WOMAN-KILLED-BY-LOVER Photograph: (OTV)
ପ୍ରେମ, ପ୍ରତାରାଣା, ମର୍ଡର । ପ୍ରେମ ସପ୍ତାହରେ ଗଡିଲା ମୁଣ୍ଡ ମିଠା ମିଠା କଥାରେ ଫସାଇଲା । ବାହା ହେବାକୁ କହିବାରୁ ପ୍ରେମିକାକୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲା ପ୍ରେମିକ । ମଧ୍ୟପ୍ରଦେଶ ଭୋପାଳ ସହରର ନିଶାତପୁରା ଅଞ୍ଚଳରେ ଏହି ଘଟିଛି ଜଘନ୍ୟ ଘଟଣା । ମୃତ ପ୍ରେମିକା ହେଲେ ୩୩ ବର୍ଷୀୟ ସିୟା । ତାଙ୍କୁ ମାରିଥିବା ପ୍ରେମିକର ନାଁ ସମୀର ।
ଇନଷ୍ଟାରୁ ଆରମ୍ଭ ପ୍ରତାରଣାରେ ଶେଷ:
ବର୍ଷ ତଳେ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ ଚିହ୍ନା ପରିଚୟ । ରାତି ଦିନ ଚାଟିଂ, ଘଣ୍ଟା ଘଣ୍ଟା କଥାବାର୍ତ୍ତା ପ୍ରେମର ରୂପ ନେଲା । ସମୀର ପାଇଁ ଘରଦ୍ୱାର ଛାଡି ମହାରାଷ୍ଟ୍ରରୁ ଭୋପାଳ ଚାଲିଆସିଲେ ସିୟା । ପ୍ରେମିକ ସହ ଏକାଠି ନୂଆ ଜୀବନ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିଲେ । କିନ୍ତୁ ସମୀର ପୂର୍ବରୁ ବିବାହିତ ଓ ଦୁଇଟି ଛୁଆର ବାପା ଥିଲା । ଏ କଥା ଜାଣିବା ପରେ ବି ପ୍ରେମିକ ସହ ତାଙ୍କ ଘରେ ଏକାଠି ରହିଥିଲେ ସିୟା । ୟାକୁ ନେଇ ସିୟା ଓ ସମୀରର ସ୍ତ୍ରୀ ଭିତରେ ପ୍ରତିଦିନ ପାଟିତୁଣ୍ଡ ହେଉଥିଲା । ସିୟା ସମୀରକୁ ବାହାହେବାକୁ ଚାପ ପକାଉଥିଲେ । ସେ ମନା କଲେ ୫ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ ଏବଂ ଥାନାକୁ ଯିବାକୁ ଧମକାଉଥିଲେ । ଏଥିରେ ଅତିଷ୍ଠ ହୋଇ ନିଜ ବାପଘରକୁ ଚାଲିଯାଇଥିଲେ ସମୀରଙ୍କ ପତ୍ନୀ ।
ମାରି ଫିଙ୍ଗିଦେଲା ବିବାହିତ ପ୍ରେମିକ:
ଗତ ସୋମବାର ସନ୍ଧ୍ୟାରେ ପୁଣିଥରେ ସିୟା ଓ ସମୀର ଭିତରେ ଝଗଡା ହୋଇଥିଲା । ରାଗରେ ସମୀର ସିୟାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ନିଜ ପରିବାର ଲୋକଙ୍କ ସାହାଯ୍ୟରେ ମୃତଦେହକୁ ଗୋଟିଏ ଲୁହା ବାକ୍ସ ଭିତରେ ପୂରାଇ ଘର ପାଖରେ ଥିବା ଗୋଟିଏ ମଇଳା ଟାଙ୍କିରେ ଫିଙ୍ଗି ଦେଇଥିଲା । ଦୁଇ ତିନି ଦିନ ପରେ ଖୁବ୍ ଦୁର୍ଗନ୍ଧ ହେବାରୁ ଲୋକଙ୍କ ନଜର ପଡିଥିଲା ଟାଙ୍କି ଭିତରେ । ପୋଲିସ ଆସି ଲୁହା ବାକ୍ସଟି ଖୋଲିବାରୁ ତା' ଭିତରୁ ମିଳିଥିଲା ସିୟାଙ୍କ ଗଳିତ ମୃତଦେହ ।
ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ତାର ମାଆ, ଭାଇ ଓ ଭଉଣୀକୁ ଗିରଫ କରିଛି । ତେବେ ମୃତ ସିୟା ବି ପୂର୍ବରୁ ୩ ଥର ବିବାହିତ ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/woman-killed-by-lover-bhopal-2026-02-15-14-52-18.jpg)