇଛି। ତା’ସହ ଶିକପାଲି ସାପ୍ତାହିକ ହାଟକୁ ବନ୍ଦ ରଖାଯାଇଛି।

ତେବେ ଭାଗଚାଷ ବିବାଦରୁ ଏଭଳି ବୀଭତ୍ସ ହତ୍ୟା ପଛରେ ଆଉ କିଏ ? ବିବାଦ ପଛର ଅସଲ ରହସ୍ୟ କ’ଣ ? ସେନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ପୋଲିସ କିମ୍ବା ଗିରଫ ଅଭିଯୁକ୍ତ ଶୁକରଞ୍ଜନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ