Sanjaya Singh
ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି ଘରେ ଏକା ରହୁଥିବା ବରିଷ୍ଠ ନାଗରିକଙ୍କୁ ଯଦି ଟିକା ନେବାର ସମସ୍ୟା ହେଉଛି, ତେବେ ସେ ୧୯୨୯ ନମ୍ବରରେ କଲ କରି ବିଏମସି ସହ ଯୋଗାଯୋଗ କରିପାରିବେ । ଏହା ବିଏମସିର ଏକ ଟିମ୍ ଯାଇ ତାଙ୍କ ଘରେ ପହଞ୍ଚିବ ଏବଂ ତାଙ୍କୁ ଘରୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେଇ ପୁଣି ଘରେ ଛାଡ଼ିବ । ତେବେ ଏହି ସୁବିଧା କେବଳ ରାଜଧାନୀରେ ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ।
ଖାଲି ସେତିକି ନୁହେଁ ବିଏମସି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଆଉ ଏକ ନୂଆ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି । ରାଜଧାନୀରେ ରହୁଥିବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଦେଖାଗଲେ କିମ୍ବା କରୋନା ସଂକ୍ରମଣ ସନ୍ଦେହ ହେଲେ ଏଣିକି ବିଏମସି ଟିମ ଘରେ ପହଞ୍ଚି ତାଙ୍କର ନମୁନା ସଂଗ୍ରହ କରିବ । ଏଥିପାଇଁ ୧୯୨୯ ନମ୍ବରରେ କଲ କରି ବିଏମସିକୁ ନାଁ ଏବଂ ଘର ଠିକଣା ଦେବାକୁ ହେବ । ଏହା ପରେ ସାମ୍ପୁଲ ସଂଗ୍ରହ ପାଇଁ ଭ୍ୟାନ୍ ଯାଇ ପହଞ୍ଚିବ ।
ଏହି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ବରିଷ୍ଠ ନାଗରିକଙ୍କୁ ଆସିବାରେ ସମସ୍ୟା ଥିବାରୁ ବିଏମସି ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMG_20210512_120517_1621081469.jpg)