Murder-For-Divorce-Notice Photograph: (OTV)
କୋଉ ସ୍ୱାମୀ-ସ୍ତ୍ରୀ ଭିତରେ ବା ଝଗଡା ନ ହୁଏ । ହେଲେ ଏ ସାମାନ୍ୟ ଝଗଡା ଯେ କେତେ ଭୟଙ୍କର ରୂପ ନେଇପାରେ, ତାହା ଶୁଣିଲେ ଛାତି ଥରିଯିବ । ବେଙ୍ଗାଲୁରୁରେ ସେମିତି ଏକ ଘଟଣା ଘଟିଛି । ଜଣେ ବ୍ୟକ୍ତି ବିଚ୍ ରାସ୍ତାରେ ଗୁଳି କରି ମାରିଦେଇଛି ନିଜ ସ୍ତ୍ରୀକୁ ।
୧୫ ବର୍ଷର ବାହାଘର । ସ୍ୱାମୀ ବାଲାମୁରୁଗନ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ସେ ଏକ ପ୍ରାଇଭେଟ ଫାର୍ମରେ କାମ କରୁଥିଲେ । ହେଲେ ୪ ବର୍ଷ ତଳେ ତାଙ୍କ ଚାକିରି ଚାଲି ଯାଇଥିଲା । ମୁରୁଗନଙ୍କ ସ୍ତ୍ରୀ ଭୁବନେଶ୍ୱରୀ ୟୁନିୟନ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ । ଦୁହିଁଙ୍କ ଘର ତାମିଲନାଡୁର ସଲେମ ଜିଲ୍ଲାରେ । ୨୦୧୧ରେ ବାହାଘର ପରେ ଚାକିରି ଯୋଗୁଁ ୨୦୧୮ରେ ସେମାନେ ବେଙ୍ଗାଲୁରୁ ଚାଲିଆସିଥିଲେ ।
ସ୍ୱାମୀଙ୍କ ଚାକିରି ଯିବା ପରଠୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ବାଲାମୁରୁଗନ । ଏହି କାରଣରୁ ବିବାଦ ବଢିବା ପରେ ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ବର୍ଷେ ହେବ ଅଲଗା ରହୁଥିଲେ । ଏଇ ସପ୍ତାହେ ତଳେ ଡିଭୋର୍ସ ନୋଟିସ୍ ପଠାଇଥିଲେ ସ୍ତ୍ରୀ । ଯେଉଁଥିରେ ରାଗିଯାଇଥିଲେ ମୁରୁଗନ । ଆଉ ଡିଭୋର୍ସର ଜବାବ ଦେଇଥିଲେ ଗୁଳିରେ ।
ଗତକାଲି ସନ୍ଧ୍ୟାରେ ସ୍ତ୍ରୀ ଭୁବନେଶ୍ୱରୀ ବ୍ୟାଙ୍କରୁ ଫେରୁଥିବା ବେଳେ ଅଧବାଟରେ ଜଗିରହିଥିଲେ । ସୁଯୋଗ ମିଳିବା କ୍ଷଣି ସ୍ତ୍ରୀ ଉପରକୁ ଚାରି ରାଉଣ୍ଡ ଗୁଳି ଫୁଟାଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଭିଯୁକ୍ତ ଥାନାକୁ ଯାଇ ସରେଣ୍ଡର କରିଥିଲେ । ଏହି ଘଟଣା ବେଙ୍ଗାଲୁରୁ ସହରରେ ଚାଞ୍ଚଲ୍ୟ ଖେଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/murder-for-divorce-notice-2025-12-24-17-19-44.jpg)