Betrayal Photograph: (OTV)
୧୪ ବର୍ଷ ପ୍ରେମ ଗୋଟିଏ ଦିନରେ ଶେଷ । ପ୍ରେମ ପାଇଁ ଏଠି ପ୍ରେମିକା କଳଙ୍କ । ରୋମାଣ୍ଟିକ୍ କାହାଣୀର ପ୍ରେମିକା ସାଜିଲା ଖଳନାୟିକା । ଶିକ୍ଷୟିତ୍ରୀ ଚାକିରି ପାଇବା ପରେ ଦେଇଦେଲା ଧୋକା ।
ପ୍ରେମିକାର ଛଳନା ଜୁଇରେ ଜଳିଯାଇଛି ଜଣେ ପ୍ରେମୀର ଶରୀର । ମା’ ନ୍ୟାୟ ମାଗୁଛନ୍ତି । ଭଉଣୀ କାନ୍ଦି କାନ୍ଦି ଗୁହାରୀ କରୁଛି । ପରିବାରରେ ସବୁ ଦିନ ହସୁଥିବା ସେ ପୁଅ ଆଜି ଆଉ ନାହିଁ । ଯାଜପୁର ଜିଲ୍ଲା କୁଆଖିଆ ଥାନା କୋଳଥଳ ଗାଁର ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରେମିକା ଜଣକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇବା ପରେ ପ୍ରେମିକକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଆଉ ଯୁବକଙ୍କୁ ନ୍ୟାୟ ପାଇଁ ସ୍ଥାନୀୟ ଲୋକଙ୍କ ସହ ମୃତ ଯୁବକଙ୍କ ଆତ୍ମୀୟସ୍ୱଜନମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ନ୍ୟାୟ ମାଗିଛନ୍ତି ।
ପାଠପଢ଼ା ଖର୍ଚ୍ଚ ବହନ କରିଥିଲେ
ମୃତ ପ୍ରେମିକ ଜଣକ ହେଉଛନ୍ତି ଚତୁର୍ଭୁଜ ଦାଶ ଓରଫ ରିଣ୍ଟୁ । ରିଣ୍ଟୁ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘ ୧୪ ବର୍ଷ ଧରି ଭଲ ପାଇ ଆସୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରିବାରର କହିବା ଅନୁସାରେ, ଜଣେ ଯୁବତୀଙ୍କ ପାଇଁ ରିଣ୍ଟୁ ନିଜ କ୍ୟାରିୟରକୁ ପଛରେ ପକାଇ ଯୁବତୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରି ତାଙ୍କୁ ଚାକିରି କରାଇଛନ୍ତି । ହେଲେ ଚାକିରି ପାଇବା ପରେ ଯୁବତୀ ତାଙ୍କୁ ବାହା ନହେବାକୁ କହି ଧୋକା ଦେଇଥିଲେ ।
ପରେ ରିଣ୍ଟୁ ନିଜର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ପରେ ରିଣ୍ଟୁଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଅକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଯାଇ ବାଧ୍ୟ କରାଯାଇଥିବା କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ- ୪୯୮/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
୧୪ ବର୍ଷ ବିଶ୍ବାସରେ ବିଷ ଦେଇଛି ପ୍ରେମିକା । ବିଷ ପିଇବାକୁ ପ୍ରେମିକକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରେମିକାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/30/betrayal-2025-11-30-19-18-56.jpg)